ଜଗତସିଂହପୁର: ବିରିୟାନୀ ପାଇଁ ତୁମୁଳକାଣ୍ଡ। ବିରିୟାନୀ ଖରାପ ଓ ବାସି ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ଛେଚିଲେ ହୋଟେଲ କର୍ମଚାରୀ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା। ବାସି ବିରିୟାନୀ କହି ନିର୍ଘାତ ମାଡ଼ ଖାଇଛନ୍ତି ଗ୍ରାହକ। ସାମାନ୍ୟ ଏହି କଥାରେ ଗ୍ରାହକଙ୍କୁ ଆକ୍ରମଣ କରି ତାଙ୍କୁ କଟକ ପାରାଦୀପ ଜାତୀୟ ରାଜପଥରେ ଫୋପାଡ଼ି ଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ।
କୁଜଙ୍ଗ ବ୍ଲକ୍ ଜୟଶଙ୍ଖପୁର ଗ୍ରାମର ସଞ୍ଜୀବ କୁମାର ମାଝୀ ତାଙ୍କ ବନ୍ଧୁଙ୍କ ସହିତ ୧୫ନଂ ଛକ ସ୍ଥିତ ଜଷ୍ଟକୁକ୍ ନାମକ ହୋଟେଲରେ ବିରିୟାନୀ ଖାଉଥିବାବେଳେ ବିରିୟାନୀ ଆମ୍ବିଳା ଲାଗୁଥିବା ଓ ଗନ୍ଧାଉଥିବା ନେଇ କହିଥିଲେ। ଏହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ହୋଟେଲ କର୍ମଚାରୀ ତାଙ୍କୁ ଗାଳି କରିଥିଲେ, ସଞ୍ଜୟ ଏହାକୁ ପ୍ରତିବାଦ କରିବାରୁ ହୋଟେଲ କର୍ମଚାରୀ ମିଳିତ ଭାବେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି କଟକ ପାରାଦୀପ ମୁଖ୍ୟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୋପାଡ଼ି ଦେଇଥିଲେ ।
ଥାନାରେ ଅଭିୟୋଗ ପରେ ହୋଟେଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ। ଅନ୍ୟପଟେ ଆହତ ସଞ୍ଜୟଙ୍କୁ ପ୍ରଥମେ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। କୁଜଙ୍ଗ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
