ଭୁବନେଶ୍ବର: ଆଜି ଯାତ୍ରା କମିଟି ମହାସଂଘ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଦିଆଯାଇଛି। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏହା ସହ ଯାତ୍ରାରେ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ସଂଳାପ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ପାଇଁ ମହାସଂଘ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ସମୟରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ବଢିବାରେ ଲାଗିଛି। ବ୍ୟବସାୟିକ ଲାଭ ଉଦ୍ଦେଶ୍ୟରେଯାତ୍ରା ଅନୁଷ୍ଠାନମାନେ ନଗ୍ନ ନୃତ୍ୟକୁ ସୁଯୋଗ ଦେଉଥିବା ସାଧାରଣରେ ଆଲୋଚନା ହେଉଛି। ଏନେଇ ଯାତ୍ରାପାର୍ଟି ମାଲିକମାନେ ଦାୟୀ ବୋଲି କହିଛି ଯାତ୍ରା କମିଟି ମହାସଂଘ। ଯାତ୍ରାର ରାତ୍ର ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ଏହାର ପ୍ରମୁଖ କାରଣ। ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଆଣିଲେ ଏହି ଅଶ୍ଳୀଳତାରେ ବନ୍ଦ ହୋଇପାରିବ ବୋଲି ମହାସଂଘ କହିଛି।ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୌଣସି ପ୍ରକାରରେ ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ।
Comments are closed.