Latest Odisha News

BREAKING NEWS

ଶିଶୁ କବିତା : ଟିକି ଚଢେଇ

ବନ୍ଦିତା ଦାଶ 

ଟିକି ଚଢେଇ,ଟିକି ଚଢେଇ
ଥଣ୍ଟରେ ନେଉ କିସ,
କେଉଁଠି ରହୁ,କେଉଁଠି ଖାଉ,
କେଉଁଠି ତୋ’ର ଦେଶ ?

ଆକାଶେ ଉଡୁ ମନଖୁସିରେ
କେବେ ବଗିଚାସାରା
ସାଙ୍ଗମେଳରେ ଥାଉ ପୁଣି ତୁ
କେବେ ଏକଲା ବାଆଁରା ।

ବରଷା ଆଗୁ ଘର କରୁତୁ
ଗଛଡାଳ ସନ୍ଧିରେ
କାଠି,କୁଟାକୁ ଗୋଟେଇଆଣି
ନିଜ କୁନି ଥଣ୍ଟରେ।

ଅଳସ କେବେ କରିନୁ ତୁହି
ଥକି ଯାଇନୁ କେବେ
ଠିକ୍ ସମୟେ କାମକୁ ସାରି
ହସୁଥାଉ ନୀରବେ ।

ଆମ ପିଲାଙ୍କୁ ଶିଖାଇ ଦେଏ
ସମୟ ସହ ଚଳ,
ଦେହରେ ଯାହା ଥାଉନା କାହିଁ
ମନରେ ଥାଉ ବଳ ।

ଏଇ ବିଶ୍ବାସେ ଚାଲେ ବ୍ରହ୍ମାଣ୍ଡ
ଚାଲେ ଆମରି ଧରା
ଚାଲରେ ଚାଲ ,ଆମରି ପିଲେ
ନୂଆ ବାରତା ପରା।

ମନରେ ମନ ମିଶେଇ ଦେଇ
ହାତରେ ହାତ ଧରି
ଟିକି ଚଢେଇ ପାରୁଚି କରି
ଆମେ କି ତାର ସରି !!

 କାଂଶବାହାଲ 

Comments are closed, but trackbacks and pingbacks are open.