ଓଡ଼ିଶା ଶାସନରେ ପ୍ରଥମ କୃଷିନୀତିର ପ୍ରବର୍ତ୍ତକ ଜାନକୀ ବଲ୍ଲଭ ପଟ୍ଟନାୟକ
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ
ଅମୀୟ କୁମାର ପଟ୍ଟନାୟକ
ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମ ଲାଭ କରି, ଅସାଧାରଣ ପ୍ରଜ୍ଞା, ପ୍ରତିଭା, ନିଷ୍ଠା ଓ ସାଧନା ବଳରେ ସଫଳତାର ଶୀର୍ଷ ଛୁଇଁଥିବା ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଏକାଧାରରେ ସେ ଜଣେ ପ୍ରତିଷ୍ଠିତ ରାଜନିତୀଜ୍ଞ, ଯଶସ୍ୱୀ ସାମ୍ବାଦିକ, ସାରସ୍ୱତ ସାଧକ ଏବଂ ଜଣେ ସଂସ୍କୃତ ବିଦ୍ୱାନ । ଧୈର୍ଯ୍ୟ, ସହନଶୀଳତା, ସୌଜନ୍ୟବୋଧ ଓ ନମ୍ରତା ପାଇଁ ସେ ପ୍ରସିଦ୍ଧ ଥିଲେ । ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ କେନ୍ଦ୍ରରେ ମନ୍ତ୍ରୀ ଓ ଆସାମର ରାଜ୍ୟପାଳ ହୋଇ ପାରିଥିଲେ ।
୧୯୨୭ ଜାନୁୟାରୀ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ବିଶିଷ୍ଟ ଲେଖକ ଓ ସୁନାମଧନ୍ୟ ଶିକ୍ଷକ ଗୋକୁଳାନନ୍ଦ ପଟ୍ଟନାୟକ । ଉଚ୍ଚଶିକ୍ଷା ଲାଭ କରିବା ପରେ ତାଙ୍କର ଲକ୍ଷ୍ୟ ଥିଲା ସାମ୍ବାଦିକତା । ତେଣୁ ୧୯୪୯ରେ ଜଣେ ସାମ୍ବାଦିକ ଭାବେ ପ୍ରଜାତନ୍ତ୍ର ପ୍ରଚାର ସମିତିରେ ଯୋଗ ଦେଇଥିଲେ । ପରେ ଇଂରାଜୀ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସ ଏବଂ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ସମ୍ପାଦକ ଥିଲେ । ମାତ୍ର ୨୫ ବର୍ଷ ବୟସରେ ଦୁଇ ଦୁଇଟି ସମ୍ବାଦପତ୍ରର ସମ୍ପାଦନ ଦାୟିତ୍ୱ ତୁଲାଇବାର ବିରଳ ସୌଭାଗ୍ୟ ଓଡ଼ିଶାରେ କେବଳ ତାଙ୍କର ଥିଲା । ଏହି ସାମ୍ବାଦିକତା ବୃତ୍ତି ହିଁ ତାଙ୍କ ପାଇଁ ଉନ୍ମୋଚିତ କରିଥିଲା ରାଜନୀତିର ପ୍ରଶସ୍ତ ପଥ ।
୧୯୭୧ରେ ସେ ଲୋକସଭାକୁନିର୍ବାଚିତ ହୋଇଥିଲେ ଏବଂ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ରୁ ୧୯୮୯ ଏବଂ ୧୯୯୫ ରୁ ୧୯୯୯ ଏହି ପରି ତିନୋଟି ପର୍ଯ୍ୟାୟ ଥିଲା ତାଙ୍କର ଦୀର୍ଘ ଅବଧିର ମୁଖ୍ୟମନ୍ତ୍ରୀତ୍ୱ । ମୁଖ୍ୟମନ୍ତ୍ରୀ , ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ପ୍ରଦେଶକଂଗ୍ରେସ କମିଟିର ସଭାପତି ଭାବେ ତାଙ୍କର ଗରିମାମୟ ଖ୍ୟାତି ଆଜି ସମଗ୍ର ଦେଶରେ ଚିରସ୍ମରଣୀୟ । ତାଙ୍କର ବହୁ ଉପାଦେୟପୂର୍ଣ୍ଣ ଲେଖା ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ଓ ଅନ୍ୟ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଥିଲେ । ୨୦୧୫ ଏପ୍ରିଲ-୨୧ ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ଏହି ଯୋଗଜନ୍ମା ଜନନାୟକଙ୍କର ପରଲୋକ ଘଟିଥିଲା । ତାଙ୍କ କୃତି ଓ କୀର୍ତ୍ତି ପାଇଁ ସେ ସବୁବେଳେ ଜନମାନସରେ ଅବିସ୍ମରଣୀୟ ହୋଇ ରହିବେ ।
