Latest Odisha News

BREAKING NEWS

ବିମାନ ବନ୍ଦରରେ ଡାକୋଟା ରହିଲେ ଦେଖିବ କିଏ ?

ପୁରୀ:  ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ୱର  ମୂକସାକ୍ଷୀ ଡାକୋଟା ବିମାନକୁ ନେଇ ପୁଣି ଉଠିିଛି ବିବାଦ । ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅନେକ ସ୍ମୃତି ଲୁଚି ରହିଥିବା ଏହି  ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ କାହିଁକି ରଖାଯାଇଛି ? ଏହାକୁ ସମସ୍ତେ ଦେଖିବା ଉଚିତ । ଧନୀ, ଗରିବ ସମସ୍ତଙ୍କ ଭାବାବେଗ ସହ ଏହା ଜଡିତ । ତେଣୁ ଏହାକୁ ବିମାନବନ୍ଦରରେ ନ ରଖି ପୁରୀ ଜଗନ୍ନାଥ ଧାମରେ ରଖିବାକୁ ଦାବି କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ।

ସେ କହିଛନ୍ତି,  କିଛିବର୍ଷ ପୂର୍ବେ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିକୁ ଭାଙ୍ଗି ଦିଆଯାଇଥିଲା। ସେ ତାଙ୍କର ଚିତାଭସ୍ମକୁ ସମ୍ମାନର ସହ ଆଣି ଅର୍ବାନ ହାଟ ପରିସରରେ ରଖିଛନ୍ତି। ଦୀପ ଜାଳୁଛନ୍ତି। ଜନ୍ମ ଜୟନ୍ତୀ ପାଳୁଛନ୍ତି ଆଉ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ହେଲେ ସରକାର ବିଜୁବାବୁଙ୍କ ପ୍ରତି ଯେତିକି ସମ୍ମାନ ଦେବା କଥା ଦେଉନାହାନ୍ତି। ଯଦି ବିଜୁବାବୁଙ୍କ ପ୍ରତି ସରକାରଙ୍କର ଏତେ ଭକ୍ତି ଭାବ ରହିଛି ତେବେ ପୁରୀରେ ବିଜୁବାବୁଙ୍କର ଏକ ସ୍ମୃତି ପୀଠ ନିର୍ମାଣ କରାଯାଇ ସେଠାରେ ଚିତ୍ତାଭସ୍ମ ସ୍ଥାପନ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଆଉ ଡାକୋଟା ବିମାନକୁ ବିମାନ ବନ୍ଦର ନୁହେଁ ବରଂ ଏହି ସ୍ମୃତି ପୀଠରେ ରଖାଯାଉ ବୋଲି ଦାବି କରିଛନ୍ତି ପ୍ରୀୟଦର୍ଶନ ପଟ୍ଟନାୟକ।

ସେ କହିଛନ୍ତି, ପୁରୀରେ ନୂଆ ସ୍ମୃତିପୀଠ ଓ ସଂଗ୍ରହାଳୟ ନିର୍ମାଣ ସହ ଡାକୋଟା ବିମାନ ପୁରୀରେ ସ୍ଥାପିତ ହେଲେ ପୁରୀକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତ, ପର୍ଯ୍ଯଟକ ବିଜୁବାବୁଙ୍କ ବୀରତ୍ୱର ଗାଥା ସମ୍ପର୍କରେ ଅବଗତ ହୋଇ ପାରିବେ। ଏଥିସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି ଅଭିଯୋଗ କରିଛନ୍ତି,   ଡାକୋଟା ବିମାନକୁ ଓଡିଶା ସୀମାରେ ଯେଭଳି ଭାବେ ସ୍ୱାଗତ କରିବା କଥା ସେଭଳି ସରକାର କରିନାହାନ୍ତି। ଏହି ଡାକୋଟା ବିମାନ ଫେରାଇ ଆଣିବା ନେଇ ପ୍ରଥମେ ୨୦୧୭ ଡିସେମ୍ବରରେ ଏୟାରପୋର୍ଟ ଅଥରିଟିକୁ ଚିଠି ଲେଖିଥିଲା ଜଗନ୍ନାଥ ସେନା। ଏୟାରପୋର୍ଟ ଅଥରିଟି ଏହି ଚିଠିକୁ ଅନୁସିଳନ କରିବା ପରେ ଡାକୋଟା ଫେରାଇନେବା ପାଇଁ ସହଯୋଗ କରିବେ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ।

ମାତ୍ର ଯେତେବେଳେ ଡାକୋଟା ବିମାନ ଓଡିଶା ଆସିଲା ସରକାର ଜଣାଇଲେ ନାହିଁ। ବିମାନବନ୍ଦରରେ ଡାକୋଟା ବିମାନ ରହିଲେ ଅନେକ ସମସ୍ଯା ରହିଛି। ଏଣୁ ଜଗନ୍ନାଥଙ୍କ ମାଟିରେ ଭୂମିପୁତ୍ରଙ୍କ ସ୍ମୃତିପିଠ ନିର୍ମାଣ ସହ ଡାକୋଟା ବିମାନ ସ୍ଥାପନ ହେଲେ ବିଜୁବାବୁଙ୍କ ଗୌରବମୟ ଇତିହାସ ସମସ୍ତେ ଜାଣିପାରିବେ ବୋଲି କହିଛନ୍ତି।

Comments are closed.