Latest Odisha News

ରାତି ପାହିଲେ ନିର୍ବାଚନ, କଟକ ଓ ସମ୍ବଲପୁରରେ ୧୪୪ ଧାରା ଲାଗୁ

କଟକ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ ହେବାକୁ ଯାଉଛି। ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେବାକୁ ଥିବା ମତଦାନ ପାଇଁ କଟକ ଓ ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି।

ମତଦାନ କେନ୍ଦ୍ରର ୨୦୦ମିଟର ଭିତରେ ଲୋକ ଏକାଠି ହୋଇପାରିବେନି । ଏହାରି ଭିତରେ ମାତ୍ର ୫ଜଣ ଲୋକ ରହିପାରିବେ । ସେହିପରି ମତଦାନ କେନ୍ଦ୍ରର ୧୦୦ମିଟର ଭିତରେ ଫୋନ୍ ବ୍ୟବହାର ଉପରେ କଟକଣା କରାଯାଇଛି । କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ଜିଲ୍ଲାର ୮୭-ବଡ଼ମ୍ବା, ୮୮-ବାଙ୍କୀ, ୮୯-ଆଠଗଡ଼, ୯୦-ବାରବାଟୀ କଟକ, ୯୧-ଚୌଦ୍ୱାର କଟକ ଓ ୯୩-କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ମତଦାନ କେନ୍ଦ୍ରର ୨୦୦ ମିଟର ପରିସୀମା ମଧ୍ୟରେ ସରକାରୀ ଦାୟିତ୍ୱ ନିର୍ବାହ କରୁଥିବା ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାର ଯାନବାହନ ପାର୍କିଂ କରାଯାଇ ପାରିବ ନାହିଁ। ସେହିପରି ଜନସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ନିମନ୍ତେ ସମଗ୍ର କଟକ ଜିଲ୍ଲାରେ ଲାଉଡସ୍ପିକର, ଆମ୍ପ୍ଲିଫାୟର ଏବଂ ଉଚ୍ଚ ସ୍ବର କରୁଥିବା ଅନ୍ୟ ଯେ କୌଣସି ଉପକରଣ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି।

ସେହିପରି, ସମ୍ବଲପୁରରେ ଆଜି ସକାଳୁ ୨୬ତାରିଖ ସକାଳ ୧୦ଟା ଯାଏଁ ୧୪୪ଧାରା ଲାଗୁ ହୋଇଛି । ଜିଲ୍ଲାରେ ସମୁଦାୟ ୨୮୦୦ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ଏହାସହ ୧୨କମ୍ପାନୀ ସିଆରପିଏଫ, ରାଜ୍ୟ ପୋଲିସର ୧୫ପ୍ଲାଟୁନ ଫୋର୍ସ, ଛତିଶଗଡର ୪୦୦ପୋଲିସ କର୍ମଚାରୀ, ୩ପ୍ଲାଟୁନ ଏସଓଜି ମୁତୟନ ହୋଇଛନ୍ତି । ଜିଲ୍ଲାରେ ୧୭ଟି ଚେକ ପୋଷ୍ଟ କରାଯାଇଥିବାବେଳେ ଚେକିଂ ଜୋରଦାର କରାଯାଇଛି ।

 

Leave A Reply

Your email address will not be published.