Latest Odisha News

BREAKING NEWS

ପରିବର୍ତ୍ତିତ ଜଳବାୟୁ ଉପରେ ରଖାଯିବ ନଜର: ଫେବ୍ରୁଆରୀରେ INSAT-3DS ଉପଗ୍ରହ ଲଞ୍ଚ କରିବ ଇସ୍ରୋ

ନୂଆଦିଲ୍ଲୀ: ଖୁବଶୀଘ୍ର ମହାକାଶକୁ ପ୍ରେରଣ ହେବ INSAT-3DS ଉପଗ୍ରହ । ଜିଓସିଙ୍କ୍ରୋନସ୍ ଲଞ୍ଚ ଭେଇକିଲ ବା GSLV-F14 ପରି ଅତ୍ୟାଧୁନିକ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ । ଆସନ୍ତା ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରେ ଉତକ୍ଷେପଣ ନେଇ ଯୋଜନା କରୁଛି ଇସ୍ରୋ । ଏନେଇ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୪ର ପ୍ରଥମ ସପ୍ତାହରେ ଇସ୍ରୋକୁ ଗୋଟିଏ ମିଶନରେ ସଫଳତା ମିଳିଛି । ବର୍ତ୍ତମାନ ଦ୍ୱିତୀୟ ମିଶନ ପାଇଁ ପ୍ରସ୍ତୁତି ଚାଲିଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସ୍ରୋ ଅଧିକାରୀ କହିଛନ୍ତି, ପ୍ରଥମ ଉପଗ୍ରହ ଜାନୁଆରୀରେ ଉତକ୍ଷେପଣ କରାଯିବାର ଥିଲା ମାତ୍ର ଏହାକୁ ଫେବ୍ରୁଆରୀରେ ଲଞ୍ଚ କରାଯିବ । ଉପଗ୍ରହ ଉତକ୍ଷେପଣ ଯାନ ସହିତ ସଂଲଗ୍ନ କରାଯାଉଛି ତେଣୁ ଏଯାଏ ଉତକ୍ଷେପଣର ତାରିଖ ସ୍ଥିର କରାଯାଇନାହିଁ ।

ଦେଶର ବିଭିନ୍ନ ସ୍ଥାନରେ ପାଗ ବଦଳିବାରେ ଲାଗିଛି । କେତେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ପୁଣି କେତେକ ସ୍ଥାନରେ ମରୁଡ଼ି ହେବାର ପୂର୍ବାନୁମାନ କରାଯାଇଛି। ବଙ୍ଗୋପସାଗର ଏବଂ ଆରବ ସାଗରରେ ମଧ୍ୟ ଅନେକ ଥର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ସମସ୍ୟା ରୂପେ ଉଭା ହୋଇଛି । ଏପରି ସ୍ଥିତିରେ, ପରିବର୍ତ୍ତନଶୀଳ ପାଣିପାଗ ଉପରେ ନଜର ରଖିବା ପାଇଁ ଏହି ଉପଗ୍ରହ ପ୍ରେରଣ କରାଯିବ ।

ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପରିବର୍ତ୍ତନଶୀଳ ପାଗ ଉପରେ ନଜର ରଖିବା ପାଇଁ ମହାକାଶକୁ ‘ଜଳବାୟୁ ଅବଜରଭେଟୋରୀ ସାଟେଲାଇଟ୍’ ପଠାଇବାକୁ ଚାହୁଁଛି। INSAT-3DS ମିଶନରେ ପାଗ ଉପରେ ନଜର ରଖିବା ପାଇଁ ଉପଗ୍ରହ ପ୍ରେରଣ କରାଯିବ । ଜଳବାୟୁ ପରିବର୍ତ୍ତନ ନେଇ ସୂଚନା ଦେବାପାଇଁ ଇସ୍ରୋ ଏବଂ ଆଇଏମଡି ମଧ୍ୟରେ ସହଯୋଗର ଏକ ଅଂଶ ଭାବରେ ଏହି ମିଶନ୍ ଆରମ୍ଭ କରାଯାଇଛି । ପୃଥିବୀର ପରିବର୍ତ୍ତିତ ଜଳବାୟୁ ଉପରେ ନଜର ରଖିବା ପାଇଁ INSAT-3D ଏବଂ INSAT-3DR ପୂର୍ବରୁ ମହାକାଶରେ ରହିଛି।

ପ୍ରାୟ ଆଠ ମାସ ମଧ୍ୟରେ ଏହା GSLV ର ପ୍ରଥମ ଲଞ୍ଚ ହେବ । ଏହି ରକେଟର ସର୍ବାଧିକ କ୍ଷମତା ଅଛି ଏବଂ ସମସ୍ତ ତିନୋଟି ପର୍ଯ୍ୟାୟରେ ‘କ୍ରାୟୋଜେନିକ୍ ଲିକ୍ୱିଡ୍ ପ୍ରୋପେଲାଣ୍ଟସ୍’ ବ୍ୟବହାର କରିଥାଏ । ଏହି ତରଳ ଇନ୍ଧନ ବ୍ୟବହାର କରିବା ଟିକେ ଜଟିଳ, କିନ୍ତୁ ଏହା ଅଧିକ ଲିଫ୍ଟ-ଅଫ୍ ଶକ୍ତି ଦେଇଥାଏ ।

Leave A Reply

Your email address will not be published.