ଭୁବନେଶ୍ୱର: ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମନୁଷ୍ୟ କେଉଁଠି ବନ୍ୟା କରେ ନାହିଁ । ଏହା ପଛରେ କାରଣ ଦୀର୍ଘ ଦିନର ଅବହେଳା, ଏକଥା ବି ବୁଝିବା ଦରକାର । ରିଲିଫ, ଉଦ୍ଧାର, ପୁନଃରୁଦ୍ଧାର ସରକାର ତତ୍ପରତାର ସହ କରିଛନ୍ତି । ୭୨ ଘଣ୍ଟାରେ ୨ଶହରୁ ଅଧିକ ରାସ୍ତା ମରାମତି ହୋଇଛି ବୋଲି କହିଛନ୍ତି ପୃଥ୍ବୀରାଜ ।
ସୂଚନାଯୋଗ୍ୟ, ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଗଞ୍ଜାମ ବନ୍ୟା ପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି କରିଥିଲେ । ଏହା ସହ ଗଞ୍ଜାମ ଜିଲ୍ଲାରେ ବନ୍ୟା ମନୁଷ୍ୟକୃତ ବୋଲି ନବୀନ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, IMD ପକ୍ଷରୁ ଅକ୍ଟୋବର ୨୩ରୁ ବାତ୍ୟା ସତର୍କ ସୂଚନା ମିଳିଥିଲେ ମଧ୍ୟ ଡ୍ୟାମ୍ ଜଳ ଆଗୁଆ ଛଡ଼ାଯାଇ ନଥିଲା । ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ଅଧିକ ଭୟଙ୍କର ହୋଇଥିଲା । ଗେଟ୍ ଖୋଲିବା ଆଗରୁ ଲୋକଙ୍କୁ ପର୍ଯ୍ୟାପ୍ତ ସତର୍କ ସୂଚନା ଦିଆଯାଇ ନଥିଲା । ଉଦ୍ଧାର ଓ ରିଲିଫ୍ କାମରେ ବିଳମ୍ବ ହେବାରୁ ଲୋକେ ଦିନ ଦିନ ଧରି ଖାଦ୍ୟ-ପାଣି ବିନା ଫସି ରହିଥିଲେ । ସରପଞ୍ଚ ଓ ମିଶନ ଶକ୍ତିକୁ ଅଣଦେଖା କରାଯିବାରୁ କମ୍ୟୁନିଟି ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ ।
ସରକାର ଅତୀତରେ ସଫଳ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ଅଧ୍ୟୟନ କରିବା ଦରକାର । ଏହା ସହ ଏହି ବିପର୍ଯ୍ୟୟରେ ହୋଇଥିବା ଅବହେଳା ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି । ଲୋକଙ୍କ ଦାବି ପୂରଣ ନହେଲେ ବିଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