କୃଷି ଓ କୃଷକଙ୍କ ବିକାଶ ପ୍ରତି ସେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ଗ୍ରାମାଳରେ କୃଷି ଭିିଭୂମି ପ୍ରତିଷ୍ଠା ଏବଂ ପ୍ରତି ପରିବାରରେ ମୁଣ୍ଡପିଚ୍ଛା ଆୟ ବୃଦ୍ଧି ପାଇଁ କୃଷିକୁ ପ୍ରମୁଖ ଗୁରୁତ୍ୱ ଦିଆଗଲେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବ ବୋଲି ସେ ବାରମ୍ବାର କହୁଥିଲେ । ରାଜ୍ୟ ଜନସଂଖ୍ୟାର ମୋଟ ୭୦ ଭାଗ ଲୋକଙ୍କ ଲହୁ ଲୁହ ଭରା କଠିନ ପରିଶ୍ରମରେ ଅନ୍ୟ ୩୦ ଭାଗ ଲୋକ ସୁଖ ସ୍ୱଚ୍ଛନ୍ଦରେ ରହୁଥିବା ବେଳେ ଏହି କୃଷିଜୀବିଙ୍କର ବିକାଶ ଘଟୁ ନ ଥିବାରୁ ସେ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିର୍ବନ ଆଣିଥିଲେ । ଯାହା ଫଳରେ ୧୯୯୬ ମସିହା ଏପ୍ରିଲ ୧୬ ତାରିଖ ଦିନ ସରକାରୀ ସ୍ତରରେ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରାଯିବା ସହ ରାଜ୍ୟରେ କୃଷି ଅର୍ଥନୀତିର ଅଭିବୃଦ୍ଧି ଓ କୃଷକ ସମାଜର ବିକାଶ ପାଇଁ ପ୍ରଥମ କରି ନୂତନ ପ୍ରଗତିଶୀଳ କୃଷିନୀତି ପ୍ରଣୟନ କରାଯାଇଥିଲା । ତେଣୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ କୃଷି ଭିତ୍ତିକ ଆଦ୍ୟ ପର୍ବ ଅକ୍ଷୟ ତୃତୀୟା ଦିବସକୁ କୃଷକ ଦିବସ ରୂପେ ସରକାରୀ ସ୍ତରରେ ପାଳନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଶିଳ୍ପର ପ୍ରୋତ୍ସାହନ ପାଇଁ ଇପିକଲ ଓ ସେହିଭଳି କୃଷିକୁ ଶିଳ୍ପରେ ପ୍ରୋତ୍ସାହନ ପାଇଁ ଆପିକଲ ସଂସ୍ଥା ଗଠନ କରିଥିଲେ । ପ୍ରତି କୃଷି ଜିଲ୍ଲାସ୍ତରରେ କୃଷି ତଥା ଆନୁସଙ୍ଗିକ କୃଷିର ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ପାଇବା ଏବଂ କୃଷିଜୀବୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ପରାମର୍ଶ ନେବା ନିମନ୍ତେ ପ୍ରତି ଜିଲ୍ଲାରେ କୃଷି ସହାୟକ ଓ ପରାମର୍ଶ କେନ୍ଦ୍ର ସ୍ଥାପନ କରାଯାଇଥିଲା ।
