Latest Odisha News

BREAKING NEWS

ଯାଜପୁରରେ ସରିଲା ନିର୍ବାଚନ, ବିଜେଡ଼ିର ଗଡ଼ ରକ୍ଷା କରିବାକୁ ସକ୍ଷମ ହେବେତ ଶର୍ମିଷ୍ଠା ?

ଯାଜପୁର: ନିର୍ବାଚନ ସୋମବାର ଦିନ ଶେଷ ହୋଇଛି, ତେବେ ଏବେଠାରୁ ଯାଜପୁର ଲୋକସଭା ଆସନରେ କେଉଁ ଦଳର ପ୍ରାର୍ଥୀ ବିଜୟ ହାସଲ କରିବେ ତାହାକୁ ନେଇ ଆଲୋଚନା ଜୋର୍ ଧରିଲାଣି । ଯାଜପୁର ଆସନକୁ ବିଜେଡ଼ିର ଗଡ଼ ବୋଲି ବିବେଚନା କରାଯାଉଥିବା ବେଳେ ଏଥର ନିର୍ବାଚନରେ ଦଳ ତା’ର ପତିଆରା ବଜାୟ ରଖିପାରିବତ? ଏହି ଆସନକୁ ଲଗାତର ତିନିଥର ଜିତି ଆସିଥିବା ବିଜେଡ଼ି ଏଥର ମଧ୍ୟ ଏଠାରୁ ବିଜୟ ହାସଲ କରିପାରିବତ, ଏମିତି ଅନେକ ପ୍ରଶ୍ନକୁ ନେଇ ରାଜନୈତିକ ବିଶାରଦମାନେ କଳ୍ପନାଜଳ୍ପନା କରିବାରେ ଲାଗିଛନ୍ତି । କାରଣ ଯାଜପୁର ଆସନର ଫଳାଫଳ ଓଡ଼ିଶା ରାଜନୀତି ପାଣିପାଗକୁ ସଦା ସର୍ବଦା ପ୍ରଭାବିତ କରିଥାଏ । ତେଣୁ ଏହି ଆସନକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ ।

ଏଥର ସୁନିଶ୍ଚିତ ବିଜୟ ହାସଲର ଆଶା ରଖି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଜପୁର ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇ ମହିଳା ଆରକ୍ଷଣ କାର୍ଡ଼ ଏଠାରେ ପ୍ରୟୋଗ କରିଛନ୍ତି । ନବୀନ ଯେଉଁ ୭ଟି ଲୋକସଭା ଆସନରେ ଦଳ ପକ୍ଷରୁ ମହିଳା ପ୍ରାର୍ଥୀ ଦେଇଛନ୍ତି ସେଥିମଧ୍ୟରୁ (ଆସ୍କା, ଭଦ୍ରକ, କୋରାପୁଟ, ଜଗତସିଂହପୁର, କେନ୍ଦୁଝର ଓ ସୁନ୍ଦରଗଡ଼)ଯାଜପୁର ଅନ୍ୟତମ ନିର୍ବାଚନ ମଣ୍ଡଳୀ ।

ବିଜୁ ଜନତା ଦଳ ପକ୍ଷରୁ ୨୦୧୪ ନିର୍ବାଚନରେ ଯାଜପୁର ଓ କେନ୍ଦୁଝର ଲୋକସଭା ଆସନରେ ରୀତା ତରାଇ ଏବଂ ସଂଜୁକ୍ତା ଲାଗୁରୀଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଇଥିଲା ଏବଂ ଏହି ଦୁଇ ମହିଳା ପ୍ରାର୍ଥୀମାନେ ମଧ୍ୟ ସହଜରେ ନିର୍ବାଚନ ଜିତିପାରିଥିଲେ । ମାତ୍ର ଏହି ନିର୍ବାଚନରେ ଏହି ଦୁଇ ଆସନରେ ଦଳ ପକ୍ଷରୁ ମହିଳା ପ୍ରାର୍ଥୀ ଦିଆଯାଇଥିଲେ ମଧ୍ୟ ପ୍ରାର୍ଥୀତ୍ୱ ବଦଳିଛି । ଏହି ଦୁଇଟି ଆସନରେ ରୀତା ତରାଇ ଓ ସଂଯୁକ୍ତା ଲାଗୁରୀଙ୍କ ବଦଳରେ ଯଥାକ୍ରମେ ଶର୍ମିଷ୍ଠା ସେଠୀ ଏବଂ ଚନ୍ଦ୍ରାଣୀ ମୁର୍ମୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

ମାତ୍ର କଥାହେଲା, ଏଥର ନବୀନଙ୍କ ଏହି ରାଜନୀତି ପଶାପାଲିର ବଡ଼ ଚାଲ୍ ଟି ଫଳପ୍ରଦ ହେବତ!

