Latest Odisha News

BREAKING NEWS

ତିନି ରାଜନୈତିକ ଦଳରେ ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର?

ଭୁବନେଶ୍ୱର: ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର ? ଟଙ୍କା ଦେଇ ପ୍ରାର୍ଥୀ ହେଉଛନ୍ତି କି ନେତା ? ଟଙ୍କା ପାଇଁ କଟୁଛି କି ଯୋଗ୍ୟ ପ୍ରାର୍ଥୀଙ୍କ ଟିକେଟ୍ ? କାହିଁକି ବାରମ୍ବାର ଆସୁଛି ଟିକେଟ୍ ପାଇଁ ଟଙ୍କା ଡିଲ୍ ଅଭିଯୋଗ ? ଚବିଶ ନିର୍ବାଚନରେ ଟିକେଟ୍ ଡିଲକୁ ନେଇ ଉଠୁଛି ପଡୁଛି ରାଜନୀତି । ଟିକେଟ୍ କଟିବା ପରେ ଦଳ ତଥା ଦଳର ନେତାଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣୁଛନ୍ତି ପ୍ରାର୍ଥୀ। ଟିକେଟ୍ ପଛରେ ଟଙ୍କା, ଅଭିଯୋଗ କେତେ ସତ, କେତେ ମିଛ?

ବିଜେପିରେ କାଳୁ କମ୍ପନ !
ବିଜେପି ଛାଡିଲେ, ବିସ୍ଫୋରଣ କଲେ । ଖୋର୍ଦ୍ଧାରୁ ଟିକେଟ୍ ନପାଇ ବିଜେପି ଛାଡିଛନ୍ତି କାଳୁ ଖଣ୍ଡାୟତରାୟ । ହେଲେ ଦଳ ଛାଡୁ ଛାଡୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ପ୍ରବଳ ଅସନ୍ତୋଷ ଝାଡିଛନ୍ତି କାଳୁ । ଭୁବନେଶ୍ବର ସାଂସଦ ଖୋର୍ଦ୍ଧା ଟିକେଟ ପାଇଁ ୨କୋଟି ଟଙ୍କା ମାଗିଥିଲେ । ଟଙ୍କା ନଦେବାକୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ବିକ୍ରି କରିଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି କାଳୁ ଖଣ୍ଡାୟତରାୟ। ଖୋର୍ଦ୍ଧା ମଳିପଡାରେ ହଜାର ହଜାର ସମର୍ଥକଙ୍କୁ ନେଇ ସ୍ବାଭିମାନ ସମାବେଶ ନାଁରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଘରକୁ ଘର ବୁଲି ଅପରାଜିତାଙ୍କୁ ହରାଇବାକୁ ପ୍ରଚାର କରିବେ ବୋଲି କାଳୁ କହିଛନ୍ତି ।

ଟିକେଟ୍ ପାଇଁ କୋଟି କୋଟି ଡିଲ୍ !
ବିଜେଡି ବିରୋଧରେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ଟଙ୍କା ଦେଇ ବିଜେଡିରୁ ପ୍ରଭୂ ଜାନି ଟିକେଟ୍ ନେଇଥିବା ସେ ସିଧାସଳଖ ଅଭିଯୋଗ କରିଥିଲେ । ଲକ୍ଷ୍ମୀପୁର ଟିକେଟ୍ ପାଇଁ ୫ରୁ ୬କୋଟି ଟଙ୍କା ଡିଲ୍ ହୋଇଥିବା କହିଥିଲେ । ଏପରିକି ଟିକେଟ୍ ବଦଳରେ ବିଜେଡି ତାଙ୍କୁ କୋଟିଏ ଟଙ୍କା ସହ ପଦବୀ ଯାଚୁଥିବା କୁଲେସିକା କହିଥିଲେ । ଟିକେଟ୍ ପ୍ରତିଶ୍ରୁତିରେ ବିଜେଡିକୁ ଆସିଥିଲେ, ହେଲେ ଟଙ୍କା ଡିଲ୍ ପାଇଁ ତାଙ୍କୁ ଦଳ ଧୋକା ଦେଇଥିବା ସେ ଅଭିଯୋଗ କରିଥିଲେ । ପରେ ବିଜେପିରେ ସାମିଲ ହେବା ସହ ଦଳୀୟ ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଲଢୁଛନ୍ତି କୁଲେସିକା ।

ଗମାଙ୍ଗ ଖୋଲିଲେ ଗୁମର !
ଟଙ୍କା ନେଇ କଂଗ୍ରେସ ଟିକେଟ୍ ଦିଆଯାଉଥିବା ନେଇ ଅଭିଯୋଗ ଆଣିଥିଲେ ଶିଶିର ଗମାଙ୍ଗ । ତାଙ୍କ ପରିବାରରୁ କାହାକୁ ବି କଂଗ୍ରେସ ଟିକେଟ୍ ନଦେବା ପରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ ଶିଶିର । କଂଗ୍ରେସ ନିଜ ପ୍ରାର୍ଥୀ ତାଲିକାରେ ଗେମ୍ ଖେଳିଥିବା ସେ ଅଭିଯୋଗ କରିଥିଲେ । ନବରଙ୍ଗପୁର ଲୋକସଭାରୁ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଥିଲେ ଶିଶିର ଗମାଙ୍ଗ । ତେବେ ତାଙ୍କ ପୂରା ପରିବାରରୁ କାହାକୁ ଟିକେଟ୍ ନମିଳିବା ପରେ କଂଗ୍ରେସରେ ଭିତିରିଆ ଡିଲ୍ ଚାଲିଥିବା ଅଭିଯୋଗ କରିଥିଲେ ।

ଟିକେଟ୍ ପାଇଁ ଟଙ୍କା ଡିଲ୍ !
କେବଳ ଶିଶିର ଗମାଙ୍ଗ ନୁହେଁ ଟଙ୍କା ନେଇ କଂଗ୍ରେସ ଟିକେଟ୍ ଡିଲ୍ ନେଇ ଅନେକ ଅଭିଯୋଗ ଆସିଛି । ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଆଶାୟୀ ଶରତ ଚନ୍ଦ୍ର ବୁରୁଦା ଆଣିଥିଲେ ବଡ ଅଭିଯୋଗ । ତାଙ୍କୁ ପାର୍ଟି ଟିକେଟ ବଦଳରେ ୪୦ଲକ୍ଷ ଟଙ୍କା ମାଗିଥିବା କହିଥିଲେ ଶରତ । ତେବେ ସେ ଟଙ୍କା ନଦେବାରୁ ତାଙ୍କ ଟିକେଟ୍ କଟାଯାଇଥିବା ସେ କହିଥିଲେ । ଚିତ୍ରକୋଣ୍ଡା ବିଧାନସଭାରେ କଂଗ୍ରେସରୁ ମଙ୍ଗୁ ଖିଲ ପ୍ରାର୍ଥୀ ହୋଇଛନ୍ତି । ଟିକେଟ୍ ନମିଳିବାର ଅସନ୍ତୋଷ ନା ସତରେ ଟିକେଟ୍ ପାଇଁ ଚାଲିଛି ଡିଲ୍? ଚବିଶ ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Leave A Reply

Your email address will not be published.