Latest Odisha News

BREAKING NEWS

‘କେବଳ ତାରିଫ୍ ଶୁଣିବାରେ ବ୍ୟସ୍ତ ମୋଦି, ଟାରିଫ୍ ପ୍ରତି ତାଙ୍କର ଚିନ୍ତା ନାହିଁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ତାରିଫ୍ ଶୁଣିବାରେ ବ୍ୟସ୍ତ, ଏପଟେ ଟାରିଫର ସ୍ଥିତି କ’ଣ ହେଲାଣି, ସେ ପ୍ରତି ତାଙ୍କର ଚିନ୍ତା ନାହିଁ । ଆମେରିକା ରାଷ୍ଟ୍ରପତିଙ୍କ ଯେସାକୁ ତେସା ଟିକସ ନୀତି ଲାଗୁ କରିବା ପାଇଁ ଘୋଷଣା କରିବା ପରେ, ମୋଦିଙ୍କୁ କଟାକ୍ଷ କରି କିଛି ଏପରି ମନ୍ତବ୍ୟ ରଖିଛନ୍ତି, କଂଗ୍ରେସ ମହାସଚିବ ଜୟରାମ ରମେଶ ।

ଏହାକୁ ନେଇ ଆଜି ଜୟରାମ ରମେଶ ମୋଦିଙ୍କୁ ପ୍ରଶ୍ନ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ପାରସ୍ପରିକ ଶୁଳ୍କ ପ୍ରସଙ୍ଗରେ ଆମେରିକାର ଧମକର ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀଙ୍କ ୫୬ ଇଞ୍ଚର ଛାତି କୁଆଡେ ଗଲା ବୋଲି କହି କଟାକ୍ଷ କରିଛନ୍ତି । କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ କେବଳ ତାରିଫ୍ (ପ୍ରଶଂସା) ଶୁଣିବାକୁ ଚାହାଁନ୍ତି । ସେ ଶୁଳ୍କ ପ୍ରସଙ୍ଗରେ କିଛି ଚିନ୍ତା କରନ୍ତି ନାହିଁ । ଟ୍ରମ୍ପ ଅନ୍ତର୍ଜାତୀୟ ବାଣିଜ୍ୟର ସମ୍ପୂର୍ଣ୍ଣ ନିୟମକୁ ପୁନଃ କାର୍ଯ୍ୟକାରୀ କରୁଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ପାରସ୍ପରିକ ଶୁଳ୍କ ବିଷୟରେ ଯେଉଁ ଧାରଣା ରହିଛି ତାହାକୁ ସଂପୂର୍ଣ୍ଣ ଅଦ୍ଭୁତ ବୋଲି କହିଛନ୍ତି ରମେଶ ।

ସେ ଆହୁରି କହିଛନ୍ତି, ଆମେ ଏକ ଶୁଳ୍କ ସୂଚୀ ଉପରେ ଆଗରୁ ଆଲୋଚନା କରିସାରିଛୁ । ୧୯୯୫ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନ ହେବା ବେଳେ ପ୍ରାୟ ୧୭୦ଟି ଦେଶ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରିଛନ୍ତି । ଆଉ ସେହି ଆଲୋଚନା ପାଇଁ ସବୁ ରାୟ ସହିତ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା । ହେଲେ ଏବେ ମହାନ୍ ଟ୍ରମ୍ପ, ତାଙ୍କର ନୂଆ ଧାରଣା ଆଣିଛନ୍ତି । ଆଉ ଏବେ ସେ କହୁଛନ୍ତି, ତୁମେ ଶୁଳ୍କ ଲଗାଅ, ଆମେ ବି ଶୁଳ୍କ ଲଗାଉଛୁ । ଏହା ଆନ୍ତର୍ଜାତୀୟ ବାଣିଜ୍ୟ କାର୍ଯ୍ୟ କରିବାର ଉପାୟ ନୁହେଁ ବୋଲି କହିଛନ୍ତି ରମେଶ  । ଖାଲି ସେତିକି ନୁହେଁ, ଏହା କହିବା ପରେ ଡବ୍ଲୁଟିଓକୁ ରମେଶ ବିଶ୍ୱ ବାଣିଜ୍ୟ ସଂଗଠନ ନୁହେଁ ବିଶ୍ୱ ଟ୍ରମ୍ପ ସଂଗଠନ ବୋଲି ସମ୍ବୋଧନ କରିଛନ୍ତି ।

ଆଉ ଆକୁ ନେଇ ମୋଦି ପୂରା ଚୁପ୍ । ସେ ସ୍ପଷ୍ଟ ଭାବରେ କହିବା ଉଚିତ…ଟ୍ରମ୍ପ ଭାରତ ଭଳି ଦେଶକୁ ଧମକ ଦେଉଛନ୍ତି ! ଯାହାକୁ ନେଇ ମୋଦିଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀଙ୍କର ସେ ୫୬ ଇଞ୍ଚ ଛାତି କୁଆଡେ ଗଲା? ବୋଲି ପ୍ରଶ୍ନ କରିଛନ୍ତି । ଏଥିସହିତ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଏକ ମନ୍ତବ୍ୟର ଉଦାହରଣ ଦେଇଛନ୍ତି । କହିଛନ୍ତି, ଇନ୍ଦିରା ଗାନ୍ଧୀ ନଭେମ୍ବର ୧୯୭୧ରେ ରାଷ୍ଟ୍ରପତି ନିକ୍ସନଙ୍କୁ କ’ଣ କହିଥିଲେ ମନେ ଅଛି? ଯେତେବେଳେ ରାଷ୍ଟ୍ରପତି ନିକ୍ସନ ଏବଂ ହେନରୀ କିସିଞ୍ଜର ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଇନ୍ଦିରା ଗାନ୍ଧୀ ଦୃଢ ଭାବେ ଠିଆ ହୋଇ କହିଥିଲେ, ଯାହା ଭାରତର ସ୍ୱାର୍ଥରେ ତାହା ମୁଁ କରିବି ।

ତେବେ କହିରଖୁଛୁ, ଏହି ନିକଟରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସଂସଦକୁ ସମ୍ବୋଧିତ କରିଥିବା ବେଳେ, ସେଠି ବିଭିନ୍ନ ରାଷ୍ଟ୍ର ସହ ଥିବା ଶୁଳ୍କ ନିୟମ ବିଷୟରେ ଆଲୋଚନା କରିଥିଲେ । ଘୋଷଣା କରିଥିଳେ, ଆସନ୍ତା ଏପ୍ରିଲ ୨ରୁ ଯେଉଁ ରାଷ୍ଟ୍ର ଆମେରିକା ଉପରେ ଯେତେ ଶୁଳ୍କ ଲଗାଇବ, ତାହା ପ୍ରତି ମଧ୍ୟ ସେତେ ଶୁଳ୍କ ଲାଗୁ ହେବ । ଆଉ ଭାରତ ଆଣୁଥିବା ୧୦୦ ପ୍ରତିଶତ ଶୁଳ୍କ ନେଇ ମଧ୍ୟ କହିଥିଲେ । ଯାହା ଭାରତ ପାଇଁ କ୍ଷତିକାରକ ।

Comments are closed.