ଯାତ୍ରା ଦୁଇପାଦ
ବିଜୟ ପ୍ରଧାନ
ପାଦେ ଆଗେଇଲେ
ଦି’ପାଦ ଘୁଞ୍ଚୁଛି ପଛକୁ
କେଜାଣି ସମୟ କୁଆଡ଼େ ନଉଛି ଟାଣି,
କୂଳ ଜଗିଥିବା ଲୋକର ଆୟୁଷ
ବିତେ ଢେଉ ଗଣିଗଣି,
ଉପରେ ବିଶାଳ ଆକାଶ
ଅନନ୍ତ ସମୁଦ୍ରକୁ ଚାହିଁ ଚାହିଁ
ବିଶାଳତା ସାଥେ ଏକାକାର ସିନା
କ୍ଷୁଦ୍ରପଣରୁ ନାହିଁ ଯେ ମୁକ୍ତି ନାହିଁ I
ଅଧିଶ୍ୱର ମୁଁ କଦାଚିତ ନୁହେଁ
ଯେତେ ଯାହା ଦେଖେ ନେତ୍ର
ଚୂର୍ଣ୍ଣ ସକଳ ଅହମିକା ହାତେ
ଅପୂର୍ଣ୍ଣ ଭିକ୍ଷା ପାତ୍ର,
ଦଧୀଚି ହେବାର ମୋହ
ଦେହ ଦେହଳୀରେ ଦହଗଞ୍ଜ ମନ
ଛାଡିକି ପାରୁଛି ଦେହ?
ବଜ୍ର କଠିଣ ମନୋବଳ କାଇଁ ?
ଅମେରୁଦଣ୍ଡୀ ସରୀସୃପଟିଏ ପରି
ଭୁଲୁଣ୍ଠିତ ହେଲେ ମାଟିର ମଣିଷ?
ଆଶ୍ୱIସନାରେ ଚାଲେ ଘୁଷୁରି ଘୁଷୁରି I
ଅହଂକାର ଯେତେ ଅଙ୍କୁଶ ଲଗାଇ
ରୁନ୍ଧିଦେଇଛି ନିଜର ଯାତ୍ରା ପଥ
ସନ୍ତର୍ପଣରେ ପାହୁଣ୍ଡେ ବଢ଼ାଏ
ମାପି ଦେଇ ଦୁଇ ହାତ I
ରକ୍ତ ଜୁଡୁବୁଡୁ କଲିଜା ହାତରେ
ରା଼ଞ୍ଜଟିଏ ପରି ଦୃଢ଼ବତ ଥାଏ ଛିଡ଼ା
ଲତା ବନଲତା ଲତିକାଲିଙ୍ଗନେ
ଆଦରି ମଧୁର ପୀଡ଼ା I
ନୀଳ ମାୟାଜାଲେ ନିଳାଞ୍ଜନାର
ମନ୍ତ୍ରମୁଗ୍ଧ ଆକର୍ଷଣ
ଶିଷ୍ଟ ଉତ୍ତମ ପୋଷା ବୋଲକରା
ଭଲଲୋକୀ ମୂର୍ଖପଣ I
ଏକ ପାଦେ ବେଡ଼ି ଆନରେ ପାଉଁଜି
ରୁପା ଆଠ ଦଶ ଭରି
ସେ ଭାରିପଣକୁ ମସ୍ତକେ ବହି
ଚାଲିଛି ପାଦ ଘୋଷାରି I
ବନ୍ଧୁର ନୁହେଁ ଅଥଚ ବନ୍ଧୁ ର
ଅଲୋଡ଼ାପଣର ଧାସେ
ଯାତ୍ରା ଦୁଇପାଦ ଅତୀବ ଦୂରୁହ
ଲାଂଛନାର ଅନୁପ୍ରIସେ I
ବିଶାଳତା ତୁଚ୍ଛା ଭ୍ରମ,
ଅହଂକାର ମୋର ଆକାଶୁ ବିଶାଳ
ଗୋରୁଖୁରା ଗାତ୍ରେ ପାପୁଲିଏ ଜଳ ସମ I