ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ନେତୃତ୍ବ ସଂକଟ । ରାଜନୀତିର ସମ୍ବେଦନଶୀଳ ମୋଡରେ ଢାକା ରାଜନୀତି । ଚାରିଆଡୁ ଘେରି ହୋଇଗଲେଣି ଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ବାଂଲାଦେଶ ରାଜଧାନୀ ଢାକାରେ ବିରୋଧୀ ଦଳ, ଶ୍ରମିକ ସଂଗଠନ ପ୍ରମୁଖ ନିଜ ନିଜ ଦାବି ନେଇ ପ୍ରଦର୍ଶନ କରୁଛନ୍ତି । ବିଏନପି ସମେତ ବିଭିନ୍ନ ରାଜନୈତିକ ଦଳ ଅନ୍ତରୀଣ ସରକାରକୁ ନିର୍ବାଚନ ତାରିଖ ଘୋଷଣା କରିବାକୁ ଚାପ ପକାଉଛନ୍ତି । ଏହା ମଧ୍ୟରେ ସେନା ମୁଖ୍ୟ ଜେନେରାଲ ବକାର ଉଜ୍ ଜମାଙ୍କ ଚେତାବନୀ ପରେ ଇସ୍ତଫା ଦେବାକୁ ବିଚାର କରୁଛନ୍ତି ୟୁନୁସ । ତେବେ ପ୍ଲାନ୍-ବି ବି ପ୍ରସ୍ତୁତ କରୁଛନ୍ତି । ବିନା ନିର୍ବାଚନରେ କ୍ଷମତାରେ ରହିବାକୁ ୟୁନୁସ ଏବେ ଆନ୍ଦୋଳନରେ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପ୍ଲାନ୍ କରୁଥିବା କୁହାଯାଉଛି ।
ବାଂଲାଦେଶରେ କାହିଁକି ବିବାଦ?
ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ନିର୍ବାଚନ କରିବାକୁ ମହମ୍ମଦ ୟୁନୁସଙ୍କୁ କହିଛନ୍ତି ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ବକାର ଉଜ୍ ଜମା । ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଅନ୍ତରୀଣ ସରକାରର କାମ ନୀତିଗତ ନିର୍ଣ୍ଣୟ ନେବା ନୁହେଁ ବରଂ କେବଳ ନିର୍ବାଚନ କରାଇବା ବୋଲି ସେ କହିଥିଲେ । ସେନା ମାମଲାରେ ହସ୍ତକ୍ଷେପ, ଆଭ୍ୟନ୍ତରୀଣ ସୁରକ୍ଷାରେ ଏକପାଖିଆ ନିଷ୍ପତି ଓ ବିଦେଶୀ ଶକ୍ତିର ଚାପକୁ ବରଦାସ୍ତ କରାଯିବନି ବୋଲି ଜେନେରାଲ ବକାର ସ୍ପଷ୍ଟ କରିଥିଲେ । ସେନା ମୁଖ୍ୟଙ୍କ ଏଭଳି ବୟାନକୁ ୟୁନୁସଙ୍କ କ୍ଷମତାକୁ ଖୋଲା ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି । ବିନା ନିର୍ବାଚନରେ କ୍ଷମତାରେ ରହିବାକୁ ଯୋଜନା କରୁଥିଲେ ୟୁନୁସ । ତେବେ ସେନା ମୁଖ୍ୟଙ୍କ ବୟାନ ପରେ ସେ ଇସ୍ତଫା ଦେବାକୁ ବିଚାର କରୁଥିବା ନେଇ ଭାବନାତ୍ମକ କାର୍ଡ ଖେଳିଥିବା ବିଶେଷଜ୍ଞ କହିଛନ୍ତି ।
ସଡ଼କରେ ଶକ୍ତି ପ୍ରଦର୍ଶନ ପ୍ଲାନ୍
