Latest Odisha News

BREAKING NEWS

ୱେଷ୍ଟ ବ୍ୟାଙ୍କ ଉପରେ ଇସ୍ରାଏଲର ନଜର

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୱେଷ୍ଟ ବ୍ୟାଙ୍କ ଅଞ୍ଚଳକୁ ନେଇ ଇସ୍ରାଏଲ ସରକାର ଏକ ବଡ଼ ଚାଲ୍ ଚଳାଇଛନ୍ତି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ୱେଷ୍ଟ ବ୍ୟାଙ୍କର ଏକ ବଡ଼ ଅଂଶକୁ ନିଜର ବୋଲି ଦାବି କରିବା ପାଇଁ ଇସ୍ରାଏଲ ସରକାର ଏକ ନୂଆ ବିଲ୍ ଆଣିଛନ୍ତି ।

ଇସ୍ରାଏଲ ସରକାରଙ୍କ ଏହି ନୂଆ ବିଲ୍ ପାଲେଷ୍ଟାଇନ୍ ଅଞ୍ଚଳକୁ ନିଜ ଦଖଲକୁ ନେବାର ଏକ ବଡ଼ ପ୍ରୟାସ ବୋଲି କୁହାଯାଉଛି । ଇସ୍ରାଏଲର ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍ ଏବଂ ରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜଙ୍କ ଦ୍ୱାରା ଆଗତ ଏହି ବିଲ୍ ଅନୁଯାୟୀ, ୱେଷ୍ଟ ବ୍ୟାଙ୍କରେ ଜମି ମାଲିକାନା ପ୍ରକ୍ରିୟା ପୁଣି ଥରେ ଯାଞ୍ଚ କରାଯିବ।

୧୯୬୭ ମସିହା ପରଠାରୁ ବନ୍ଦ ଥିବା ଏହି ପ୍ରକ୍ରିୟା ପୁଣି ଆରମ୍ଭ ହେବା ପରେ, ସେଠାରେ ରହୁଥିବା ଲୋକଙ୍କୁ ନିଜ ଜମିର କାଗଜପତ୍ର ଦେଖାଇବାକୁ ପଡ଼ିବ। ଯଦି କୌଣସି ପାଲେଷ୍ଟାଇନ ନାଗରିକ ନିଜର ମାଲିକାନା ସାବ୍ୟସ୍ତ କରିବାରେ ବିଫଳ ହୁଅନ୍ତି, ତେବେ ସେହି ଜମିକୁ ଇସ୍ରାଏଲ ସରକାର ‘ସରକାରୀ ସମ୍ପତ୍ତି’ ବୋଲି ଘୋଷଣା କରିବେ।

ଏହି ନୂଆ ନିୟମ ଦ୍ୱାରା ହଜାର ହଜାର ପାଲେଷ୍ଟାଇନ ନାଗରିକ ନିଜ ଭିଟାମାଟିରୁ ବେଦଖଲ ହେବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ‘ଏରିଆ-ସି’ (Area C) ଉପରେ ଇସ୍ରାଏଲର ନଜର ରହିଛି, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନାର ନିୟନ୍ତ୍ରଣରେ ଅଛି।

ଇସ୍ରାଏଲର ଏହି ପଦକ୍ଷେପକୁ ନେଇ ମିଶର (Egypt) ଏବଂ କତାର (Qatar) କଡ଼ା ନିନ୍ଦା କରିଛନ୍ତି। ଏହା ଆନ୍ତର୍ଜାତୀୟ ନିୟମର ଖୋଲାଖୋଲି ଉଲ୍ଲଂଘନ ବୋଲି ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେପଟେ ବିଶ୍ୱ ସମୁଦାୟ ଏହାକୁ ଇସ୍ରାଏଲର ଏକ ‘ଜବରଦଖଲ’ ରୂପେ ଦେଖୁଛନ୍ତି।

ଏହି ବିଲ୍ ଆଗାମୀ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ଜଟିଳ କରିବ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ଆନ୍ତର୍ଜାତୀୟ ଚାପ ଇସ୍ରାଏଲକୁ ରୋକିବାରେ ସଫଳ ହେଉଛି କି ନାହିଁ, ତାହା ଆଗାମୀ ଦିନରେ ଜଣା ପଡ଼ିବ।

Leave A Reply

Your email address will not be published.