Latest Odisha News

BREAKING NEWS

ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୃଷ୍କୃତାମ୍

ଲକ୍ଷ୍ମଣ ସାହୁ

ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- “ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ / ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ । ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୃଷ୍କୃତାମ୍ / ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।”

ଅର୍ଥାତ୍ ହେ ଅର୍ଜୁନ, ଯେତେବେଳେ ଓ ଯେଉଁ ଠାରେ ଧର୍ମର ଅପଚୟ ଘଟେ ଓ ଅଧର୍ମ ବିସ୍ତାର କରେ ମୁଁ ସେତେବେଳେ ଜନ୍ମ ଗ୍ରହଣ କରେ । ସାଧୁମାନଙ୍କୁ ମୁକ୍ତି କରିବା ପାଇଁ, ଦୃଷ୍ଟମାନଙ୍କୁ ବିନାଶ କରିବାପାଇଁ, ଧର୍ମକୁ ପୁନର୍ବାର ପ୍ରତିଷ୍ଠା କରିବା ପାଇଁ, ମୁଁ ଯୁଗେ ଯୁଗେ ଏହି ଧରାଧାମରେ ଅବତୀର୍ଣ୍ଣ ହୁଏ ।

ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତା ଦେବକୀ ଓ ପିତା ବସୁଦେବଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇ ବି ସେ ସାଧାରଣ ବାଳକ ଭଳି ଲୀଳା କରୁଥିଲେ ।

ପୁରାଣରେ ବର୍ଣ୍ଣିତ ଅଛି ଦ୍ୱାପର ଯୁଗରେ ଭଗବାନ ବିଷ୍ଣୁ ମଥୁରା’ର ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସ ଦ୍ୱାରା ବନ୍ଦୀ ହୋଇଥିବା ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ମାହେନ୍ଦ୍ର ବେଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଆଗମନର ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ପାଇଁ ମାନବ ରୂପ ଧାରଣ କରିଛନ୍ତି, ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ ବୋଲି ଦର୍ଶାଇଛନ୍ତି । କଂସର ଅତ୍ୟାଚାରରୁ ପୃଥିବୀକୁ ଭାର ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ରଖି ଆସିବାକୁ ପିତାଙ୍କୁ କହିଛନ୍ତି । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ଗୋପପୁର ଯାଇଛନ୍ତି ।

ଜଗନ୍ନାଥ ଦାସଙ୍କ ‘ଭାଗବତ’ ବର୍ଣ୍ଣିତ କଥାମୃତ ଅନୁଯାୟୀ କୃଷ୍ଣଙ୍କ ଜନ୍ମ ବେଳେ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ସହ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା । ପ୍ରବଳ ବର୍ଷା ସାଙ୍ଗକୁ ଘନ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ପହଞ୍ଚିଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ । ବସୁଦେବ ସବୁ ବାଧାବିଘ୍ନ ଅତିକ୍ରମ କରି ଶେଷରେ ଶ୍ରୀକୃଷ୍ଣଙ୍କୁ ନନ୍ଦଘରେ ଛାଡିଥିଲେ । ତେଣୁ ପ୍ରତ୍ୟେକ ବର୍ଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳିତ ହୋଇ ଆସୁଛି ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ହସ୍ତିନା ଗମନ କରିଥିଲେ । ସେଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ପ୍ରିୟ ସଖା ଅର୍ଜୁନଙ୍କ ରଥର ସାରଥୀ ସାଜି ରଥକୁ ସୂଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି, କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରି ଦେଇଥିଲେ । କିନ୍ତୁ ଭଗବାନ କୃଷ୍ଣ ଗୁରୁ ରୂପରେ ଅବତୀର୍ଣ୍ଣ ହୋଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ । କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ବିଜୟୀ କରିଥିଲେ । ଶ୍ରୀକୃଷ୍ଣ ଥିଲେ ବିଚକ୍ଷଣ କୂଟନୀତିଜ୍ଞ । ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଭଳି ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗର ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ ପାଲଟି , ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ ପୂଜିତା ।

ଏସବୁ ଦୃଷ୍ଟିରୁ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ମହାପ୍ରୟାଣ ଘଟିଲା, ସେହି ଦିନରୁ କଳି ଯୁଗ ଆରମ୍ଭ ହୋଇଛି ଓ ବର୍ତ୍ତମାନ କଳି ଭୋଗବ୍ଦ ୫୧୧୩ ଚାଲିଛି । ଗବେଷକମାନେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିବା ମତ ଦିଅନ୍ତି ।

ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ନିଜକୁ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଟାରେ କୃଷ୍ଣଜନ୍ମ ଉତ୍ସବ ପାଳନ କରି ଉପବାସ ଭାଙ୍ଗିଥାନ୍ତି । ଗାଁ’ ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ାଯାଏ । ଶ୍ରୀମନ୍ଦିରରେ ପାଳିତ ପର୍ବ ପର୍ବାଣିମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ । ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି ।

ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ ହୁଏ । ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି । ଜୟ ଭାରତ ସେବାସଂଘର ସଦସ୍ୟମାନଙ୍କ ଦ୍ବାରା ଗଠିତ ମାନବ ମିନାର ଯାହା ଉପରେ ଲଟକାଯାଇଥିବା ଦହିହାଣ୍ଡିକୁ ଭାଙ୍ଗିବାପାଇଁ ଉଦ୍ୟତ ହୁଅନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ସେଠି ଏହି ଉତ୍ସବ ବିଶେଷ ଯାକଯମକ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ସେଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।

ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି କୁହାଯାଇଛି । ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନେବା ଆବଶ୍ୟକ । ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ । ଆଜିର ଏ କଳୁଷ କାଳରେ ଶୁଦ୍ଧପୂତ ମନରେ ଜନ୍ମାଷ୍ଟମୀ ପାଳନ କରି ସେହି ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଵାଣୀ ସ୍ମରଣ କରି କର୍ମଯୋଗରେ ନିଜକୁ ସମର୍ପିତ କଲେ ମୁକ୍ତି ମିଳିବ ବୋଲି ଆଧ୍ୟାତ୍ମିକ ବିଶ୍ବାସ ରହିଛି!

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪
ଦୂରଭାଷ: ୯୪୩୭୭ ୪୦୨୮୦
Email : Laxmansahoo9040@gmail.com

Comments are closed.