ଇସଲାମବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନ ଦ୍ୱାରା କରାଯାଉଥିବା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଉପଯୁକ୍ତ ଜବାବ ଦେଉଛି ଭାରତୀୟ ସେନା । ସଦ୍ୟତମ ସୂଚନା ଅନୁଯାୟୀ, ଭାରତ, ପାକିସ୍ତାନର ରାଜଧାନୀ ଇସଲାମବାଦରେ ମିସାଇଲ ଆଟାକ କରିଛି । ଯେଉଁ ସ୍ଥାନରେ ଏହି ଆଟାକ ହୋଇଛି ତାହା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଘରଠାରୁ ମାତ୍ର 20 କିଲୋମିଟର ଦୂର ହୋଇଥିବା ଖବର ଆସିଛି ।
ପୂର୍ବରୁ, ଏକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ, ଭାରତ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମେତ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଥିଲା । ଭାରତୀୟ ସେନା ପାକିସ୍ତାନର ହାଇ-ଟେକ୍ ଲଢ଼ୁଆ ବିମାନ F-16 ଏବଂ JF 17କୁ ଗୁଳି କରି ଖସାଇ ଦେଇଛି । ଭାରତ ଲାହୋରରେ ଅବସ୍ଥିତ ପାକିସ୍ତାନର AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ)କୁ ଧ୍ୱଂସ କରିଦେଇଛି । ଏହା ବ୍ୟତୀତ ଭାରତ ପାକିସ୍ତାନର ଫୈସଲାବାଦ, ସରଗୋଧା, ମୁଲତାନ ଏବଂ ସିଆଲକୋଟ ସହରରେ ମଧ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି ।
ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନରେ ପାକିସ୍ତାନର କାପୁରୁଷୋଚିତ ଆକ୍ରମଣ ପରେ ଭାରତ ଉଚିତ ଜବାବ ଦେଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ । ବୈଠକ ପରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତ ନିଜକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ପାକିସ୍ତାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଧ୍ୟମରେ ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା । ଏହି ଆକ୍ରମଣଗୁଡ଼ିକ ଜମ୍ମୁ ଏବଂ କଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟରେ କରାଯାଇଥିଲା । ତଥାପି, ଭାରତ ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପଣ୍ଡ କରିଦେଇଛି ।
ଗୁରୁବାର ରାତିରେ ଜମ୍ମୁ-କଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ସୀମାନ୍ତ ଅଞ୍ଚଳକୁ ଟାର୍ଗେଟ କରି ପାକିସ୍ତାନର ବିମାନ ଆକ୍ରମଣକୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସଫଳତାର ସହ ପଣ୍ଡ କରିଦେଇଛି । ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଆକ୍ରମଣ ଚେଷ୍ଟା କରାଯିବା ଯୋଗୁଁ, ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ବ୍ଲାକଆଉଟ୍ କରାଗଲା ଏବଂ ସାଇରନ୍ ବାଜିବା ଆରମ୍ଭ ହୋଇଗଲା ।
Comments are closed.