Latest Odisha News

BREAKING NEWS

ଜନ୍ମାଷ୍ଟମୀକୁ ନେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର, ସୁରକ୍ଷା କଡ଼ାକଡ଼ି

ବାଲିଗୁଡ଼ା: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ । ଏହି ତିଥିରେ ପାଳନ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳନ ହେଉଥିଲା । ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ୱାମୀଜୀ ଯୋଗ ଦେବେ ।

୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ସ୍ୱାମୀଜୀଙ୍କ ସମେତ ତାଙ୍କର ୪ ଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ଏହାପରେ ଅଶାନ୍ତ ହୋଇ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ସାରା ଜିଲ୍ଲାରେ । ବହୁ ଧନ ଜୀବନ ନଷ୍ଟ ହେବା ସହ ବହୁ ଲୋକଙ୍କ ପ୍ରଣହାନୀ ଘଟିଥିଲା । ଇତ ମଧ୍ୟରେ ସ୍ୱାମୀଜୀଙ୍କ ହତ୍ୟା ଘଟଣାକୁ ପୂରିଛି ୧୪ ବର୍ଷ ।

ଆସନ୍ତାକାଲି ଉତ୍ସବ ପାଳନ ପାଇଁ ଜଲେଶପଟ୍ଟା ଆଶ୍ରମ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗୁରୁବାର ସକାଳୁ ପ୍ରଭାତ ଫେରି, କଳସ ଯାତ୍ରା, ନାମ ସଂକୀର୍ତ୍ତନ ହେବା ସହ ସୂର୍ଯ୍ୟ ପୂଜା, ଗୋ ପୂଜା, ହନୁମାନ ଚାଳିଶା ପାଠ ପ୍ରଭୃତି ଦିନ ତମାମ୍ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଳନ କରାଯିବ । ସଂସ୍କୃତିକୁ ରକ୍ଷା କରିବା ସ୍ୱାମୀଜୀଙ୍କ ମୂଳ ଲକ୍ଷ୍ୟ ଥିଲା । ସ୍ୱାମୀଜୀଙ୍କୁ ସ୍ମରଣ କରି ଆମେ ଆଜି ବି ତାଙ୍କ ଚଲାପଥରେ ଚାଲିଛୁ ବୋଲି କହିଛନ୍ତି ଆଶ୍ରମ ମୁଖ୍ୟ । ଅନ୍ୟପଟେ ଏହି ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ଜିଲ୍ଲା ପୋଲିସ । ତୁମୁଡିବନ୍ଧର ଜଲେଶପଟ୍ଟାରେ ଜଣେ ଡିଏସପି, ତିନିଜଣ କମାଣ୍ଡାଣ୍ଟ, ୯ ଜଣ ଅଫିସର,୧ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ସ୍ଥାନୀୟ ପୋଲିସ୍ ମୁତୟନ ଅଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭୀନିତ୍ ଅଗ୍ରୱାଲ ସମସ୍ତ ସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।

Leave A Reply

Your email address will not be published.