ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୋଡ଼ ବଦଳ 

ଗୋଟିଏ ବିନ୍ଦୁରେ ଠିଆହୋଇଥାଏ ମୁଁ । ପାଦ ଥାଏ ସ୍ଥିର । ହଜାର ଦିଗକୁ ଥାଏ ପାଦ କାଢ଼ିବା ଲାଗି ହଜାର ହଜାର ସମ୍ଭାବନା । କେଜାଣି କେମିତି ଚମକେ ସେ ବିଜୁଳୀ (ହୁଏତ ପୂର୍ବ ନିର୍ଦ୍ଧାରିତ ) । ମୁଁ ପାଦ କାଢେ ଗୋଟିଏ ଦିଗରେ,ଗୋଟିଏ ରେଖାରେ ତାର ସେହି କ୍ଷଣିକ ଆଲୁଅର ରୋଷଣିରେ । ତା ପରେ ଆରମ୍ଭ ହୁଏ ମୋ ପାଇଁ ରାସ୍ତା । ଯେଉଁଠୁ ମାପିହେବା ପାଇଁ ରାସ୍ତା ସାରା ବିଛେଇ ହୋଇପଡ଼ିଥାଏ ଗତିର ରୂପରେଖ । ଯେତିକି ଶକ୍ତି ରୋପେ ମୁଁ ସେହି ରାସ୍ତାରେ ମୋର ପାଦ ଯୋଡ଼ିକ ଉଦ୍ୟତ ଭଙ୍ଗୀରେ ରଖି ସେତିକି ହିଁ ଫର୍ଚ୍ଚା ଦିଶେ ଆଖିକୁ ଅନ୍ଧାର ହୋଇ ଦିଶୁଥିବା କେଇ ଫର୍ଦ୍ଦ ଆକାଶର ଦେହ ।

ମୋଡ଼ ପରେ ମୋଡ଼ ଡେଇଁ ରାସ୍ତାକୁ ଅତିକ୍ରମି ଯିବାର ଅଭୀପ୍ସା ହୁଏତ ଯାତ୍ରା ହୋଇଥାନ୍ତା ଯେଉଁଠି ହଜାର ପ୍ରକାର ଦ୍ବନ୍ଦ୍ୱ ଓ ସ୍ବପ୍ନକୁ ରୁଣ୍ଡେଇ, ଗଅଁଠେଇ ନିଜକୁ ପ୍ରସ୍ତୁତ କରିଥାଏ ଯାତ୍ରୀ । ଆରମ୍ଭରୁ ନିଜର ଗତିଶୀଳ ପାଦ ଏବଂ ଝୁଙ୍କକୁ ନେଇ ମୁଁ ସ୍ଥିର ନିଶ୍ଚିତ ଯେ ଗତାନୁଗତିକ ନୁହେଁ ମୋର ଚଲାପଥ । ନିର୍ଦ୍ଦିଷ୍ଟ ନୁହେଁ ବି ମୋର ଗନ୍ତବ୍ୟ ସ୍ଥଳ । ମୋତେ ଚାଲିବାର ଅଛି ଏବଂ ଚାଲିବା ରାସ୍ତାକୁ ନିଜ ମୁତାବକ ତିଆରି କରିବାର ଅଛି ବୋଲି ସ୍ୱଚ୍ଛନ୍ଦ ମୋର ପାଦଦ୍ୱୟ । ଚାଲିବା ଭିତରେ ରାସ୍ତାମାନ ମୋତେ କେବେ ସାପ ଭଳି ବନ୍ୟ ଓ ଭୟାନକ ଲାଗୁଥିଲା ବେଳେ କେବେ ଲାଗେ ଦୌଡୁଥିବା ଶିଡି ପରି । ପୁଣି କେବେ ବୋଉର ପଣତ ଭଳି ବେଢ଼େଇ ହୋଇ ମୋତେ ମୋହଗ୍ରସ୍ତ କରୁଥିଲାବେଳେ କେବେ ଲାଗିଛି ଶୁଖିଯାଇଥିବା ଲମ୍ବାଳିଆ କ୍ଷତର କଟାଦାଗ ପରି । ଆକାଶର ଛାୟାପଥ ହେଉ ଅଥବା ଜେଟ ବିମାନର ଧୂଆଁଧାର ମୋ ପାଇଁ ରାସ୍ତା ହିଁ ଆଲୋକିତ ଅନ୍ଧାରର ଶାଣିତ ଖଣ୍ଡାଧାର । ଚାଲିବା ହିଁ ଜିଦ୍ । ଅଟକି ନଯିବାଟା ହିଁ ମୋର ଥୟପଣ ।