ୟୁନୁସଙ୍କ ସମର୍ଥକ ଢାକାର ଶାହବାଗରେ ମାର୍ଚ୍ଚ ଫର୍ ୟୁନୁସ ନାଁରେ ବିଶାଳ ଜନସଭାର ଆୟୋଜନ କରିଛନ୍ତି । ୟୁନୁସଙ୍କ ସମର୍ଥକ ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କୁ କ୍ଷମତାରେ ରଖିବା ନେଇ ନାରା ଲଗାଉଛନ୍ତି । ୫ବର୍ଷ ପର୍ଯ୍ୟନ୍ତ ୟୁନୁସଙ୍କୁ କ୍ଷମତାରେ ରଖିବାକୁ ଦାବି କରୁଛନ୍ତି । ଢାକାର ଶାହବାଗ ଐତିହାସିକ ବିରୋଧସ୍ଥଳ ରହିଛି । ୧୯୭୧ର ଯୁଦ୍ଧ ଅପରାଧୀଙ୍କ ବିରୋଧରେ ଏହା ଥିଲା ଜନକ୍ରାନ୍ତିର କେନ୍ଦ୍ର । ଏବେ ଏହାକୁ ଜମାତ-ଏ-ଇସଲାମୀ ଓ ହିଫାଜତ-ଏ-ଇସଲାମ ପରି କଟ୍ଟରପନ୍ଥୀ ସଂଗଠନ ୟୁନୁସଙ୍କୁ ସମର୍ଥନର ମଞ୍ଚ କରିଛନ୍ତି । ୟୁନୁସଙ୍କ ଚେହେରାକୁ ବ୍ୟବହାର କରି ବାଂଲାଦେଶକୁ ଇସଲାମୀୟ ଦେଶରେ ପରିବର୍ତ୍ତନ କରିବାକୁ ଉଦ୍ୟମ ହେଉଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି ।
ନୂଆ କିମ ଜଙ୍ଗ ଉନ୍ ହେବାକୁ ପ୍ଲାନ୍ !
ୟୁନୁସ ବାଂଲାଦେଶରେ କ୍ଷମତାରେ ତ ରହିବାକୁ ଚାହୁଁଛନ୍ତି, ତେବେ ଜନତାଙ୍କ ଅଦାଲତକୁ ଯିବାକୁ ଚାହୁଁନାହାନ୍ତି । ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ପରି ସେ ବିନା ନିର୍ବାଚନ ଜିତି କ୍ଷମତା ଭୋଗ କରିବାକୁ ଚାହୁଁଥିବା ତାଙ୍କ ସମାଲୋଚନାକାରୀ କହିଛନ୍ତି । ସେପଟେ ୟୁନୁସଙ୍କୁ ବିନା ବିରୋଧରେ କ୍ଷମତାରେ ରହିବାକୁ ଦିଆଗଲେ ହିଁ ବାଂଲାଦେଶକୁ ସିଙ୍ଗାପୁରରେ ପରିଣତ କରିହେବ ବୋଲି ତାଙ୍କ ସମର୍ଥକ କହୁଛନ୍ତି । ଗତବର୍ଷ ଜୁଲାଇରେ ଛାତ୍ର ଆନ୍ଦୋଳନ ବିରାଟ ରୂପ ନେଇଥିଲା । ଫଳରେ ୨୦୨୪ ଅଗଷ୍ଟରେ ଶେଖ ହସିନା ସରକାରଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାର ତିନିଦିନ ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା କରାଯାଇଥିଲା । ନିକଟରେ ଅନ୍ତରୀଣ ସରକାର ଶେଖ୍ ହାସିନାଙ୍କ ଆଓ୍ବାମୀ ଲିଗକୁ ବ୍ୟାନ କରିବା ସହ ଦଳର ନେତାଙ୍କୁ ଗିରଫ କରିଥିଲେ । ଦେଶର ଅନ୍ୟ ପ୍ରମୁଖ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଶୀଘ୍ର ନିର୍ବାଚନ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛି ।
Comments are closed.