୧୯୮୦ ମସିହାରେ କୃଷି କ୍ଷେତ୍ରରେ ଓଡ଼ିଶା ଥିଲା ସବୁଠୁ ପଛୁଆ ରାଜ୍ୟ । ତେଣୁ ୧୯୮୦ ମସିହାରୁ ଆରମ୍ଭ ହେଲା କୃଷି ଓ କୃଷକଙ୍କ ପାଇଁ ଅଭିନବ ଉଦ୍ୟମ । ରାଜ୍ୟର ଚାଷଯୋଗ୍ୟ ଜମିର ମାତ୍ର ୧୯ ଭାଗ ଜଳସେଚିତ ହେଉଥିଲା । ତାହା ୧୯୮୦ ଦଶକ ମଧ୍ୟରେ ୨୮ ଭାଗ ଓ ୧୯୯୫- ୨୦୦୦ ମଧ୍ୟରେ ଆହୁରି ୫ ଭାଗ, ଏହିପରି ୩୩ ଭାଗକୁ ବୃଦ୍ଧି କରାଯାଇଥିଲା । କେନାଲ ଜଳସେଚନ, ସେଚକୂପ, ଉଠା ଜଳସେଚନ ପରିମାଣ ବଢ଼ାଇ ଦିଆଯିବା ଦ୍ୱାରା ଏବଂ ଓଡ଼ିଶାରେ ପୂର୍ବରୁ ନ ଥିବା କ୍ରିକ୍ ଜଳସେଚନ କରାଯାଇ, ଏହିପରି ୧୫ ଭାଗ ଜମିକୁ ଅଧିକ ଜଳସେଚିତ କରାଯାଇଥିଲା ଏବଂ ଓଡ଼ିଶାକୁ ଯଥା ସମ୍ଭବ ଏକ ସ୍ୱାବଲମ୍ବୀ ଅବସ୍ଥାକୁ ଅଣାଯାଇଥିଲା । କୃଷିର ବିକାଶ ପାଇଁ ପ୍ରଥମେ ଜଳସେଚନକୁ ଗୁରୁତ୍ୱ ଦିଆଯିବା ଏକାନ୍ତ ଜରୁରୀ । ଓଡ଼ିଶାରେ ନଦୀ ନାଳର ଭରପୂର । ଭୂତଳ ଜଳର ଅଭାବ ନାହିଁ । ବାର୍ଷିକ ବୃଷ୍ଟିପାତ ୧୪୪୦ ମି.ମି. କିନ୍ତୁ ରାଜ୍ୟର ଅଧିକାଂଶ ଚାଷଜମି ଅଣଜଳସେଚିତ । ଯଦି ଜଳର ବିଭିନ୍ନ ଉତ୍ସକୁ ସଠିକ୍ ଭାବରେ ଉପଯୋଗ କରାଯାଇ ପାରିବ ଜମି ଅଣଜଳସେଚିତ ରହିବ ନାହିଁ ।
୧୯୮୦ ମସିହାରେ ଜାନକୀବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓମଫେଡ଼ ସଂସ୍ଥା ସ୍ଥାପନ କରି ଶ୍ୱେତ ବିପ୍ଳବକୁ ଓଡ଼ିଶାରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାରେ ଆଜି ଯଦି ମୁଣ୍ଡ ପିଚ୍ଛା ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ଓ ଗାଁ ଗହଳୀରେ ଚାଷୀମାନେ ଦୁଗ୍ଧ ଉତ୍ପାଦନ କରିବାକୁ ଉତ୍ସାହିତ ହୋଇଛନ୍ତି ଏବଂ ଗ୍ରାମାଞ୍ଚଳରେ ଯେଉଁ ଦୁଗ୍ଧ ସମବାୟ ସମିତିଗୁଡ଼ିକ ମୁଣ୍ଡ ଟେକିଛି ତାହା ମୂଳରେ ରହିଛି ଓମଫେଡ଼୍ । ତାଙ୍କ ଶାସନକାଳ ସମୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ଓପେଲଫେଡ଼ ସ୍ଥାପନ କରାଯାଇଥିଲା । ଆଳୁ ଚାଷର ପ୍ରସାର ପାଇଁ ବିଭିନ୍ନ କୃଷି ଭିତ୍ତିକ ଶିଳ୍ପ ଯଥା- ସୂତାକଳ, ତେଲକଳ, ଚିନିକଳ ସ୍ଥାପନ କରାଯାଇଥିଲା । ରାଜ୍ୟରୁ ଦାରିଦ୍ର୍ୟ ହଟାଇବା ପାଇଁ କୃଷି କ୍ଷେତ୍ରରେ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରିବାକୁ ଜାନକୀବାବୁଙ୍କର ପ୍ରମୁଖ ଲକ୍ଷ୍ୟ ଥିଲା, ଯଦ୍ୱାରା ଗ୍ରାମାଞ୍ଚଳର କୃଷି ଭିତ୍ତିଭୂମି ସୁଦୃଢ଼ ହେଲେ ରାଜ୍ୟର ପ୍ରଗତି ହିଁ ସମ୍ଭବ ହେବ ବୋଲି ସେ ପ୍ରୟାସ କରି ଚାଲିଥିଲେ । ଆଜି ସେ ନାହାନ୍ତି ସତ, କିନ୍ତୁ ଚାଷୀକୁଳ ପ୍ରତି ତାଙ୍କର ସମ୍ବେଦନଶୀଳତା ନିଶ୍ଚିତ ଭାବରେ ଏକ ଅଭୂଲା ସ୍ମୃତି ହୋଇ ରହିବ ।
ଅଧ୍ୟକ୍ଷ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ
ଓଡ଼ିଶା
Comments are closed.