ଭୁବନେଶ୍ବର: ସବୁ ଚର୍ଚ୍ଚା ସତ ହେଲା । ବିଜେପିର ନୂଆପଡା ପ୍ରାର୍ଥୀ ହେଲେ ଜୟ ଢୋଲକିଆ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି ।
ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ସମସ୍ତଙ୍କୁ ଚମକାଇ, ବିଜେଡିକୁ ବଡ ଝଟକା ଦେଇ, ଗତ ଅକ୍ଟୋବର ୧୧ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଜୟ ହିଁ ବିଜେପିର ନୂଆପଡା ଚେହେରା ହେବ । ଆଉ ମଙ୍ଗଳବାର ଏହାକୁ ଏକପ୍ରକାର ସ୍ପଷ୍ଟ କରିଥିଲେ ବିଜେପିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଥିଲେ, ଯେ “ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଚୂଡାନ୍ତ ହୋଇସାରିଛି । ଖାଲି ଘୋଷଣା ବାକି ଅଛି । ଆସନ୍ତା ୧୬ ତାରିଖରେ ଜୟ ନାମାଙ୍କନ ଦାଖଲ କରିବେ ।”
ଆଉ ବାସ୍ତବରେ ସବୁ ଚର୍ଚ୍ଚାରେ ବିରାମ ପଡି ବିଜେପିର ତାର ପ୍ରାର୍ଥୀ ଘୋଷଣା କରିଛି । ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି ବିଜେପି । ଆସନ୍ତାକାଲି ଜୟ ନାମାଙ୍କପ ପତ୍ର ଦାଖଲ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆସନ୍ତାକାଲି ନୂଆପଡା ଗସ୍ତରେ ଯିବେ । ନୂଆପଡାରେ ପାଓ୍ବାର ଶାେ କରିବା ସହ ଜୟଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ । ଏଥିସହିତ ବିଜେପି ବିଶାଳ ସମାବେଶ ଓ ରୋଡ ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିବ। ଯାହାର ମୋର୍ଚ୍ଚା ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏଥିସହିତ ଏବେ ବିଜେପି ନୂଆପଡାରେ ବଳ ଗୋଟାଉଥିବା ବେଳେ ଅନେକ ବିଜେଡି ଏବଂ କଂଗ୍ରେସ କର୍ମୀ ଏବେ ବିଜେପିର ଯୋଗ ଦେଉଛନ୍ତି । ଏହାକୁ ନେଇ ବିଜେପି ଆସନ୍ତାକାଲି ନୂଆପଡାରେ ବଡ ସମାବେଶ କରିବାକୁ ଯାଉଛି । ଯେଉଁଥିରେ ହଜାର ହଜାର କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ।
ସେପଟେ ଏବେ ବି ବିଜେଡି ଶିବିରରେ ଆଲୋଚନା ଚାଲିଛି । ଗଡରକ୍ଷା ନେଇ କେଉଁ ରଣନୀତି ଆପଣାଇବ ତାକୁ ନେଇ ଚାଲିଛି ଅଙ୍କକଷା । ବିଜେଡି ପୂର୍ବରୁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ନେଇ ଆଶା ବାନ୍ଧି ରଣନୀତି ପ୍ରସ୍ତୁତ କରିଥିବା ବେଳେ, ତାର ସବୁ ଯୋଜନାକୁ ପଣ୍ଡ କରିଛି ବିଜେପି । ଯାହା ପରେ ଏବେ ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ବିଜେଡି କାହାକୁ ନୂଆପଡା ଚେଯେରା କରିବ ତାକୁ ନେଇ ବିଚାରବିମର୍ଷ କରୁଛି । କୁହାଯାଉଛି ମନୋଜ ମିଶ୍ର ଓ ତାରେଶ୍ବରୀ ସାହୁଙ୍କ ମଧ୍ୟରୁ ଜଣଙ୍କ ନାଁରେ ମୋହର ମାରିବେ ନବୀନ । ଯାହାକୁ ନେଇ ଆଲୋଚନା ଚାଲିଛି । ନବୀନ ନିବାସରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି ନବୀନ । କୁହାଯାଉଛି ଘାସିରାମ ମାଝୀ ଓ ଜୟ ଢୋଲକିଆ ନୂଆପଡାର ହୋଇଥିବାରୁ କୋମନା କାର୍ଡ ଖେଳିବ ବିଜେଡି । କୁହାଯାଉଛିି ସନ୍ଧ୍ୟା ସୁଦ୍ଧା ବିଜେଡି ତାର ପ୍ରାର୍ଥୀ ନାମ ଦେଇପାରେ ।
ଅନ୍ୟପଟେ ପୂର୍ବରୁ ନୂଆପଡାରେ ମିଶ୍ରଣ ପର୍ବ କରି କଂଗ୍ରେସ ହାତକୁ ମଜବୁତ କରୁଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଘରକୁ ଘର ବୁଲି ପ୍ରଚାର କରିବା ସହ କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।
Comments are closed.