ଭୁବନେଶ୍ବର: ଝାରସୁଗୁଡାରେ ବିଜେଡି- ବିଜେପି ବଳ କଷାକଷି ! ପ୍ରଥମେ ସ୍ବର୍ଗତଃ ନବ ଦାସଙ୍କ ପୁଅ ଅଟକ, ଏବେ ନବଙ୍କ ଭାଇ ବ୍ରଜ ଦାସଙ୍କ ଘରେ ରେଡ୍ । ଦୁଇ ବର୍ଷ ପରେ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ନେଇ ଜୋର ଧରିଲାଣି ରାଜନୀତି । ନବଙ୍କ ପରିବାର ମାମଲାର ସିବିଆଉ ତଦନ୍ତ ନେଇ ଦାବି କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସିବିଆଇ ତଦନ୍ତକୁ ନେଇ ସେବେଠୁ ସବୁ ଦଳ ପକ୍ଷରୁ ବୟାନବାଜି ଜାରି ରହିଛି । ତେବେ ଗତ କିଛି ଦିନ ହେଲା କାହିଁକି ଘଟଣାବହୁଳ ହୋଇଛି ଝାରସୁଗୁଡା? ଜିଲ୍ଲାରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କି ପ୍ରତିପତିର ଲଢେଇ?
ନବ ଦାସଙ୍କ ଭାଇଙ୍କ ଘରେ ରେଡ୍
ପୂର୍ବତନ ମନ୍ତ୍ରୀ ତଥା ଦିବଂଗତ ବିଜେଡି ନେତା ନବ ଦାସଙ୍କ ଭାଇଙ୍କ ଘରେ ପଶିଛି ଆୟକର ବିଭାଗ । ସୁପରକ୍ଲାସ କଣ୍ଟ୍ରାକ୍ଟର ବ୍ରଜକିଶୋର ଦାସଙ୍କ ଘରେ ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ ରେଡ୍ କରିଛି । ଝାରସୁଗୁଡା, ବଲାଙ୍ଗୀର, ବରଗଡ, ଭୁବନେଶ୍ବର ସମେତ ରାଜ୍ୟର ୪୪ଟି ସ୍ଥାନରେ ଆୟକର ବିଭାଗର ଏକକାଳୀନ ଚଢାଉ କରାଯାଉଛି । ବ୍ରଜକିଶୋର ଦାସଙ୍କର କନଷ୍ଟ୍ରକ୍ସନ୍ ଫାର୍ମ, ଟ୍ରାନସ୍ପୋର୍ଟ କମ୍ପାନୀ ସହ ଖଣି ଓ ପଥର କ୍ବେରୀ ରହିଛି । ରେଡର କାରଣ ସ୍ପଷ୍ଟ ହୋଇନଥିଲେ ବି ପୂର୍ବରୁ ବ୍ରଜ ଦାସ ଆୟକର ସ୍କାନରରେ ରହିଥିଲେ । ୨୦୧୭ରେ ତାଙ୍କ ଘର ଓ ଅଫିସରେ ରେଡ୍ କରାଯାଇଥିଲା ।
ପୁଅ ବିଶାଳ ଦାସ ହୋଇଥିଲେ ଅଟକ
କିର୍ମିରା ଅନାସ୍ଥା ଭୋଟ ପୂର୍ବରୁ ଛତିଶଗଡରେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଥିଲା । ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଶାଲଙ୍କୁ ଛତିଶଗଡ଼ର ବିଜେପି ସରକାରଙ୍କ ସହାୟତାରେ ବେଆଇନ ଭାବେ ୧୨ଘଣ୍ଟା ଧରି ଅଟକ ରଖାଯାଇଥିବା ପୂର୍ବତନ ବିଧାୟିକା ଦୀପାଳି ଦାସ ଅଭିଯୋଗ କରିଥିଲେ । କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ପଦ ବଞ୍ଚାଇବାକୁ ଶାସକ ବିଜେପି କୁତ୍ସିତ ରାଜନୀତି କରିଥିବା ବିଜେଡି କହିଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ ପରେ ବିଶାଳ ଦାସ ମୁକୁଳିଥିଲେ । ତେବେ ଏହାକୁ ନେଇ ବିଜେପିକୁ ସିଧା ଟାର୍ଗେଟ୍ କରିଥିଲେ ଦୀପାଳି ।
ସିବିଆଇ ତଦନ୍ତ ବଢିଲା ରାଜନୀତି
