ବେଙ୍ଗାଲୁର : କମ ବଜେଟ ଥିଲେ ବି ଲକ୍ଷ୍ୟ ହାସଲ କରିହେବ । ଭାରତ ଏହା ପ୍ରମାଣ କରି ଦେଇଛି । ଅଗଷ୍ଟ ୨୩ ତାରିଖରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସଫଳତାର ସହ ଅବତରଣ କରାଇ ପାରିଛି । ଏହି ସଫଳ ଅବତରଣ ପ୍ରମାଣିତ କରି ଦେଇଛି, ଲକ୍ଷ୍ୟ ଯଦି ଦୃଢ ହେବ ତେବେ ସଫଳତା ଆପେ ଆପେ ହାତମୁଠାରେ ପହଞ୍ଚିଯିବ । କମ ବଜେଟରେ ସଫଳତା- ଚନ୍ଦ୍ରଯାନ-୩ ଏହାର ଜ୍ୱଳନ୍ତ ଉଦାହରଣ । ଚନ୍ଦ୍ରଯାନ-୩ରେ ବଜେଟ ଚନ୍ଦ୍ରଯାନ-୨ଠାରୁ ବି ଥିଲା କମ । ଚନ୍ଦ୍ରଯାନ-୩ର ବଜେଟ ୬୦୦ କୋଟି ଥିବାବେଳେ ଚନ୍ଦ୍ରଯାନ-୨ ବଜେଟ ଥିଲା ପାଖାପାଖି ୯୦୦ କୋଟି ।
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ରୁଷ ମଧ୍ୟ ଦକ୍ଷିଣ ମେରୁରେ ଅବତରଣ ପାଇଁ ପଠାଇଥିଲା ଲୁନା-୨୫ । ଯଦି ଲୁନା ୨୫ ସଫଳ ହୋଇଥାନ୍ତା ତେବେ ରୁଷ ହୋଇଥାନ୍ତ ପ୍ରଥମ ଦେଶ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ପାଦ ରଖିଥାନ୍ତା । ହେଲେ ଦୁର୍ଭାଗ୍ୟ, ଏହା ବିଫଳ ହୋଇଥିଲା । ତେବେ ଲୁନା ୨୫ ପାଇଁ ରୁଷ ଖର୍ଚ୍ଚ କରିଥିଲା ୧୬ ଶହ କୋଟି ।
ଚନ୍ଦ୍ରଯାନ-୨ରେ ଯେତିକି ଖର୍ଚ୍ଚ ହେଉଛି, ଗୋଟିଏ ମେଗା ଫିଲ୍ମରେ ବି ଏହାଠାରୁ ଅଧିକ ଖର୍ଚ୍ଚ ହେଉଛି । କମ ବଜେଟ ଉପରେ ଇସ୍ରୋ ନିର୍ଦ୍ଦେଶକ ଏସ ସୋମନାଥଙ୍କୁ ପଚାରିବାରୁ ସେ କହିଥିଲେ, ଏହା ଏକ ରହସ୍ୟ । ଏହାର ଉତ୍ତର ଖୋଜିବାକୁ ଆମେ ଚେଷ୍ଟା କରିବୁ । ତେବେ ସ୍ୱଦେଶୀକରଣ, କୁଶଳ କାର୍ଯ୍ୟଦକ୍ଷତା ଏବଂ ଶସ୍ତା ଶ୍ରମଶକ୍ତି ଦ୍ୱାରା ଏହା ସମ୍ଭବ ହେଲା ବୋଲି ସେ କହିଛନ୍ତି ।
ସୋମନାଥ କହିଛନ୍ତି, ରକେଟ ନିର୍ମାଣରେ ସ୍ୱଦେଶୀକରଣ ଉପରେ ବେଶି ଗୁରୁତ୍ୱ ଦିଆ ଯାଇଥିଲା । ନାସା ପ୍ରସଙ୍ଗ ଉଠାଇ ସେ କହିଥିଲେ, ନାସ ବଡ ବଡ ଘରୋଇ ଉଦ୍ୟୋଗକୁ ରକେଟ ନିର୍ମାଣ ପାଇଁ ଦାୟିତ୍ୱ ଦେଉଛି । ପରେ ଏହାକୁ କିଣିବା ପାଇଁ ଅଧିକ ଅର୍ଥ ଦେବାକୁ ପଡୁଛି । କିନ୍ତୁ ଭାରତରେ ଅଧିକ ଜିନିଷ ନିଜେ ତିଆରି କରିବାକୁ ପଡିଥାଏ । କମ ଖର୍ଚ୍ଚର ଏହା ମଧ୍ୟ ଏକ କାରଣ ବୋଲି ସେ କହିଥିଲେ । ସେହିପରି ବିକଶିତ ଦେଶ ତୁଳନାରେ ଭାରତରେ ମ୍ୟାନପାୱାର ଉପରେ ହେଉଥିବା ଖର୍ଚ୍ଚ ୧୦ ଭାଗରୁ ଭାଗେ ।
ଅନ୍ୟ ଜଣେ ବୈଜ୍ଞାନିକ କହିଛନ୍ତି, ପରୀକ୍ଷା ସମୟରେ ଆମେ ସମସ୍ତ ସଂଶାଧନର ସର୍ବଶ୍ରେଷ୍ଠ ଉପଯୋଗ କରିଥାଉ । ୟୁରୋପରେ ଏକ ଇଞ୍ଜିନ ପାସ କରିବାକୁ ହେଲେ ଏହାକୁ ୮ଥର ପରୀକ୍ଷା କରାଯାଇଥାଏ । ହେଲେ ଆମେ ୨ ଥର ପରୀକ୍ଷାରେ ଛାଡିଥାଉ । ଅତିବେଶି ଆବଶ୍ୟକ ହେଲେ ତୃତୀୟ ଥର ପାଇଁ ଟେଷ୍ଟ କରିଥାଉ । ଏହି କାରଣରୁ ହାର୍ଡ ଓୟାର ଖର୍ଚ୍ଚ କମ ହୋଇଥାଏ ।
Comments are closed.