Latest Odisha News

ଜୟପୁରରେ ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ଜୟପୁର: ଜୟପୁରରେ ଶନିବାର ହୋଇଥିବା ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି।

ଗତ ଶୁକ୍ରବାର ଦିନ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୭ ଜଣ ସୱାଇ ମାନସିଂହ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ଏହି ଘଟଣାଟି ଦିଲ୍ଲୀ ପବ୍ଲିକ୍ ସ୍କୁଲ ନିକଟରେ ହୋଇଥିଲା। ଯେଉଁଥିରେ ୩୫ ଜଣ ଲୋକ ପୋଡି ହୋଇଯାଇଥିଲେ। ତେବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ  ୨୫ ଜଣଙ୍କର ଶରୀର ପ୍ରାୟ ୭୫ ଭାଗ ଜଳି ଯାଇଥିଲା। ତେବେ ଡାକ୍ତରଖାନାରେ ଥିବା କିଛି ମୃତଦେହ ମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଶୁକ୍ରବାର ଦିନ ସକାଳେ ଭାରତ ପେଟ୍ରୋଲିୟମ ଟ୍ୟାଙ୍କର୍ ଅଜମେରରୁ ଜୟପୁର ଆଡକୁ ଆସୁଥିଲା ବେଳେ ପ୍ରାୟ ଅପରାହ୍ନ ସମୟରେ ଟ୍ୟାଙ୍କର୍ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ପାଖରେ ୟୁ-ଟର୍ନ୍ ନେଇଥିଲା। ଏହି ସମୟରେ ଜୟପୁରରୁ ଅଜମେରକୁ ଯାଉଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଯାଇଥିଲା।ଯାହାଫଳରେ ଟ୍ୟାଙ୍କରର ୫ଟି ନୋଜଲ ଭାଙ୍ଗିଯାଇଥିଲା ଓ ୧୮ ଟନ୍ ଗ୍ୟାସ୍ ଲିକ୍ ହୋଇଥିଲା। ତେବେ ଏହି ଗ୍ୟାସ ବିସ୍ଫୋରଣ ଖୁବ୍ ଭୟଙ୍କର ଥିଲା।

ଏହି ଅଗ୍ନିକାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ  ପ୍ରକାଶ କରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଭଜନ ଲାଲ ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

 

 

Leave A Reply

Your email address will not be published.