Latest Odisha News

ବିଜେପିର ୪୦୦ ପାର୍ ନାରା ବିଫଳ ହେବାକୁ ଯାଉଛି କି ନା ସତରେ ମାଇଣ୍ଡ୍ ଗେମ୍?

ଭୁବନେଶ୍ୱର: ନିର୍ବାଚନ ଆରମ୍ଭ ହେବାଠୁ ବିଜେପି ନାରା ଦେଇଛି ଅବ୍ କି ବାର ୪୦୦ ପାର୍ । ବିଜେପି ନିଜ ପାଇଁ ୩୭୦ ଲୋକସଭା ଆସନ ଟାର୍ଗେଟ୍ ରଖିଥିବା ବେଳେ ଏନଡିଏ ପାଇଁ ୪୦୦ ନାରା ରଖିଛି। ବଡ଼କଥା ହେଉଛି ଇଣ୍ଡିଆ ଟିଭିର ସଲାମ ଇଣ୍ଡିଆ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ଏହି ନାରାକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ସରକାର ଗଢ଼ିବାକୁ ୨୭୦ ଆସନ ଆବଶ୍ଯକ। ବିରୋଧୀ କିନ୍ତୁ ଏବେ ବିଜେପିର ୪୦୦ ଲକ୍ଷ୍ୟ ପୂରଣ ହେବନି ବୋଲି କହୁଛନ୍ତି। ଏପରି କରି ସେ ଏକ ମାଇଣ୍ଡ ଗେମ୍ ଖେଳିଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ଲୋକଙ୍କ ହୃଦୟରୁ ଆସିଛି ଅବ୍ ବାର ୪୦୦ ପାର ନାରା। ୨୦୧୯ରୁ ୨୦୨୪ ମଧ୍ୟରେ ୨-୩ ସହଯୋଗୀଙ୍କ ସମର୍ଥନରେ ଆମ ପାଖରେ ୪୦୦ ଆସନ ଥିଲା। ଯଦି ଆପଣଙ୍କ ପରିବାରରେ ଜଣେ ପିଲା ୯୦ ମାର୍କ ହାସଲ କରେ ଏବଂ ତା’ର ପ୍ରତିଯୋଗୀ ୩୦-୪୦ ମାର୍କ ପାଆନ୍ତି, ତେବେ ଆପଣ କେବେ ବି ଆପଣଙ୍କ ପିଲାଙ୍କୁ ମାତ୍ର ୫୦ ମାର୍କରେ ରହିବାକୁ କହିବେ ନାହିଁ । ଆପଣ ଆପଣଙ୍କ ପିଲାଙ୍କୁ ୯୫ ମାର୍କ ପାଇବା ପାଇଁ ଉତ୍ସାହିତ କରିବେ। ଏହି କ୍ରମରେ ଆମେ ଆମର ମେଣ୍ଟ ପାଇଁ ଆମର ୪୦୦ ଲୋକସଭା ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ବିଜେପିର ଟାର୍ଗେଟ- ୩୭୦ ଆସନ ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଜଣେ ସୃଜନଶୀଳ ବ୍ୟକ୍ତିଙ୍କଠାରୁ ଆସିଛି।୩୭୦ ନମ୍ବର (ଧାରା ୩୭୦) ଦେଶର ଏକତାକୁ ଦର୍ଶାଉଛି। ୩୭୦ ସିଟ୍ ଟାର୍ଗେଟ୍ ପାଇଁ କଶ୍ମୀରର ଜଣେ ବ୍ୟକ୍ତି ପରାମର୍ଶ ଦେଇଥିଲେ। ଲୋକଙ୍କ ମନରେ ଏକ ଅବିସ୍ମରଣୀୟ ସ୍ମୃତି ଛାଡିବା ପାଇଁ ବିଜେପି ୩୭୦ଟି ଆସନ ଜିତିବା ଦରକାର, ଯାହାଦ୍ୱାରା ସେମାନେ ଦେଶର ଏକତାର ମହତ୍ତ୍ୱ ବୁଝିପାରିବେ।

୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ମୋଦୀ ସରକାର ଉଚ୍ଛେଦ କରିଥିଲେ। ଏହାଥିବାରୁ ଜମ୍ମୁ କଶ୍ମୀରର ଅଭିବୃଦ୍ଧି ଓ ବିକାଶରେ ବାଧକ ସାଜିଥିଲା ବୋଲି କହିଥିଲେ।

କିନ୍ତୁ ମୋଦୀଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ବିଭିନ୍ନ ନିର୍ବାଚନ ରଣନୀତିକାର କହୁଛନ୍ତି, ବିରୋଧୀ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ। ବିଜେପି କିନ୍ତୁ ୩୦୫ ଭିତରେ ରହିବ। ଅର୍ଥାତ ୪୦୦ ପହଁଚିବାର ଆଶା ବହୁତ କମ୍। କୁହାଯାଏ ୪୦୦ ଲକ୍ଷ୍ୟ ପୂରଣ କରିବାକୁ ଯାଇ ଏନଡିଏ ବିଭିନ୍ନ ରାଜ୍ଯରେ ଅନେକ ଦଳ ସହ ମେଣ୍ଟ କରିଛି। କିନ୍ତୁ ଏବେ ବିଭିନ୍ନ ନିର୍ବାଚନ ରଣନୀତିକାରଙ୍କ ଆକଳନ ଏବଂ ମୋଦୀଙ୍କ ମାଇଣ୍ଡ ଗେମ୍ ଥିଓରୀକୁ ନେଇ ଚର୍ଚ୍ଚା ବଢ଼ିଛି।

ଉଲ୍ଲେଖଯୋଗ୍ୟ, ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ଜାତୀୟ ଗଣମାଧ୍ଯମକୁ ସାକ୍ଷାତକାର ଦେଇ କହିଥିଲେ, ବିଜେପି ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତରେ ନୈରାଶଜନକ ପ୍ରଦର୍ଶନ କରିବାକୁ ଯାଉଛି। ଏହି ସ୍ଥାନ ଗୁଡ଼ିକରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ତେଣୁ କଂଗ୍ରେସ ମଧ୍ୟ ସରକାର ଗଢ଼ିବ ବୋଲି ସେ ଆଶା ରଖିଛନ୍ତି।

Leave A Reply

Your email address will not be published.