Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠରେ କେମିତି ଚାଲିଲା ରୋଭର ପ୍ରଜ୍ଞାନ, ଇସ୍ରୋ ଜାରି କଲା ନୁଆ ଭିଡିଓ

ବେଙ୍ଗାଲୁରୁ: ଗୁରୁବାର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଏକ ଭିଡିଓ ଜାରି କରିଛି ଇସ୍ରୋ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଭିଡିଓ ଜାରି କରିଛି ଇସ୍ରୋ । ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ ରୋଭର ଆଗକୁ ବଢୁଥିବା ଭିଡିଓରେ ଦେଖାଦେଇଛି । ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡି କରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମ ଠାରୁ ଅଲଗା ହୋଇ ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇଥିବାର ନଜର ଆସିଛି ।

ଏହି ଭିଡିଓକୁ ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଉତ୍ତୋଳନ କରିଥିବା କୁହାଯାଇଛି । ଏହି ଭିଡିଓ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରର ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଲ୍ୟାଣ୍ଡରରୁ ରୋଭର ଅଲଗା ହେବା ସମୟରେ ଗତି କମ ରହିଥିବା ଦେଖାଯାଇଛି । ଇସ୍ରୋ ଏ ସମ୍ବନ୍ଧରେ ‘X’ରେ ପାଖାପାଖି ୨ ମିନିଟ୍‌ ୧୫ ସେକେଣ୍ଡ୍‌ର ଏକ ଭିଡିଓ ଜାରି କରି ଟ୍ଵିଟ୍‌ କରିଛି। ଟ୍ଵିଟ୍‌ରେ ଲେଖିଛି, ‘ଏହିପରି ଭାବେ ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠକୁ ଛୁଇଁଛି।

ଇସ୍ରୋ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଦେଖାଯାଉଛି, ଲ୍ୟାଣ୍ଡରର ସିଡିରୁ ପ୍ରଜ୍ଞାନ ତଳକୁ ଓହ୍ଲାଉଛି। ଏହାର ସୋଲାର ଏନର୍ଜି ପ୍ୟାନେଲ ଖୋଲୁଛି ଏବଂ ରୋଭର୍‌ ଆକ୍ଟିଭ ହୋଇ ପୃଷ୍ଠଭୂମିରେ ଚାଲିବାକୁ ଲାଗୁଛି । ଏ ସବୁ ଲ୍ୟାଣ୍ଡରର କ୍ୟାମେରାରେ ରେକର୍ଡ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଯେଉଁଠାରେ ଓହ୍ଲାଯାଇଛି, ସେହି ଜାଗାରେ ଆଗାମୀ ୧୨ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଆଲୋକ ରହିବ। ପୃଷ୍ଠଭୂମି ଉପରେ ଦେଖାଯାଉଥିବା ପ୍ରଜ୍ଞାନର ଛାଇ ଏହି ଆଲୋକ କାରଣରୁ ସୃଷ୍ଟି ହୋଇଛି। ଭାରତ ରୋଭରରେ କେତେକ ଯନ୍ତ୍ର ପଠାଇଛି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ପ୍ରଜ୍ଞାନ ନିଜ ସହିତ ନେଇଯାଇଥିବା ପେଲୋଡ୍ APXS – Alpha Particle X-Ray Spectrometer ଜରିଆରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ ଏବଂ ସେଠାରେ ଥିବା ଖଣିଜ ପଦାର୍ଥ ଯାଞ୍ଚ କରିବ। ପ୍ରାୟ ୧୪ ଦିନ ପରେ ଉଭୟ ପ୍ରଜ୍ଞାନ ଓ ବିକ୍ରମର ବ୍ୟାଟେରୀ ସରିଯିବ ଏବଂ ଉଭୟ ନିଷ୍କ୍ରିୟ ହୋଇଯିବେ।

କହିରଖୁଛୁ କି, ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସମୟର ଭିଡିଓ ଗୁରୁବାର ଇସ୍ରୋ ପକ୍ଷରୁ ଜାରି କରାଯାଇଥିଲା । ଲ୍ୟାଣ୍ଡିଂ ସମୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ଇମେଜର କ୍ୟାମେରାରେ ରେକର୍ଡ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା ।

 

Leave A Reply

Your email address will not be published.