Latest Odisha News

ଆଳୁ ବଦନାମି…ପଛରେ କାହାର ଷଡଯନ୍ତ୍ର?

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ନିତିଦିନିଆ ପରିବା ଭାବେ ବ୍ୟବହାର ହେଉଥିବା ଆଳୁ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସଂକଟ ଦିନେ କି ଦୁଇ ଦିନ ନୁହେଁ ସପ୍ତାହ ସପ୍ତାହ ଧରି କଣ୍ଟ୍ରୋଲକୁ ଆସୁନି ଆଳୁ ଦର । ନା ବାହାର ରାଜ୍ୟରୁ ଯଥେଷ୍ଟ ଆଳୁ ଆସୁଛି ନା ଆଳୁ ଦର କମୁଛି । ଯୋଗାଣ ମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ଦର କମିବା କଥା କହୁଥିଲେ ବି ସେଇ ଚଢା ଦରରେ ହିଁ ଆଳୁ କିଣୁଛନ୍ତି ଖାଉଟି । ଆଳୁ ପାଇଁ ଏକପ୍ରକାର ବଦନାମ ହେଲେଣି ନୂଆ ସରକାର । ଦରବୃଦ୍ଧି ଛାଟ ସିଧାସଳଖ ହାଣ୍ଡିଶାଳ ଉପରେ ପଡିଥିବାରୁ ଅସନ୍ତୋଷ ବି ବଢିଲାଣି । ତେବେ ପ୍ରଶ୍ନ ଉଠୁଛି, ଆଳୁ ସଂକଟ ପଛରେ ରହିଛି କି ରାଜନୀତି? କାହିଁକି ମନ୍ତ୍ରୀ କହିଲେ, ଭାଇ ଭଉଣୀଙ୍କୁ ଆଳୁ ଦେବାକୁ ମନା କରିଥିବେ? ମନ୍ତ୍ରୀଙ୍କ କଥା ପଛରେ ରହିଛି କି ବଡ ରାଜନୈତିକ ଷଡ଼ଯନ୍ତ୍ରର ଇସାରା?

କାହିଁକି ମାନୁନାହାନ୍ତି ଦିଦି ?

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସରକାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ସହ ମମତାଙ୍କ ସଂପର୍କ କଥା ସମସ୍ତେ ଜାଣିଛନ୍ତି । ପୂର୍ବରୁ ରାଜ୍ୟରେ ବିଜେଡି ସରକାର ଥିବା ବେଳେ ପଶ୍ଚିମବଙ୍ଗରୁ ଆଳୁ ଆସିବାରେ ଅସୁବିଧା ନଥିଲା । ରାଜନୈତିକ ସଂପର୍କ ବାଦ୍ ନବୀନଙ୍କର ମମତାଙ୍କ ସହ ସଂପର୍କ ବି ଭଲ ରହିଥିଲା । ଫଳରେ ଓଡିଶାର ଆଳୁ ଚାହିଦା ମେଣ୍ଟାଉଥିଲା ପଶ୍ଚିମବଙ୍ଗ । ବର୍ଷ ବର୍ଷ ଧରି ଏୟା ହିଁ ଚାଲିଥିଲା । ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ସମସ୍ୟା ଦେଖାଦେଇଛି । ବିଜେପି ସରକାରକୁ ସହଯୋଗ କରିବାକୁ ଚାହୁଁନାହାନ୍ତି ମମତା। ପଶ୍ଚିମବଙ୍ଗରେ ବିଜେପି ସହ ଟିଏମସିର କାଣ୍ଟେ କି ଟକ୍କର ହେଉଥିବା ବେଳେ ଓଡିଶା ଉପରେ ଦିଦି ରାଜନୈତିକ ରାଗ ଶୁଝାଉଥିବା ଚର୍ଚ୍ଚା ହେଉଛି ।

ଆଳୁ ସଂକଟ ପଛରେ ଭାଇ ଭଉଣୀ !

