Latest Odisha News

Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ରହିଛି କି ଓଡ଼ିଶା ଲିଙ୍କ୍‌? ଖୁବଶୀଘ୍ର ଓଡ଼ିଶା ଆସିବ NIA ଟିମ୍

ଭୁବନେଶ୍ୱର: ଦିଲ୍ଲୀରେ ବିସ୍ଫୋରଣ ଘଟଣାରେ ରହିଛି ଓଡ଼ିଶା ଲିଙ୍କ୍। ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି। ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି। ମୁଜାମିଲର ହ୍ୱାଟ୍ସଆପରେ ଯାଞ୍ଚ ବେଳେ ଓଡ଼ିଶାର କିଛି ନମ୍ବର ସହ ମେସେଜ୍‌ରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା ।

ତେବେ ଓଡ଼ିଶାର କେଉଁମାନେ ମୁଜାମିଲ୍‌ର ସମ୍ପର୍କରେ ଥିଲେ ଓ କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ, ଏହାର ଖୋଳତାଡ଼ କରିବ ଏନ୍‌ଆଇଏ । ମିଳିଥିବା ତଥ୍ୟରୁ ଏନ୍‌ଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି । ବିଶେଷକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସଷ୍ଟି ହୋଇଛି । ଏ ସଂପର୍କରେ ଅଧିକ ତନାଘନା ପାଇଁ ଖୁବ୍‌ଶୀଘ୍ର ଏନ୍‌ଆଇଏର ଏକ ଟିମ୍‌ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି ।

ସୂଚନା ଥାଉକି ସୋମବାର ଦିନ ଆତଙ୍କୀ ଡାକ୍ତର ଉମର ଉଲ୍ ନବୀ ଘଟାଇଥିଲା ବିସ୍ଫୋରଣ । ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିଲା ଉମର। ଡିଏନ୍‌ଏ ଟେଷ୍ଟରୁ ସାମ୍ନାକୁ ଆସିଲା ପୂରା ସତ। ବିସ୍ଫୋରଣ ସ୍ଥଳରୁ ମିଳିଥିଲା ହାଡ଼, ଦାନ୍ତର ନମୁନାରୁ ଯେଉଁ ଡିଏନ୍‌ଏ ସଂଗ୍ରହ କରାଯାଇଥିଲା ତାହା ଉମରର ପରିବାର ସହ ଶତ ପ୍ରତିଶତ ମେଳ ଖାଉଥିବା ଫରେନସିକ୍ ଯାଞ୍ଚରେ ସ୍ପଷ୍ଟ ହୋଇଛି। ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିପାରିଛନ୍ତି ଯେ, ୧୧ ଦିନ ପୂର୍ବରୁ ଡାକ୍ତର ଉମର ଧଳା ହୁଣ୍ଡାଇ ଆଇ-୨୦ କାର କିଣିଥିଲା ଏବଂ ବିସ୍ଫୋରଣ ସମୟରେ କାରରେ ଥିଲା। ସେ ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କୀ ମଡ୍ୟୁଲର ସଦସ୍ୟ ମଧ୍ୟ ଥିଲା।

Comments are closed.