Latest Odisha News

BREAKING NEWS

ପୁଣି ସେନା ଫୋକସରେ ଜମ୍ମୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ସ୍ଥିତି ବିଗାଡିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ପାକିସ୍ତାନ । ନୂଆ କୌଶଳ ଆପଣାଇଛି । କାଶ୍ମୀର ଉପତ୍ୟକାକୁ ଛାଡି ଜାମ୍ମୁରେ ସକ୍ରିୟ ହୋଇଛନ୍ତି ପାକ୍ ସମର୍ଥିତ ଆତଙ୍କବାଦୀ । ଜାମ୍ମୁର ବିଭିନ୍ନ ଅଂଚଳରେ ଗତ ମାସେରୁ ଅଧିକ ସମୟ ଧରି ସୁରକ୍ଷା ବାହିନୀକୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଏଣେ ପ୍ରତିକୂଳ ପାଗର ଫାଇଦା ଉଠାଇ ସୀମା ଆରପଟୁ ଅନୁପ୍ରବେଶ ବୃଦ୍ଧି କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଛି ପାକିସ୍ତାନ । ଏଲଓସି ପୁଣି ଅଶାନ୍ତ ହୋଇଉଠିଛି । ଏଲଓସିରେ ଥିବା ଭାରତୀୟ ସେନାର ଫରୱାର୍ଡ ପୋଷ୍ଟ ଉପରକୁ ବାରମ୍ବାର ଗୁଳି ଚାଳନା କରୁଛି ପାକିସ୍ତାନର ବର୍ଡର ଆକସନ ଟିମ୍‌- ବିଏଟି ।

ଏଲଓସିରେ ବିଏଟିର ଗୁଳିଚାଳନା ବୃଦ୍ଧି ପାଇଥିବା ବେଳେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହି ମାସରେ ସୀମାପାର ଗୁଳିଗୋଳା ବର୍ଷଣ ଓ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ୧୨ ଜଣ ଯବାନ ସହିଦ ହୋଇଛନ୍ତି ।

ଅପରେସନ ଅଲ୍ ଆଉଟ୍ ଯୋଗୁଁ କାଶ୍ମୀର ଉପତ୍ୟକାରେ ପରିସ୍ଥିତି ଶାନ୍ତ ପଡିଥିଲା । ଉପତ୍ୟକାରେ କଡା ସୁରକ୍ଷା ବନ୍ଦୋବସ୍ତ ଯୋଗୁଁ ପାକ୍ ସମର୍ଥିତ ଆତଙ୍କବାଦୀମାନେ ଏବେ ଜାମ୍ମୁକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଗତ କିଛି ଦିନ ହେବ ଜାମ୍ମୁର ବିଭିନ୍ନ ସ୍ଥାନରେ ବଡ ଧରଣର ଗରିଲା ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

ଜାମ୍ମୁ ଦେଇ ଆତଙ୍କବାଦୀଙ୍କୁ ପଠାଇବାକୁ ବିଏଟି ଉଦ୍ୟମ କରୁଛି । ଏଥିପାଇଁ ସତର୍କ ରହିଛି ସେନା । ପାକିସ୍ତାନର ବିଏଟି ପକ୍ଷରୁ ଅଧିକାଂଶ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସେନା । ଗୁଳି ବିନିମୟରେ ସେନାର କିଛି ଯବାନ ସହିଦ ହୋଇଛନ୍ତି । ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ କଡା ଟକ୍କର ଦେବାକୁ ପ୍ରସ୍ତୁତି କରିଛି ଭାରତୀୟ ସେନା । ଗୁଇନ୍ଦା ସୂଚନା ଆଦାନ ପ୍ରଦାନକୁ ସୁସଂଗଠିତ କରାଯାଇଛି । ପାକିସ୍ତାନର ଛାୟା ଯୁଦ୍ଧର ଜବାବ ଦେବାକୁ ଜାମ୍ମୁରେ ଅଧିକ ଫୋର୍ସ ମୁତୟନ କରିଛି ସେନା । ଜାମ୍ମୁ ଭିତରକୁ ପଶିଆସିଥିବା ୫୦ରୁ ୬୦ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ ଆରମ୍ଭ ହୋଇଛି ମିଶନ ଅଲ୍ ଆଉଟ୍ । ଜାମ୍ମୁରେ ଏହି ଆତଙ୍କବାଦୀ ନିପାତ ଅଭିଯାନକୁ କେତେକ ‘ଅପରେସନ ସର୍ପ ବିନାଶ’-୨ ଭାବେ ଦେଖୁଛନ୍ତି । ୨୦ ବର୍ଷ ତଳେ ଜାମ୍ମୁରେ ଥିବା ବହୁସଂଖ୍ୟକ ଆତଙ୍କବାଦୀଙ୍କୁ ନିପାତ ପାଇଁ ଆରମ୍ଭ ହୋଇଥିଲା ଅପରେସନ ସର୍ପ ବିନାଶ । ଆଉ ତାହା ସଫଳ ବି ରହିଥିଲା । ଏବେ ଜାମ୍ମୁରେ ପୁଣି ଭାରତୀୟ ସେନା ପାଇଁ ଜାମ୍ମୁରେ ବଡ ଆହ୍ୱାନ ସୃଷ୍ଟି କରିଛନ୍ତି ପାକ୍ ଆତଙ୍କବାଦୀ । ହେଲେ ଏଥର ବି ଭାରତୀୟ ସେନା ନିଜ ଅଭିଯାନରେ ସଫଳ ହେବ, ସେଥିରେ ସନ୍ଦେହ ନାହିଁ ।

Comments are closed.