ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ଜାରି ସଦ୍ୟତମ ର୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଦବଦବା ବଜାୟ ରହିଛି । ଟେଷ୍ଟ ବୋଲିଂରେ ଜସପ୍ରୀତ ବୁମରା, ଅଲରାଉଣ୍ଡରରେ ରବୀନ୍ଦ୍ର ଜାଡେଜା ଏବଂ ଦିନିକିଆ ବ୍ୟାଟିଂରେ ଶୁଭମନ ଗିଲ୍ ପ୍ରଥମ ସ୍ଥାନରେ କାଏମ ଅଛନ୍ତି । ବୁମରା (୮୭୦ ପଏଣ୍ଟ) ଲଗାତାର ୨୧ ମାସ ଧରି ଶୀର୍ଷ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡର ମ୍ୟାଟ୍ ହେନରୀ (୮୬୧) ଦ୍ୱିତୀୟ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ (୮୩୮) ତୃତୀୟ ସ୍ଥାନରେ ଅଛନ୍ତି । ଜାଡେଜା (୪୪୬ ପଏଣ୍ଟ) ଗତ ୧୫୫୬ ଦିନ ହେବ ପ୍ରଥମ ସ୍ଥାନରେ ଅଛନ୍ତି । ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ୍ (୩୪୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବ୍ୟାଟିଂରେ ଅଷ୍ଟ୍ରେଲିଆର ଟ୍ରେଭିସ୍ ହେଡ୍ (୮୫୩ ପଏଣ୍ଟ) ପ୍ରଥମ ଓ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ (୮୫୨) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଭାରତର ଶୁଭମନ ଗିଲ୍ (୭୪୩) ୭ମ ଏବଂ ଯଶସ୍ୱୀ ଜୈସୱାଲ (୭୩୩) ୯ମ ସ୍ଥାନରେ ରହିଛନ୍ତି ।
ପାକିସ୍ତାନର ବାବର ଆଜମ ୫ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନ (୭୧୬ ପଏଣ୍ଟ) ସହ ପୁଣି ଟପ୍୧୦କୁ ଫେରିଛନ୍ତି । ଭାରତୀୟ ଅଧିନାୟକ ଶୁଭମନ ଗିଲ ଦିନିକିଆ ବ୍ୟାଟିଂ ର୍ୟାଙ୍କିଙ୍ଗରେ (୮୦୧ ପଏଣ୍ଟ) ପ୍ରଥମ ସ୍ଥାନରେ ଅଛନ୍ତି । ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ (୭୯୪) ଦ୍ୱିତୀୟ, ବିରାଟ କୋହଲି (୭୬୭) ତୃତୀୟ ଓ ରୋହିତ ଶର୍ମା (୭୫୮) ୪ର୍ଥ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନର ରାଶିଦ ଖାନ୍ (୭୧୩ ପଏଣ୍ଟ) ନମ୍ବର ୧ ବୋଲର ହୋଇଥିବା ବେଳେ ପାକିସ୍ତାନର ଅବରାର ଅହମ୍ମଦ (୬୭୫) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଫଗାନିସ୍ତାନର ଅଜମତୁଲ୍ଲା ଉମରଜାଇ ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି । ଆଇସିସି ର୍ୟାଙ୍କିଙ୍ଗ କେବଳ ରନ୍ କିମ୍ବା ୱିକେଟ୍ ଉପରେ ନିର୍ଭର କରେ ନାହିଁ । ବିପକ୍ଷ ଟିମ୍ର ଶକ୍ତି, ମ୍ୟାଚ୍ର ପରିସ୍ଥିତି ଏବଂ ଖେଳାଳିଙ୍କ ଲଗାତାର ଭଲ ପ୍ରଦର୍ଶନକୁ ଆଧାର କରି ଏହି ରେଟିଂ ପଏଣ୍ଟ ପ୍ରଦାନ କରାଯାଏ ।