ଯାଜପୁରରେ, ଶର୍ମିଷ୍ଠା ଓଡ଼ିଶା ପ୍ରଶାସନିକ ସେବାର ଚାକିରୀ ଛାଡ଼ି ରାଜନୀତିରେ ଝାସ ଦେଇଥିଲେ । ବିଜେଡ଼ିରେ ଯୋଗଦେଇ ଏଠାରୁ ପ୍ରାର୍ଥୀ ମଧ୍ୟ ହେଲେ, କିନ୍ତୁ ଏହି ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଅମିୟ ମଲ୍ଲିକ ଏବଂ କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କର କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି । ବିଜେଡ଼ି ନେତ୍ରୀ ଶର୍ମିଷ୍ଠା ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି ନିର୍ବାଚନ ଲଢୁଛନ୍ତି । ଏପରିକି ଏଠାରେ ପୂବରୁ ବେଶ୍ ମଜବୁତ ସ୍ଥିତିରେ ଥିବା ଦଳୀୟ ସାଂଗଠନିକ ଭିତ୍ତିଭୂମିକୁ ଆଧାର କରି ଶର୍ମିଷ୍ଠା ସେଠୀ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଆସନରେ ପୂର୍ବ ସାଧାରଣ ନିର୍ବାଚନରେ ରୀତା ତରାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗେସ ପ୍ରାର୍ଥୀ ଅଶୋକ ଦାସଙ୍କ ଠାରୁ ପ୍ରାୟ ୩.୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିପାରିଥିଲେ । ମାତ୍ର ଏଥର ଗତଥରର ପରିସ୍ଥିତି ଆଉ ନାହିଁ, ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇଛି ଶାସକ ବିଜୁ ଜନତା ଦଳ । ଅବଶ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଯାଇଛି ପ୍ରାର୍ଥୀମାନଙ୍କର ଭାଗ୍ୟ । ଫଳାଫଳ ଘୋଷଣା ପରେ ହିଁ ଜଣାପଡ଼ିବ ବିଜୟୀ ପ୍ରାର୍ଥୀ କିଏ ।

ସମଗ୍ର ଯାଜପୁର ଜିଲ୍ଲାରେ ଗତ ୨୦୧୪ ନିର୍ବାଚନ ପରଠାରୁ ବିଜେପି ଏଠାରେ କ୍ରମଶଃ ନିଜର ଶକ୍ତି ବୃଦ୍ଧି କରିପାରିବାରେ ସକ୍ଷମ ହୋଇଛି । ତୃଣମୂଳସ୍ତରରୁ ଏଠାରେ ସାଂଗଠନିକ ଶକ୍ତି ଅଭିବୃଦ୍ଧି କରି ୨୦୧୭ରେ ପଞ୍ଚାୟତ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରିପାରିଥିଲା । ଏପରିକି ଏଠାରେ ବିଜେପି ନିଜର ଭୋଟ ହାର ୧୫ରୁ ୩୦ ପ୍ରତିଶତ ବୃଦ୍ଧି କରିପାରିବାରେ ସକ୍ଷମ ମଧ୍ୟ ହୋଇଛି । ଯାଜପୁର ଆସନରେ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ଅମିୟ ଗତ ନିର୍ବାଚନରେ ୧.୫ ଲକ୍ଷ ଭୋଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଏଥର ନିର୍ବାଚନ ଭିନ୍ନ ଧରଣର ହୋଇଛି । ସ୍ଥାନୀୟ ଜନସାଧାରଣଙ୍କ କହିବାନୁଯାୟୀ, ଗତ ନିର୍ବାଚନଠାରୁ ଏଠାରେ ଏଥର ଅନୁଷ୍ଠିତ ହୋଇଥିବା ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର କାରଣ, ମୋଦୀ ଲହର ଏହି ନିର୍ବାଚନକୁ ପ୍ରଭାବିତ କରିଥିବାର କଥାକୁ ଏଡ଼ାଇଦେଇ ହେବନାହିଁ ।

ଯାଜପୁର ଲୋକସଭା ୍ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା, ବିଂଝାରପୁର, ଯାଜପୁର, ବଡ଼ଚଣା, ବରି, ଧର୍ମଶାଳା ଏବଂ କୋରେଇ ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ଦବଦବା ଭଲ ରହିଥିବା ବେଳେ ବିଜେପି ନେତାମାନେ ଦାବି କରି କହିଛନ୍ତି, ସୁକିନ୍ଦା, ବରି, କୋରେଇ ଏବଂ ବଡ଼ଚଣାରେ ତୃଣମୂଳ ସ୍ତରରେ ଦଳ ବେଶ୍ ଶକ୍ତିଶାଳୀ ହୋଇପାରିଛି । ତେଣୁ ଏହିସବୁ କାରଣକୁ ଦୃଷ୍ଟିକୁ ନେଲେ ଏଥର ନିର୍ବାଚନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି କହିଲେ ଭୂଲ୍ ହେବନାହିଁ ।

ଏଠାରେ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ ବଳବତ୍ତର ରହିଛି, କିନ୍ତୁ ୧୯୯୯ ପରଠାରୁ ଏହି ଆସନରୁ କୌଣସି କଂଗ୍ରେସ ପ୍ରାର୍ଥୀ ବିଜୟ ହାସଲ କରିପାରିନାହାନ୍ତି । ରାଜନୈତିକ ବିଶାରଦଙ୍କ ବିଶ୍ଳେଷଣ ଅନୁସାରେ ଏହି ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ମୁକାବିଲାର ନିର୍ବାଚନ ହୋଇଛି । ମାତ୍ର ଫଳାଫଳ କାହା ସପକ୍ଷରେ ଯିବ ତାହାକୁ ନେଇ କେହି ଦୃଢୋକ୍ତି ପ୍ରକାଶ କରିନ’ପାରି ମେ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟଗଣନା ଉପରେ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ରହିଛି ।

Leave A Reply

Your email address will not be published.