ପଶ୍ଚିମବଙ୍ଗ ଆଳୁ ଦେଉନଥିବା ପ୍ରସଙ୍ଗରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ଯୋଗାଣ ମନ୍ତ୍ରୀ । ଭାଇ ଭଉଣୀଙ୍କୁ ଆଳୁ ଦେବାକୁ ମନା କରିଦେଇଥିବେ ବୋଲି କହିଛନ୍ତି । ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବି ଜୋରଦାର ଚର୍ଚ୍ଚା ହେଲାଣି । ନିର୍ବାଚନରେ ପରାଜୟ ପରେ ବିଜେପି ଧୀରେ ଧୀରେ ବିଜେଡି ଭାଙ୍ଗିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ମମତା ମହନ୍ତ ଏପିସୋଡ୍ ପରେ ରାଜ୍ୟରେ ଅପରେସନ୍ ଲୋଟସ ନେଇ ବି ଚର୍ଚ୍ଚା ହେଉଛି । ଦିନେ ବିଜେଡିର ବନ୍ଧୁ ରହିଥିବା ବିଜେପି ଏବେ ଦଳ ପାଇଁ ସବୁଠୁ ବଡ ଶତ୍ରୁ ସାଜିଛି। ତେଣୁ ରାଜ୍ୟରେ ମୋହନ ସରକାରଙ୍କୁ ବଦନାମ କରିବାକୁ ମମତାଙ୍କ ସହ ନବୀନ ମିଶି ଷଡଯନ୍ତ୍ର କରି ଥାଇପାରନ୍ତି ବୋଲି ବି ଆକଳନ କରାଯାଉଛି । ଆଳୁ ପାଇଁ ନବୀନ ମମତାଙ୍କୁ ଚିଠି ଲେଖିଥିଲେ ବି ପଛରେ ରାଜନୈତିକ ଫାଇଦା ପାଇଁ ଯେ ବଡ ଗୋଟି ନଚଳାଇଥିବେ ସେକଥା କହିହେବନି । କାରଣ ଦରଦାମ୍ ବୃଦ୍ଧିକୁ ନେଇ ପୂର୍ବରୁ ଅନେକ ସରକାର ଗଡିଛି, ବିଶ୍ବାସ ହରାଇଛନ୍ତି ଜନତା।

ଏବେ ଆସିବ…କେବେ ଆସିବ ଆଳୁ ?

ସପ୍ତାହ ସପ୍ତାହ ଧରି ରାଜ୍ୟରେ ଲାଗିରହିଛି ଆଳୁ ସଂକଟ । ଆକାଶଛୁଆଁ ଦର ଖାଉଟିଙ୍କ ପକେଟକୁ ବାଧୁଛି । ଶୀଘ୍ର ସମସ୍ୟାର ସମାଧାନ କଥା କହୁଛନ୍ତି ଯୋଗାଣ ମନ୍ତ୍ରୀ । ହେଲେ କେବେ? ସେକଥା ଖାଉଟି ଜାଣିପାରୁନାହାନ୍ତି । ମନ୍ତ୍ରୀ ଆଳୁ ରେଟ୍ ଯାହା କହିଲେ ବି କିଲୋ ପିଛା ୫୦ ଟଙ୍କା ଉପରକୁ ଗଲାଣି ଦର । କେତେବେଳେ ଉତ୍ତରପ୍ରଦେଶରୁ ତ କେତେବେଳେ ପଞ୍ଜାବରୁ ଆଳୁ ଆଣିବା କଥା କହୁଛନ୍ତି ଯୋଗାଣମନ୍ତ୍ରୀ । ହେଲେ ଲୋକଙ୍କ ସମସ୍ୟା ଯେଉଁଠିକୁ ସେଇଠି । ୟୁପି ଆଳୁର ଗ୍ରହଣୀୟତା ରହୁନି । ପଶ୍ଚିମବଙ୍ଗରୁ ଆଳୁ ଆସୁନି । ଅଧିକ ଦରରେ ବେପାରୀ ଆଳୁ ବିକ୍ରି କଲେ ବି ନା ରାଜ୍ୟସରକାର ଚଢଉ କରୁଛନ୍ତି ନା କଳାବଜାରୀ ରୋକୁଛନ୍ତି । ଲାଗୁଛି, ରାଜ୍ୟରେ ଆଳୁ ସଂକଟ ଆଗରେ ଯେମିତି ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ବିଜେପି ସରକାରକୁ ଆସିବାକୁ ଦୁଇ ମାସ ପୂରିବ । ହେଲେ ରାଜ୍ୟରେ ଆଳୁ ପରିଚାଳନାକୁ ନେଇ ଏକପ୍ରକାର ବଦନାମ ହେଲେଣି ନୂଆ ସରକାର । ପଶ୍ଚିମବଙ୍ଗରୁ ଆଳୁ ଆସିବାରେ ରାଜନୈତିକ ହିସାବ କଣ୍ଟା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିଆଁରେ ନବୀନ ଘିଅ ଢାଳି ଥାଇପାରନ୍ତି ବୋଲି କୁହାଯାଉଛି । ତେବେ ବିଜେପି ସରକାରଙ୍କୁ ଦରଦାମ୍ ବୃଦ୍ଧିକୁ ନେଇ ଅଧିକ ସମ୍ବେଦନଶୀଳ ହେବାକୁ ପଡିବ । ନହେଲେ ଯେଉଁ ଜନତା ୨୪ବର୍ଷର ବିଜେଡି ସରକାର ଜାଗାରେ ବିଜେପିକୁ ବାଛିଛନ୍ତି, ସେମାନେ ମୁହଁ ମୋଡିବାକୁ ପଛାଇବେନି ।

Comments are closed.