ଭୁବନେଶ୍ୱର: ଓୟୁଏଟିରେ ଦିନକୁ ଦିନ ବଢ଼ୁଛି ଜଣ୍ଡିସ l ଏହି ପ୍ରସଙ୍ଗରେ ଓୟୁଏଟିକୁ ଟିମ ପଠାଇଛି ୱାଟକୋ l ଏହି ଟିମର ଅଧ୍ୟକ୍ଷତା କରୁଛନ୍ତି ୱାଟକୋର ଜେନେରାଲ ମ୍ୟାନେଜର l କେଉଁ ପାଣି ଦୂଷିତ ହୋଇଛି, ତାହା ଯାଞ୍ଚ କରିବା ସହ ପାଇପଲାଇନ ଦୂଷିତ ହୋଇଛି ନା ନାହଁ ସେନେଇ ବି ନିରୀକ୍ଷଣ କରିବ ଏହି ଟିମ l ତେବେ ଗତକାଲି ଓୟୁଏଟି ପରୀକ୍ଷା ପାଇଁ ପାଣି ଆଣିଥିଲା l ପରୀକ୍ଷା ପରେ ନମୁନା ସମ୍ପୂର୍ଣ୍ଣ ଠିକ ଅଛି l କିନ୍ତୁ ଜଣ୍ଡିସ ପରୀକ୍ଷା ପାଇଁ ଆରଡବ୍ଲୁଏସଏସକୁ ଦିଆଯାଇଛି ବୋଲି ସୂଚନା ଆଦେଇଛନ୍ତି ୱାଟକୋର ଏମଡି ଗୁରୁ ଚରଣ ଦାଶ l
ସୂଚନାଯୋଗ୍ୟ, ଓୟୁଏଟିରେ ଏ ଯାଏଁ ପାଞ୍ଚ ଜଣଙ୍କୁ ଜଣ୍ଡିସ ହୋଇଛି l ସେମାନଙ୍କୁ ସଂଘରୋଧ କରି ଚିକିତ୍ସା ଦିଆଯାଉଛି l ସେମାନଙ୍କୁ ସୁସ୍ଥ ହେବାରେ କିଛି ସମୟ ଲାଗିବ l ଅନ୍ୟ ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯାଇଛି, ସେମାନଙ୍କ ରକ୍ତ ପରୀକ୍ଷା ହୋଇଛି l ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣ୍ଡିସ ଖବର ଆସିବା ପରେ ପ୍ରଥମେ ପାଣି ପରୀକ୍ଷା ହୋଇଛି l ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗୋଟେ ଟିମ ଓ ସିଟି ହେଲଥର ଗୋଟେ ଟିମ ଓୟୁଏଟି ଯାଇଥିଲେ l ସେମାନେ ସବୁ ଯାଞ୍ଚ କରିଛନ୍ତି l ଯେଉଁ ସୂତ୍ରରୁ ଜଣ୍ଡିସ ହୋଇଥିବା ସନ୍ଦେହ କରାଯାଉଛି, ସେଥିପାଇଁ ପଦକ୍ଷେପ ନିଆଯାଉଛି l
ତେବେ ଏ ଜଣ୍ଡିସ ହେପାଟାଇଟିସ-A, ଯାହା ଖାଦ୍ୟ ଓ ପାଣିରୁ ହୁଏ l ହଷ୍ଟେଲ ଖାଦ୍ୟରୁ ଯଦି ହୋଇଥାନ୍ତା, ତେବେ ସମସ୍ତଙ୍କୁ ଜଣ୍ଡିସ ହୋଇଥାନ୍ତା l ତେଣୁ ହୁଏତ ସେମାନେ ସମାନ ସ୍ଥାନରୁ ଖାଇଛନ୍ତି ବା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଛି ବୋଲି କହିଛନ୍ତି ଡାକ୍ତର ମିଶ୍ର l