Latest Odisha News

ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଯାଉ- ବିଜେଡି

ଭୁବନେଶ୍ୱର: କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣକୁ ନେଇ ତାତିଲା ବିଜେଡି । ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହି ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କଲା ବିଜେଡି ।
ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରିବା ଘଟଣା ସାମ୍ନାକୁ ଆସିବା ପରେ ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା । ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରମୟୀ ମିଶ୍ର କହିଛନ୍ତି, ବିଜେପିର ମହିଳାଙ୍କୁ କିପରି ସମ୍ମାନ ଦେଉଛି ତାହାର ଅସଲ ଚିତ୍ର ସମସ୍ତେ ଦେଖୁଛନ୍ତି। ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି ।

ଶ୍ରମୟୀ ମିଶ୍ର କହିଛନ୍ତି, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ବିରୋଧରେ ୧୪ଟି ମାମଲା ରହିଛି । ଯେଉଁଥିରେ ସେ ଜେଲରେ ଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି । ଶ୍ରୀ ମିଶ୍ରଙ୍କର ଲୋକଙ୍କୁ ଧମକ ଦେବା ଓ ଆକ୍ରମଣ କରିବାର ଅଭ୍ୟାସ ରହିଛି । ଆଜି ସେ କର୍ତ୍ତବ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି । ଏହି ଆକ୍ରମଣର ଭିଡିଓ ମଧ୍ୟ ଓଡ଼ିଶା ଲୋକଙ୍କ ଆଗରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।

ଓଡିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ଯ୍ୟାଦା ବିଷୟରେ କହୁଛି । ହେଲେ ତାଙ୍କ ଦଳର କର୍ମୀ ଓ ନେତାମାନେ ଏଭଳି ଭାବେ ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ରକ୍ଷା କରୁଛନ୍ତି ତାହା ଏବେ ସାମ୍ନାକୁ ଆସିଛି ।ବିଧାନସଭାର ବିରୋଧୀ ଦଳର ନେତା ଡ୍ୟୁଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି, ଓଡ଼ିଶା ବିଜେପି ତୁରନ୍ତ ଶ୍ରୀ ମିଶ୍ରଙ୍କୁ ତାଙ୍କର ଏଭଳି ଅପମାନଜନକ ଆଚରଣ ପାଇଁ ବିଧାନସଭାର ବିରୋଧିଦଳ ନେତା ପଦରୁ ହଟାଇନେବା ଉଚିତ । ଏଥିସହ ସର୍ବସାଧାରଣରେ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ଓଡିଶା ବିଜେପି ଏବଂ ଶ୍ରୀ ମିଶ୍ର ଓଡିଶାବାସୀ ବିଶେଷ କରି ଓଡିଶାର ମହିଳାଙ୍କୁ କ୍ଷମା ମାଗିବା ଉଚିତ । ସେମାନେ ନିଶ୍ଚୟ ବୁଝିପାରିବେ ଯେ ଏହିପରି ଅପମାନଜନକ କାର୍ଯ୍ୟ ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଆଦୌ ଗ୍ରହଣୀୟ ନୁହେଁ ।

ସୂଚନାଥାଉ କି, ବିବାଦରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ଆଜି ପ୍ରତିବାଦ ସଭା କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଉଥିବା ବେଳେ ଜୟନାରାୟଣ ଜଣେ ମହିଳା ପୋଲିସଙ୍କୁ ଧକ୍କା ମାରୁଥିବାର ଦଖିବାକୁ ମିଳିଛି । ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଛନ୍ତି ଜୟନାରାୟଣ ଯାହାର ଭିଡ଼ିଓ ଏବେ ଭାଇରଲ ହୋଇଛି ।

Comments are closed.