Latest Odisha News

BREAKING NEWS

ବକ୍ସିଂରେ ଭାରତର ଡବଲ୍ ଗୋଲ୍ଡ; ପ୍ରୀତି,ଜସମିନ ଜିତିଲେ ସ୍ୱର୍ଣ୍ଣ

ଗ୍ଲାସଗୋ: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସରମାନଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ପ୍ରୀତି ପୱାର ଏବଂ ଜାସମିନ୍ ଲମ୍ବୋରିଆ ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ  ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହି ଦୁଇ ବିଜୟ ସହ କମନୱେଲଥ୍ ଗେମ୍ସରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି ।  ପ୍ରୀତି ପୱାରଙ୍କ ୫୪ କିଗ୍ରା ବର୍ଗରେ   କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ ଏକତରଫା ଭାବେ ପରାସ୍ତ କରି କମନୱେଲଥ୍ ଗେମ୍ସରେ ନିଜର ପ୍ରଥମ ଗୋଲ୍ଡ ମେଡାଲ ଜିତିଛନ୍ତି ।୧୪ ବର୍ଷ ବୟସରୁ ବକ୍ସିଂ ଆରମ୍ଭ କରିଥିବା ୨୪ ବର୍ଷୀୟା ପ୍ରୀତି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧, ଏସିଆନ ଚାମ୍ପିୟନସିପ୍ ୨୦୨୪, ୱାର୍ଲ୍ଡ ବକ୍ସିଂ କପ୍ ଫାଇନାଲ୍ସ ୨୦୨୫ ଏବଂ ଏସିଆନ୍ ବକ୍ସିଂ ଚାମ୍ପିୟନସିପ୍ ୨୦୨୬ ରେ ଗୋଲ୍ଡ ଜିତିସାରିଛନ୍ତି । ନିଜର ଚମତ୍କାର ସଫଳତା ପାଇଁ ସେ ଭାରତୀୟ ସେନାରେ ସିଧାସଳଖ ଜୁନିୟର କମିଶନ୍‌ଡ ଅଫିସର ଭାବେ ଯୋଗ ଦେବାରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇପାରିଛନ୍ତି ।

ଜାସମିନ୍ ଲମ୍ବୋରିଆ ମହିଳା ୫୭ କିଗ୍ରା ବର୍ଗର ଫାଇନାଲରେ ବର୍ତ୍ତମାନର ୱାର୍ଲ୍ଡ ଚାମ୍ପିୟନ ନର୍ଥର୍ନ ଆୟରଲ୍ୟାଣ୍ଡର ଗତ ସଂସ୍କରଣର ଚାମ୍ପିୟନ ମିକେଲା ୱାଲ୍ସଙ୍କୁ ୫-୦ ରେ ସମ୍ପୂର୍ଣ୍ଣ ପରାସ୍ତ କରି କମନୱେଲଥ୍ ଚାମ୍ପିୟନ୍ ହୋଇଛନ୍ତି ।୨୦୨୨ ବର୍ମିଂହାମ୍ ଗେମ୍ସରେ ସେ ବ୍ରୋଞ୍ଜ ମେଡାଲ ଜିତିଥିବା ବେଳେ ଏଥର ନିଜ ପ୍ରଦର୍ଶନରେ ସୁଧାର ଆଣି ଗୋଲ୍ଡ ଜିତିଛନ୍ତି । ହରିୟାଣାର ଭିୱାନୀରୁ ଆସିଥିବା ୨୪ ବର୍ଷୀୟା ଜାସମିନ୍‌ଙ୍କ ପାଇଁ ୟୁନାଇଟେଡ୍ କିଂଡମ ସଦାବେଳେ ଭାଗ୍ୟଶାଳୀ ପ୍ରମାଣିତ ହୋଇଛି । ୨୦୨୨ରେ ବର୍ମିଂହାମ୍‌ରେ ବ୍ରୋଞ୍ଜ, ୨୦୨୫ରେ ଲିଭରପୁଲ୍‌ରେ ୱାର୍ଲ୍ଡ ଚାମ୍ପିୟନ୍‌ସିପ୍ ଗୋଲ୍ଡ ଏବଂ ଏବେ ସ୍କଟଲ୍ୟାଣ୍ଡ (ଗ୍ଲାସଗୋ)ରେ କମନୱେଲଥ୍ ଗୋଲ୍ଡ ଜିତି ସେ ଇତିହାସ ରଚିଛନ୍ତି । ଜାସମିନ୍‌ଙ୍କ ପରିବାର ବକ୍ସିଂ ସହ ଗଭୀର ଭାବେ ଜଡ଼ିତ। ତାଙ୍କ କୋଚ୍ ତଥା ମାମୁଁ ସନ୍ଦୀପ ସିଂହ ଏବଂ ପରବିନ୍ଦର ସିଂହଙ୍କଠାରୁ ସେ ତାଲିମ୍ ନେଇଛନ୍ତି । ତାଙ୍କ ପରଦାଦା ହୱା ସିଂହ ଏସିଆନ୍ ଗେମ୍ସର ପ୍ରସିଦ୍ଧ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ। ୨୦୨୨ରେ ଭାରତୀୟ ସେନାର ମିଲିଟାରୀ ପୋଲିସ କୋରରେ ନାୟବ ସୁବେଦାର ଭାବେ ଯୋଗଦେଇ ସେ ସେନାରେ ସାମିଲ ହୋଇଥିବା ଦେଶର ପ୍ରଥମ ମହିଳା ବକ୍ସର ହୋଇଥିଲେ।

Comments are closed.