Latest Odisha News

BREAKING NEWS

କର୍ଣ୍ଣାଟକରେ ପୁଣି ବିଜେପିକୁ ଝଟକା: କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର:କର୍ଣ୍ଣାଟକରେ ପୁଣି ବିଜେପିକୁ ଝଟକା । ଦଳ ଛାଡିଲେ ପୁଣି ଜଣେ ବରିଷ୍ଠ ନେତା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜେପିର ଏହି ବରିଷ୍ଠ ନେତାଙ୍କୁ ଦଳ ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ବିଜେପିକୁ ଏହା ୨ୟ ବଡ ଝଟକା । ସେଟ୍ଟର ହେଉଛନ୍ତି ଦ୍ବିତୀୟ ବରିଷ୍ଠ ନେତା ଯିଏ ଦଳ ଛାଡିଛନ୍ତି ।

ଆସନ୍ତାମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଛି । ଏହି ତାଲିକାରେ ଜଗଦୀଶ ସେଟ୍ଟରଙ୍କ ନାଁ ନାହିଁ । ସେଟ୍ଟର ଜଣେ ବରିଷ୍ଠ ଲିଙ୍ଗାୟତ ନେତା । ସେ ତାଙ୍କ ବିଧାୟକ ପଦବୀରୁ ଇସ୍ତଫା ଦେବା ସହ ବିଜେପି ଛାଡି ଗତକାଲି କଂଗ୍ରେସର ହାତ ଧରିଛନ୍ତି । ଗତରାତିରେ ସେ ବେଙ୍ଗାଲୁରରେ ପହଞ୍ଚି କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି ।

କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂହ, ସୂର୍ଯେୱାଲା, ରାଜ୍ୟ ମୁଖ୍ୟ ଡିକେ ଶିବକୁମାର ଏବଂ ବରିଷ୍ଠ ନେତା ସିଦ୍ଧରମୈୟା ବେଙ୍ଗାଲୁରରେ ଆୟୋଜିତ ଏହି ମିଳନ ପର୍ବରେ ଉପସ୍ଥିତ ଥିଲେ ।

ଦଳ ଛାଡିବା ସମ୍ପର୍କରେ ସେଟ୍ଟର କହିଛନ୍ତି, ’ମୁଁ ଭାବିଥିଲି, ମୁଁ ଜଣେ ବରିଷ୍ଠ ନେତା । ଦଳ ମୋତେ ଟିକେଟ ଦେବ । ହେଲେ ଯେତେବେଳେ ମୁଁ ଜାଣିଲି ମୋତେ ଟିକେଟ ଦିଆଯାଇନି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏ ସମ୍ପର୍କରେ କେହି ଜଣେ ମୋ ସହ ଯୋଗାଯୋଗ କରି ନ ଥିଲେ କି ମୋତେ ବୁଝାଇ ନ ଥିଲେ ’ ବୋଲି କ୍ଷୋଭର ସହ କହିଥିଲେ ସେଟ୍ଟର ।

ସେ ଆହୁରି କହିଛନ୍ତି, ‘ଯେଉଁ ଦଳକୁ ମୁଁ ଗଢିଥିଲି ସେଥିରୁ ମୋତେ ଜବରଦସ୍ତ ଫିଙ୍ଗି ଦିଆଗଲା । ତେଣୁ ମୁଁ କଂଗ୍ରେସର ନୀତି ଓ ଆଦର୍ଶକୁ ଗ୍ରହଣ କରି ଏତିରେ ଯୋଗ ଦେଲି  ।’

ଅନ୍ୟପକ୍ଷେ ସେଟ୍ଟରଙ୍କୁ ଜଣେ ନିର୍ବିବାଦୀୟ ନେତା ବୋଲି କହିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ । ତାଙ୍କର ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିବ ।

ସୂଚନାଥାଉ କି, ଗତ ସପ୍ତାହରେ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତା ଲକ୍ଷ୍ମଣ ସାଭାଦି କଂଗ୍ରେସରେ ଯୋଗ ଦେଇଥିଲେ । ଲକ୍ଷ୍ମଣ ମଧ୍ୟ ଜଣେ ବରିଷ୍ଠ ଲିଙ୍ଗାୟତ  ନେତା ଏବଂ ୟେଦୁରପ୍ପାଙ୍କର ଅତି ବିଶ୍ୱସ୍ତ ଥିଲେ  ।

 

Leave A Reply

Your email address will not be published.