ଭୁବନେଶ୍ୱର: ନିଲମ୍ବିତ ହେଲେ ଜଗତସିଂହପୁର ସହକାରୀ ଜିଲ୍ଲାପାଳ । କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଏବଂ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗକାରିଣୀ କାର୍ଯ୍ୟରତ ମହିଳାଜଣଙ୍କ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା କରାଯାଇଥିବା ଅଭିଯୋଗ ଆଣିଥିଲେ।
ଏହାପରେ ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରି ଅଧିକାରୀ ଏବଂ ଜଣେ ମହିଳା ମାର୍ଶାଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
ମହିଳା ହିଂସା ଓ ନିର୍ଯାତନାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ସହିତ ମହିଳା ସଶକ୍ତିକରଣ ପାଇଁ ଆମ ସରକାର ବଦ୍ଧପରିକର ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।