ନୂଆଦିଲ୍ଲୀ: ତେଲ ସଙ୍କଟରେ ବିଶ୍ଵ
ଭାରତ ବନ୍ଦରରେ ଲାଗୁଛି ଜାହାଜ ପରେ ଜାହାଜ
ଭାରତୀୟ ପତାକା ଦେଖି ବାଟ ଖୋଲିଦେଉଛି ଇରାନ
ପଶ୍ଚିମ ଏସିଆରେ ଏବେ ନୂଆ ଜଳୁଥିବା ବେଳେ ହର୍ମୂଜ ପାର ହେଉଛି ଭାରତୀୟ ଜାହାଜ। ସୁରକ୍ଷିତ ଭାବେ ଭାରତୀୟ ବନ୍ଦରରେ ଲାଗୁଛି। ଦେଶରେ ଏଲପିଜି ଯୋଗାଣ ଅଭାବ ମଧ୍ୟରେ, ପୁଣି ପ୍ରାୟ ୮୦,୮୦୦ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ବୋଝେଇ କରି ଜଗ ଲାଡକି ନାମକ ଆଉ ଏକ ଭାରତୀୟ ପତାକାଯୁକ୍ତ ତେଲ ଟ୍ୟାଙ୍କର୍ ସଂଯୁକ୍ତ ଆରବ ଏମିରେଟ୍ସରୁ ଯାତ୍ରା ସମାପ୍ତ କରିବା ପରେ ବୁଧବାର ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ବନ୍ଦରର ତୈଳ ଟର୍ମିନାଲ ଆକ୍ରମଣର ଗୋଟିଏ ଦିନ ପରେ ରବିବାର ସକାଳେ ତେଲ ଟ୍ୟାଙ୍କର୍ ଫୁଜୈରା ବନ୍ଦରରୁ ବାହାରି ସିଧା ଭାରତ ଅଭିମୁଖେ ଯାତ୍ରା କରିଥିଲା।
ସରକାରୀ ଅଧିକାରୀମାନେ କହିଛନ୍ତି ଯେ ୧୪ ମାର୍ଚ୍ଚ, ୨୦୨୬ରେ ଆକ୍ରମଣ ସମୟରେ ତେଲ ଟ୍ୟାଙ୍କରଟି ଫୁଜାଇରାର ସିଙ୍ଗଲ୍ ପଏଣ୍ଟ ମୁରିଂରେ ଅଶୋଧିତ ତୈଳ ଲୋଡ୍ କରୁଥିଲା। “୧୪ ମାର୍ଚ୍ଚ, ୨୦୨୬ରେ, ଯେତେବେଳେ ଭାରତୀୟ ପତାକା ଜାହାଜ ଜଗ୍ ଲାଡକି ଫୁଜାଇରା ସିଙ୍ଗଲ୍ ପଏଣ୍ଟ ମୁରିଂରେ ଅଶୋଧିତ ତୈଳ ଲୋଡ୍ କରୁଥିଲା, ସେତେବେଳେ ଫୁଜାଇରା ତୈଳ ଟର୍ମିନାଲ ଉପରେ ଆକ୍ରମଣ ହୋଇଥିଲା। ଜାହାଜଟି ରବିବାର ସକାଳ ୧୦ଟା ୩୦ରେ ପ୍ରାୟ ୮୦,୮୦୦ ଟନ୍ ମୁର୍ବାନ୍ ଅଶୋଧିତ ତୈଳ ନେଇ ଫୁଜାଇରାରୁ ସୁରକ୍ଷିତ ଭାବରେ ଭାରତ ଅଭିମୁଖେ ଯାତ୍ରା କରିଥିଲା”। ଶିବାଲିକ୍ ଏବଂ ନନ୍ଦା ଦେବୀ ତେଲ ଟ୍ୟାଙ୍କର ପରେ, ଜଗ୍ ଲାଡକି ତୃତୀୟ ଭାରତୀୟ ଜାହାଜ ଯାହା ସଂଘର୍ଷ ପ୍ରଭାବିତ ଅଞ୍ଚଳରୁ ଅକ୍ଷତ ଭାବରେ ବାହାରି ଦେଶ ଛାତିରେ ଛିଡ଼ା ହୋଇଛି।
ତେବେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ତୈଳ ଜାହାଜଗୁଡ଼ିକ ଭାରତରେ ପହଞ୍ଚିଛି। ଇରାନ ୟୁଏଇରେ ବନ୍ଦର ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି ସମ୍ଭାବ୍ୟ ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲେ ମଧ୍ୟ ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ଜାହାଜ ପାଇଁ ନିରାପଦ ପଥ ପ୍ରଦାନ କରିଛି। ଅତି ସୁରକ୍ଷାର ସହିତ ଗୋଟିଏ ପରେ ଗୋଟିଏ ଭାରତୀୟ ଜାହାଜକୁ ହର୍ମୁଜ ପାର କରାଇଛି ଇରାନ। ଯେତେବେଳେ କି ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ସ୍ପଷ୍ଟ ଭାବେ କହିଛନ୍ତି ଯେ ଚାଲିଥିବା ସଂଘର୍ଷ ସମୟରେ ଆମେରିକା ଏବଂ ଇସ୍ରାଏଲୀ ଜାହାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ପ୍ରତିବନ୍ଧିତ ହେବ।
ଏହା ପୂର୍ବରୁ, ଦୁଇଟି ଭାରତୀୟ ପତାକାଧାରୀ ଏଲପିଜି ବାହକ, ଶିବାଲିକ୍ ଏବଂ ନନ୍ଦା ଦେବୀ, ହୋରମୁଜ୍ ପ୍ରଣାଳୀ ଦେଇ ମିଳିତ ଭାବରେ ୯୨,୭୧୨ ମେଟ୍ରିକ୍ ଟନ୍ ଏଲପିଜି ଆଣି ଭାରତରେ ପହଞ୍ଚାଇଥିଲେ। ଗୋଟିଏ ଜାହାଜ ସୋମବାର ମୁନ୍ଦ୍ରାରେ ପହଞ୍ଚିଥିଲା, ଯେତେବେଳେ ଅନ୍ୟଟି ଗୋଟିଏ ଦିନ ପରେ ଭାରତରେ ପହଞ୍ଚିଥିଲା। ଭାରତର ଦ୍ୱିତୀୟ ଏଲପିଜି ବାହକ ‘ନନ୍ଦା ଦେବୀ’ ମଙ୍ଗଳବାର ଦିନ ଗୁଜୁରାଟର ଭାଡିନାର ବନ୍ଦରରେ ସୁରକ୍ଷିତ ଭାବରେ ପହଞ୍ଚିଥିଲା। ପଶ୍ଚିମ ଏସିଆ ସଂଘର୍ଷ ମଧ୍ୟରେ ହୋରମୁଜ୍ ପ୍ରଣାଳୀରେ ନାଭିଗେଟ୍ କରିବା ପରେ ପ୍ରାୟ ୪୬,୫୦୦ ମେଟ୍ରିକ୍ ଟନ୍ ଗ୍ୟାସ୍ ବହନ କରିଥିଲା ଏହି ଜାହାଜ। ଯାହା ଦେଶରେ ତେଲ ଏବଂ ରନ୍ଧନ ଗ୍ୟାସ ସଂକଟ ମଧ୍ୟରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି।
ଭାରତ ଏହାର ପ୍ରାୟ ୮୮ ପ୍ରତିଶତ ଅଶୋଧିତ ତେଲ, ୫୦ ପ୍ରତିଶତ ପ୍ରାକୃତିକ ଗ୍ୟାସ ଏବଂ ୬୦ ପ୍ରତିଶତ ଏଲପିଜି ଆବଶ୍ୟକତା ଆମଦାନୀ କରେ। ଫେବୃଆରୀ ୨୮ ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ତେହେରାନର ପ୍ରତିଶୋଧ ପୂର୍ବରୁ, ଭାରତର ଅଧାରୁ ଅଧିକ ଅଶୋଧିତ ଆମଦାନୀ, ପ୍ରାୟ ୩୦ ପ୍ରତିଶତ ଗ୍ୟାସ ଏବଂ ୮୫-୯୦ ପ୍ରତିଶତ ଏଲପିଜି ଆମଦାନୀ ସାଉଦି ଆରବ ଏବଂ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସୁଥିଲା। ହେଲେ ଉତ୍ତେଜନା ବୃଦ୍ଧି ପରେ ଇରାନ ହର୍ମୁଜ ପ୍ରଣାଳୀ ସମସ୍ତ ଚଳାଚଳ ବନ୍ଦ୍ କରିବାକୁ ଘୋଷଣା କରିଥିଲା । ହେଲେ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରମ୍ଵାର ଆଲୋଚନା ପରେ ଭାରତୀୟ ପତାକା ଥିବା ଜାହାଜକୁ ଗ୍ରୀନ ସିଗ୍ନାଲ ଦେଇଛି ଇରାନ।