Latest Odisha News

BREAKING NEWS

ଈସୁଦାନ ଗଡ଼ବି ‘ଆପ୍’ର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମଦାବାଦ: ଆମ ଆଦମୀ ପାର୍ଟି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଈସୁଦାନ ଗଡ଼ବିଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୯ରେ କେଜ୍ରିୱାଲ୍ ସୁରଟରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ପଚାରିଥିଲେ କାହାକୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ।

ଗୁଜରାଟରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପଟ୍ଟିଦାର ନେତା ଗୋପାଳ ଇଟାଲିଆ, ଅଲ୍ପେଶ କଥେରିୟାଙ୍କ ସହ ଇନ୍ଦ୍ରନିଲ ରାଜ୍ୟ ଗୁରୁ, ମନୋଜ ସୁରଥିଆଙ୍କ ନାଁ ଚର୍ଚ୍ଚା ହେଉଥିଲା । କେଜ୍ରିୱାଲ୍ ଜନତାଙ୍କୁ ମାଗିଥିବା ରାୟ ଅନୁସାରେ, ପୂର୍ବତନ ସାମ୍ବାଦିକ ଈସୁଦାନ ଗଡ଼ବିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି ।

ଈସୁଦାନ ଗଡ଼ବି ଏବେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ଅଛନ୍ତି । ଈସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ଲାଗି ଗୁଜରାଟର ୧୬ ଲକ୍ଷ ୪୮ ହଜାର ୫୦୦ ଜନତା ରାୟ ଦେଇଥିବା କେଜ୍ରିୱାଲ୍ କହିଛନ୍ତି । ଗୁଜରାଟ ପରିବର୍ତ୍ତନ ଆଡ଼କୁ ବଢ଼ୁଥିବା କହିଛନ୍ତି କେଜ୍ରିୱାଲ୍ ।

ଗୁଜରାଟରେ ଦୁଇଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ଡିସେମ୍ବର ୧ରେ ଭୋଟ୍ ଗ୍ରହଣ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ଡିସେମ୍ବର ୫ରେ ହେବ ମତଦାନ । ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହ ଗୁଜରାଟ ନିର୍ବାଚନ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।

Leave A Reply

Your email address will not be published.