Latest Odisha News

BREAKING NEWS

ରାହୁଲଙ୍କ ଓଡିଶା ଗସ୍ତସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଓଡିଶା ଗସ୍ତରେ ଆସିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

କଂଗ୍ରେସ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାର୍ଚ୍ଚ ୮ ତାରିଖରେ କୋରାପୁଟ ଜିଲ୍ଲାର ଜୟପୁର ଓ ବରଗଡରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।

“ସଂଶୋଧିତ କାର୍ଯ୍ୟକ୍ରମ ଅନୁସାରେ ରାହୁଲ ମାର୍ଚ୍ଚ ୮ ତାରିଖରେ ଜୟପୁର ଗସ୍ତ କରିବେ । କାରଣ ରାହୁଲ ଯେଉଁ ବିମାନରେ ଯାତ୍ରା କରିବେ ତାହା ଜୟପୁର ବିମାନ ବନ୍ଦରରେ ଅବତରଣ କରିପାରିବ ନାହିଁ । ଏହା ବିଶାଖାପାଟଣା କିମ୍ବା ଜଗଦଲପୁରରେ ଅବତରଣ କରିପାରିବ । ଏହାମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନରେ ବିମାନ ଓହ୍ଲାଇବା ପରେ ସଡକ ମାର୍ଗରେ ରାହୁଲ ଜୟପୁର ଅଭିମୁଖେ ଗସ୍ତ କରିବେ” ବୋଲି ସେ ପ୍ରକାଶ କରିଛନ୍ତି ।

ପାର୍ଟି ସୁପ୍ରିମୋ ଜୟପୁରରେ ଆୟୋଜିତ ସାର୍ବଜୈନିକ ସଭାରେ ଚାଷୀ, ଯୁବକ, ଦଳିତ ବର୍ଗ ଓ ମହିଳାଙ୍କ ଉପରେ ଫୋକସ୍ କରିବେ” ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ରାହୁଲ ମାର୍ଚ୍ଚ ୧୩ ତାରିଖରେ ପୁଣିଥରେ ଓଡିଶା ଗସ୍ତରେ ଆସି ବରଗଡରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଚଳିତବର୍ଷ ଏହା ରାହୁଲ ଗାନ୍ଧୀଙ୍କ ତୃତୀୟ ଓଡିଶା ଗସ୍ତ ହେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଜାନୁଆରୀ ୨୫ ତାରିଖରେ ଭୁବନେଶ୍ୱର ଓ ଫେବୃଆରି ୬ ତାରିଖରେ ପଶ୍ଚିମ ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

Leave A Reply

Your email address will not be published.