Latest Odisha News

BREAKING NEWS

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ନୂଆଦିଲ୍ଲୀ- ପୁଣି ଥରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଆହୁରି ୧୦ ଦିନ ବୃଦ୍ଧି କରି ଏହାର ଶେଷ ତାରିଖ ଜାନୁଆରି ୧୦ ରଖା ଯାଇଛି । ଆଗରୁ ଏହା ଡିସେମ୍ବର ୩୧ ତାରିଖ ଥିଲା । ଆଗରୁ କେନ୍ଦ୍ର ସରକାର ଦୁଇ ଥର ଆଇଟି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଥିଲେ ।

ସେହିପରି ଅଡିଟ ଯୁକ୍ତ ଆଇଟି ରିଟର୍ଣ୍ଣ ଦାଖଲ ସମୟ ଫେବ୍ରୁଆରି ୧୫ ତାରିଖ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାରଙ୍କ ଆୟକର ବିଭାଗ । ‘ବିବାଦ ସେ ବିଶ୍ୱାସ’ କ୍ଷେତ୍ରରେ ଆୟକର ଦାଖଲର ସମୟ ସୀମା ଜାନୁଆରି ୩୧ ଯାଏ ବୃଦ୍ଧି କରାଯାଇଛି । ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ରିଟର୍ଣ୍ଣ ତାରିଖକୁ କେନ୍ଦ୍ର ସରକାର ଫେବ୍ରୁଆରି ୧୫ ତାରିଖ ଯାଏ ବୃଦ୍ଧି କରିଥିବା ବେଳେ ସେଣ୍ଟ୍ରାଲ ଜିଏସ୍‌ଟି ରିଟର୍ଣ୍ଣର ଦାଖଲ ସମୟ ସୀମାକୁ ଫେବ୍ରୁଆରି ୨୮ ତାରିଖ ଯାଏ ବୃଦ୍ଧି କରାଯାଇଛି ।

କରୋନା ପରିସ୍ଥିତିକୁ ଦେଖି ଆଇଟି ରିଟର୍ଣ୍ଣର ସମୟ ସୀମା ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା । କରୋନା ପାଇଁ ଟିକସଦାତାମାନେ ଆଇଟି ରିଟର୍ଣ୍ଣରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଓ ଅଡିଟ ମଧ୍ୟ ହୋଇପାରିନଥିବା ଦର୍ଶାଇ ଡାଇରେକ୍‌ଟ ଟ୍ୟାକ୍‌ସ ପ୍ରଫେସ୍ନାଲ୍‌ସ ଆସୋସିଏସନ ମଧ୍ୟ ଏପରି ଦାବି କରିଥିଲା । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଆଇଟି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.