Latest Odisha News

BREAKING NEWS

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ୪ ସପ୍ତାହ ସୁଦ୍ଧା ସବୁ ପକ୍ଷ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କୀତ ୧୨ଟି ପ୍ରସଙ୍ଗରେ ସମସ୍ତ ପକ୍ଷ ସେମାନଙ୍କ ଜବାବ ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଅର୍ଜନ କୁମାର ସିକ୍ରି, ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ମୁକେଶକୁମାର ରସିଭାଇ ଶାହା ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଆମିକସ୍ କ୍ୟୁରି ଏହି ଖଣ୍ଡପୀଠରେ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି । ଅନ୍ୟ ଏକ ପକ୍ଷ ତରଫରୁ ସଂସ୍କାର ସମ୍ପର୍କରେ ଅନ୍ୟ ମତ ରଖିବାରୁ ପୁରୀ ଶ୍ରୀଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏକ ଦରଖାସ୍ତ ଖଣ୍ଡପୀଠକୁ ପ୍ରଦାନ କରିଛନ୍ତି ।

ଏହି ଖଣ୍ଡପୀଠ ତାଙ୍କର ଅନ୍ତିମ ଶୁଣାଣି ଆସନ୍ତା ଏପ୍ରିଲ ୨ ତାରିଖରେ ଅନୁଷ୍ଠିତ ହେବ ।

ପୁରୀ ଗସ୍ତରେ ଆସି ଆମିକସ୍ କ୍ୟୁରି ତାଙ୍କର ରିପୋର୍ଟ ଖଣ୍ଡପୀଠରେ ଦାଖଲ କରିଥିଲେ ମଧ୍ୟ ବିଚାରପତି ଜଷ୍ଟିସ ଅର୍ଜନ କୁମାର ସିକ୍ରି ଅନୁପସ୍ଥିତ ରହିଥିବାରୁ ଫେବୃଆରୀ ୨୭ ତାରିଖରେ ଚୂଡ଼ାନ୍ତ ଶୁଣାଣି ହୋଇପାରିନଥିଲା ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଫେବୃଆରୀ ୨୨ ଓ ୨୩ ତାରିଖ ଦିନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିଦର୍ଶନ କରିବା ସହିତ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ମହାରାଜା, ଜିଲ୍ଲା ଜଜ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ସହିତ ବୈଠକ ଆଲୋଚନା କରିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.