ନବ ଦାସଙ୍କ ହତ୍ୟାକୁ ୨ବର୍ଷ ପୂରିବାକୁ ଯାଉଥିବା ବେଳେ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ନବଙ୍କ ପରିବାର । ଏହାକୁ ନେଇ ଜୋରଦାର ହୋଇଛି ରାଜନୈତିକ ବୟାନବାଜି । ନବଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିବା ପରେ ଏନେଇ ଲିଖିତ ଭାବେ ଦେଲେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି, ବିରୋଧୀ ଦଳରେ ଥିବା ବେଳେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି ଏବେ ସରକାରରେ ରହିଥିଲେ ବି ନିଷ୍ପତ୍ତି ନେବାକୁ ଲିଖିତ ଆବେଦନ କାହିଁକି ଚାହୁଁଛି? ହତ୍ୟା ସମୟରେ ନବ ଦାସ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିଲେ । ତେଣୁ ତାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ପରିବାର କାହିଁକି ଲେଖିକି ଦେବେ? ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ନବ ଦାସଙ୍କ ହତ୍ୟା ପଛରେ ଜଣେ ଆଇଏଏସ ଓ ଆଇପିଏସ ଅଫିସରଙ୍କ ହାତ ଥିବା କହୁଛନ୍ତି । ତେବେ ତାଙ୍କ ସରକାର କାହିଁକି ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ସାମନାକୁ ଆଣୁନାହାନ୍ତି? ଆଇନ ମନ୍ତ୍ରୀଙ୍କ ବୟାନ ବିଜେପି ସରକାରଙ୍କ ଇଚ୍ଛାଶକ୍ତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
କାହିଁକି ଝାରସୁଗୁଡାକୁ ନେଇ କଳି?
ଖଣିଜ ସଂପଦରେ ଭରପୁର ଝାରସୁଗୁଡା ଜିଲ୍ଲାରେ ଦିବଂଗତ ବିଜେଡି ନେତା ନବ ଦାସଙ୍କର ପ୍ରବଳ ପ୍ରଭାବ ରହିଥିଲା । ପୂରା ଜିଲ୍ଲାରେ ଏକପ୍ରକାର ସାମ୍ରାଜ୍ୟ ବିସ୍ତାର କରିଥିଲେ ନବ । ତାଙ୍କ ମୃତ୍ୟୁ ପରେ ବି ନବଙ୍କ ପରିବାରର ପୂରା ଅଞ୍ଚଳରେ ଦବଦବା ରହିଛି । ଗତ ବିଧାନସଭା ନିର୍ବାଚନ ହାରିଥିଲେ ବି ଦୀପାଳି ଦାସ ଏବେବି ନବଙ୍କ ଉତ୍ତରାଧିକାରୀ ଭାବେ ଝାରସୁଗୁଡାରେ ସକ୍ରିୟ ରହିଛନ୍ତି । ରାଜନୈତିକ ହେଉ କି ବ୍ୟବସାୟିକ, ଝାରସୁଗୁଡାରେ ନବଙ୍କ ପରିବାର ଏକଚାଟିଆ ଭାବେ ପ୍ରଭାବଶାଳୀ ରହିଛି । ଝାରସୁଗୁଡା ବିଜେପି ଜିତିଥିଲେ ବି ଏହା ନବଙ୍କ ପରିବାର ଦଖଲରେ ରହିଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି । ତେଣୁ ଝାରସୁଗୁଡାର କଣ୍ଟ୍ରୋଲ ହାତକୁ ନେବା ପାଇଁ ବିଜେପି ନବଙ୍କ ପରିବାରକୁ ଲଗାତର ଟାର୍ଗେଟ୍ କରୁଥିବା କୁହାଯାଉଛି । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେଡିର ଗଡ଼ କବଜା କରିବାକୁ ରଣନୀତି କରୁଥିବା ବିଜେପି, ଝାରସୁଗୁଡାରେ ନିଜ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି । ଆଉ ସେଥିପାଇଁ ନବଙ୍କ ପରିବାର ସହ ବିଜେପି ମୁହାଁମୁହିଁ ହେଉଥିବା କୁହାଯାଉଛି ।
Comments are closed.