Latest Odisha News

BREAKING NEWS

‘ରାହୁଲ’ ଦଣ୍ଡ ଭୋଗିଲେ ସଫଳ, ଦଣ୍ଡ କମିଲେ ବିଫଳ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ଘଟଣା କେଉଁ ମୋଡ଼ ନେବ। ଆଇନଗତ ଲଢେଇ ପାଇଁ କଂଗ୍ରେସ ନିଷ୍ପତ୍ତି ନେବା ସହ ସେ ଦିଗରେ ଆଗେଇଛି। କିନ୍ତୁ ଏହା କଂଗ୍ରେସ ପାଇଁ ଲାଭଦାୟୀ ହେବ ନା ପୁଣି ସ୍ଥିତିକୁ ସାଧାରଣ କରିଦେବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି।

ରାହୁଲଙ୍କୁ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ସହ ତୁରନ୍ତ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ଦେଶ ବିଦେଶରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଏବେ ଯାଏ ମଧ୍ୟ ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ରାହୁଲ ପ୍ରସଙ୍ଗ ରହି ଆସିଛି। ଏହି ଘଟଣା ରାହୁଲଙ୍କୁ ରାତାରାତି ହିରୋ କରିଦେବା ସହ ଲୋକଙ୍କ ସମର୍ଥନର ସୁଅ ଛୁଟିଥିବା କୁହାଯାଏ।

ଯାହାକି କଂଗ୍ରେସକୁ ଅତ୍ୟନ୍ତ ଲାଭଦାୟୀ ହୋଇଥିବା ଚର୍ଚ୍ଚା ହେଉଛି। ୨୦୧୯ ମସିହାର ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମାମଲାର ରାୟ ପ୍ରକାଶ ପାଇବା ପରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି।

ଯଦି କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ନ ଲଗାନ୍ତି, ତେବେ ରାହୁଲଙ୍କ ସଂସଦୀୟ କ୍ଷେତ୍ର ଓ୍ବାୟନାଡରେ ଉପନିର୍ବାଚନ ନେଇ ବିଜ୍ଞପ୍ତି ଜାରି ହୋଇପାରେ। ଉପନିର୍ବାଚନ ହେଲେ ମଧ୍ୟ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ ।

ତେଣୁ ସେସନ କୋର୍ଟଙ୍କ ନିଷ୍ପତ୍ତି ଉପରେ ରାହୁଲଙ୍କ ରାଜନୈତିକ ଭାଗ୍ୟ ନିର୍ଭର କରୁଛି ବୋଲି କୁହାଯାଉଛି। କିନ୍ତୁ ଅପରପକ୍ଷରେ ରାହୁଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ କଂଗ୍ରେସକୁ ରାଜନୈତିକ କ୍ଷେତ୍ରରେ ବହୁ ଲାଭ ମିଳିଛି। ଯଦି ରାହୁଲଙ୍କ ଅପିଲ ପରେ ତାଙ୍କ ଦଣ୍ଡାଦେଶରେ ରୋକ ଲାଗେ କିମ୍ବା କୋହଲ ହୁଏ ତାହେଲେ ଏବେ ଯେଉଁଭଳି ଜନ ସମର୍ଥନ ମିଳୁଛି ବୋଧହୁଏ ସେଭଳି ଆଉ ମିଳି ନ ପାରେ ବୋଲି କୁହାଯାଉଛି।

ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ବିଜେପି ପ୍ରତି ଲୋକଙ୍କର ଯେଉଁ ବିରୋଧ ଭାଵ ସୃଷ୍ଟି ହୋଇଛି ଏବଂ କଂଗ୍ରେସ ପ୍ରତି ରାତାରାତି ଯେଉଁ ସମର୍ଥନ ଜନ୍ମ ନେଇଛି ସେଥିରେ ଭଟ୍ଟା ପଡିପାରେ ବୋଲି କୁହାଯାଉଛି।

ବରଂ କୋର୍ଟଙ୍କ ଦଣ୍ଡାଦେଶ ଅନୁଯାୟୀ ଯଦି ରାହୁଲ ଜେଲ ଯାଆନ୍ତି ଓ ନିର୍ବାଚନ ଲଢ଼ି ନ ପାରନ୍ତି ତାହେଲେ ଦଳକୁ ବହୁ ଅଧିକ ସଫଳତା ମିଳନ୍ତା ବୋଲି ଆଲୋଚନା ହେଉଛି। କିନ୍ତୁ ରାହୁଲଙ୍କ ଲିଗାଲ ଟିମ, ବରିଷ୍ଠ ନେତୃବୃନ୍ଦ କଣ ଯୋଜନା କରିଛନ୍ତି, କିଭଳି ଢଙ୍ଗରେ ସୁଯୋଗର ସଦୁପଯୋଗ କରି ଦଳକୁ ଲାଭ ଦେଉଛନ୍ତି ତା ଉପରେ ରାଜନୈତିକ ମହଲର ନଜର ରହିଛି।

Comments are closed.