ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୫
ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ
ମନରୁ ସ୍ବଭାଷା ଘଉଡ଼ି
ଅନ୍ୟ କାମରେ ସଦା ବ୍ୟସ୍ତ
ପୋଡ଼ୁଛି ଭାଷାର ବନସ୍ତ
ତାଂକର ପିଲାଝିଲା ଦଳ
ଖେଳଂତୁ ଭାଷା ସହ ଖେଳ
କରଂତୁ ସ୍ବଇଚ୍ଛା ପ୍ରକାଶ
ଘଟାଂତୁ ଲିପିର ବିନ୍ୟାସ
କହିପାରଂତି ଯେତେ କଥା
ତାକୁ ଦିଅଂତୁ ଲିପି ସତ୍ତା
ବୁଝଂତୁ ନିଜର ଦକ୍ଷତା
ଭାଷା ପାଇବ ନିରାପତ୍ତା
କରଂତୁ ଭାଷା ନେଇ ମଜା
ନୂଆ ପ୍ରକାର ସାଜସଜ୍ଜା
ନ କଲେ ତାଂକୁ ନିୟଂତ୍ରଣ
ବଢ଼ିବ ଏ ଭାଷାର ମାନ
ଅଯଥା ନିଷେଧ ବାରଣ
କଲେ, ଆଗ୍ରହ ହୁଏ ନ୍ୟୂନ
ଆତ୍ମସଂଦେହ ଯାଏ ବଢ଼ି
ସ୍ବଭାଷା ରହେ ତଳେ ପଡ଼ି
କଲେ ଅଧିକ ବ୍ୟବହାର
ହେବ ସ୍ବଲିପି ପରିଷ୍କାର
ମୁରବି ମତ ଅନୁଯାୟୀ
କୌଣସି ଭାଷା ଚଳେନାହିଁ
ବୁଢ଼ା ଓ ପିଲା ମିଳିମିଶି
ମନର ବିଚାର ପ୍ରକାଶି
ଦିଅଂତୁ ଏ ଭାଷାକୁ ଶକ୍ତି
ତାହା ହିଁ ଶୁଦ୍ଧ ଅନୁରକ୍ତି
ଦ୍ବିଧା ହିଁ ଉପୁଜାଏ ବାଧା
କରେ ଅନେକ ଅସୁବିଧା
ସ୍ବଭାଷାସେବୀ ହେବା ପାଇଁ
ଅନୁମତି ତ ଲୋଡ଼ା ନାହିଁ
ବିଶ୍ବର ଅନ୍ୟଭାଷୀ ଗଣ
ଆମ ସମସ୍ୟା ସମାଧାନ
କରିବା ଅଟେ ଅସଂଭବ
ଏ ସତ୍ୟ କରୁଁ ଅନୁଭବ
ଆମେ ଏବେ କରିବା ଯାହା
ଆମର ଭାଷା ହେବ ତାହା
ଅଂଧାର କିଂବା ଆଲୋକିତ
ତାହା ହିଁ ଏବେ ଅନିଶ୍ଚିତ
ଅତୀତ ଯାହା ହୋଇଥାଉ
ଏବେ ତ ଏ ଭାଷାର ଭାଉ
ବୁଝଂତିନାହିଁ ଆମ ଲୋକ
ନିଅଂଟ ହେଲା ଭାଷାଲୋକ
Comments are closed.