Latest Odisha News

BREAKING NEWS

କିଟରେ ଜି-୨୦ ପକ୍ଷରୁ ଜନ ଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଶନିବାର ଜି-୨୦ ପକ୍ଷରୁ ଜନଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦିଗ୍‍ଦର୍ଶନରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‍ର ତୃତୀୟ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟରେ ସବୁ ଜିଲ୍ଲାରେ ଭାରତ ଜି-୨୦ ଅଧ୍ୟକ୍ଷତା ପ୍ରସଙ୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ୍‍ ୨୯ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଓ ଦକ୍ଷତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୬ ତାରିଖରେ ଭବିଷ୍ୟତର କାର୍ଯ୍ୟ ଉପରେ ଆଲୋଚନାଚକ୍ର ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ସେହିପରି ଅପ୍ରେଲ୍‍ ୨୭ରୁ ୨୯ ପର୍ଯ୍ୟନ୍ତ ଶିକ୍ଷା ଓ ୱାର୍କିଂ ଗ୍ରୁପ୍‍ର ତୃତୀୟ ବୈଠକ ଅନୁଷ୍ଠିତ ହେବ।

ଏହାକୁ କେନ୍ଦ୍ର ଶିକ୍ଷା ରାଷ୍ଟମନ୍ତ୍ରୀ ସୁବାଷ ସରକାର ଉଦ୍‍ଘାଟନ କରିବାକୁ ଥିବା ବେଳେ ଏଥିରେ ଜି-୨୦ ଦେଶ ସମୂହର ପ୍ରତିନିଧିଙ୍କ ସହ ଶିଳ୍ପ ସଂସ୍ଥା, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ୭୫ଟି ଅନୁଷ୍ଠାନ ଅଂଶଗ୍ରହଣ କରିବେ। ଏହି ବୈଠକରେ ପ୍ରାଥମିକ ସ୍ୱାକ୍ଷରତା ଓ ପରିସଂଖ୍ୟାନ, ପ୍ରଯୁକ୍ତି ବିଦ୍ୟା ଆଧାରିତ ଶିକ୍ଷାଦାନ, ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ଗବେଷଣା ସହଭାଗିତା ଭଳି ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଶନିବାର କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟରେ ଜି-୨୦ ଜନଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଥିବା ବେଳେ ଏଥିରେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‍ର ବରିଷ୍ଠ ପଦାଧିକାରୀ ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ସକାଳେ ପ୍ରଭାତ ଫେରୀ, ସାଇକ୍ଲୋଥନ ଓ ‘ମେକିଂ ଟେକ୍‍-ଏନାବଲ୍‍ଡ ଲର୍ଣ୍ଣିଂ ମୋର୍‍ ଇନ୍‍କ୍ଲୁସିଭ୍‍, କ୍‍ବାଲିଟେଟିଭ୍‍ ଆଣ୍ଡ କୋଲାବରେଟିଭ୍‍’ ବିଷୟବସ୍ତୁ ଉପରେ ପୋଷ୍ଟର ପ୍ରଦର୍ଶନୀ କରାଯାଇଥିଲା।

Leave A Reply

Your email address will not be published.