ମୋ ଝିଅ ଆଜି କୌଣସି ବି ଲ୍ୟାଣ୍ଡସ୍କେପ ଆଙ୍କୁ ସେ ରାସ୍ତାଟେ ହିଁ ଆଙ୍କୁଚି । ତହିଁରେ କେବେ ଉଡିଯାଉଥିବା ପକ୍ଷୀର ଛାଇ , ଲୋହିତ ସୂର୍ଯ୍ୟର ସ୍ପର୍ଶରେ ମଞ୍ଜୁଳ ଦିଶୁଥିବା ଧ୍ୟାନସ୍ଥ ଲମ୍ବା ଗଛ ରଖି ରାସ୍ତା ଗୋଟେ ସହଜରେ ଗାରେଇ ଦେଇ ପାରୁଛି । ପ୍ରଥମେ ସେ ପାହାଡ଼ ଦିଗବଳୟ କି ବଡ଼ ଗଛର ଲାଇନିଂ କରି ରାସ୍ତାଟେ ବିଛେଇ ଦେଉଛି ସ୍ପଷ୍ଟ କରି । ଭିନ୍ନ ଭିନ୍ନ ରଙ୍ଗର ଛିଟିକା ମାରି ସେ ରାସ୍ତାକୁ ରଙ୍ଗୀନ କରୁଛି ତ କେବେ ରାପୁଞ୍ଜଲର ବେଣୀ ଭଲି ଲମ୍ବେଇ ଦେଉଛି ରାସ୍ତାକୁ ପାହାଡ଼ ସନ୍ଧିରୁ ଚାଷ କ୍ଷେତ , ଗାଁ ଗଣ୍ଡା ସମୁଦ୍ର ଆଡ଼କୁ । ତା ରାସ୍ତା ପୁଣି କେବେ ବହିଯାଏ ନଈ ଧାରପରି । ଆଉ ମୁଁ ଛୋଟ ଛୋଟ ସଭ୍ୟତାକୁ ସେହି ଚିତ୍ରର ନଈ କୂଳରୁ ବାହାର କରି କୀବନମନସ୍କ ହେଉଛି , ଆନନ୍ଦିତ ହେଉଛି ।

ପଚାରି ପାରିନି ଝିଅକୁ ସେ ରାସ୍ତାର ଆକର୍ଷଣରେ କେମିତି ! ସେ କଣ ଜାଣି ସାରିଛି ମୋ ଭିତରର ଗତିଶୀଳତା ହିଁ ରାସ୍ତା ଯାହାର ପ୍ରତିରୂପ ତୁମେ !! ପଥ ବିନିର୍ମାଣର ଏହି ଆଧ୍ୟାତ୍ମିକ ପ୍ରକ୍ରିୟାରେ ସେ କଣ ଜୀବନ ଦେଉଛି ରାସ୍ତାକୁ ! ପଚାରି ହେଇନି ତାକୁ । ବୋଧହୁଏ ପଚାରିହେବନି । ପରିପକ୍ଵତାର ଗାମ୍ଭୀର୍ଯ୍ୟ ତାର ସୁନ୍ଦର ସୁକୁମାର ମୁହଁରେ ଏମିତି ବୋଳି ହୋଇ ରହିଛି ଯେ ତାକୁ ପଚାରିବା ପୂର୍ବରୁ ବହୁତ କିଛି ଭାବନା ଗଛ ହୋଇ ରୋପି ହୋଇଯାଇଥାନ୍ତି ମୋ ଚାଲିବାର ରାସ୍ତା ଦିକଡ଼ରେ ।

ତୁମେ ଜଣେଇ ସାରିଛ ମୋ ଶୃଙ୍ଖଳାଭଙ୍ଗର ସ୍ୱତନ୍ତ୍ରତାକୁ ତୁମେ ସମର୍ଥନ ନକଲେ ବି ସମ୍ମାନ କର । କାରଣ ତହିଁରେ ମୋ ସ୍ୱଚ୍ଛନ୍ଦତା ଓ ସ୍ୱାଧୀନତା । ଗତାନୁଗତିକତାର ଶୃଙ୍ଖଳ ମୁଁ ନଚାହିଁଲା ଯାଏଁ ମୋତେ କୌଣସି ପରିପ୍ରେକ୍ଷୀରେ ଛନ୍ଦି ପାରିବ ନାହିଁ ବୋଲି ତୁମେ ଜାଣ ତେଣୁ ତୁମର ଏହି ଅଭିନବ ସମର୍ପଣ । ସକଳ ଗତାନୁଗତିକତାର ଉର୍ଦ୍ଧ୍ବରେ ତୁମର ଏହି ଅଭିନବତ୍ୱ ମୋତେ ଅସମ୍ଭବ ଭାବରେ ଗତିଶୀଳ କରାଏ ଅଭିନବ । ଯେତିକି ଦ୍ରୁତ ଏବଂ ଲୟବିଦ୍ଧ ହେଉଛି ମୋର ଗତି ସେତିକି ସେତିକି ଦୁର୍ବଳ ହୋଇ ଅପସାରିତ ହେଉଛି ସ୍ଥିତିବଦ୍ଧତା ଓ ଗତାନୁଗତିକତା । ଉପୁଡ଼ି ପଡିଥିବା ଗଛର ଦେହକୁ ନେଇ ଭାସି ଯାଉଥିବାର ସୁଅ ମୋ ପାଇଁ ଯେମିତି ରାସ୍ତା ତହିଁରୁ କେନା ମାରୁଥିବା ପତ୍ରଙ୍କ ଅନୁରଣନର ସ୍ୱର ବି ସେମିତି ମୋ ପାଇଁ ରାସ୍ତା ।

ମୋ ଗତି ପାଇଁ , ସ୍ଥିତି ପାଇଁ , ପ୍ରୀତି ପାଇଁ , ଅମୀମାଂସିତ ପ୍ରଶ୍ନ ସବୁରୁ ମୁକ୍ତି ପାଇଁ ସୁଦୃଶ୍ୟ ପ୍ରମାଣ ତୁମେ ନିଜେ ହିଁ – ଅସୀମ , ଅନନ୍ତ ଅଥଚ ମୂର୍ତ୍ତ ଓ ନିର୍ଦ୍ଦିଷ୍ଟ । ତୁମକୁ ଆଧାର କରି ହୁଏତ ମୁଁ ପୂର୍ଣ୍ଣ ହୋଇନପାରେ କିନ୍ତୁ ଢେର ଗର୍ବ କରେ , କେବଳ ପ୍ରେମରେ ଥାଏ ।
ତୁମର
ମୁଁ