ଭଦ୍ରକ: ଯାତ୍ରା ଜଗତ ପାଇଁ ଏକ ଦୁଃଖଦ ଘଟଣା । ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ରହିଛି ।
ଖବରମୁତାବକ, ଗୁରୁ ପୃଷ୍ଟି ଭଦ୍ରକରୁ ଧାମନଗର ଅନ୍ତର୍ଗତ ଷେଣ୍ଡପୁରକୁ ଅଭିନୟ ପାଇଁ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡ଼ିପୁର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ ଡାକ୍ତର ।
ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ପରେ ସେ କେବେ ପଛକୁ ଚାହିଁନଥିଲେ ।