Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତାଙ୍କ ଟାର୍ଗେଟ: ଏମିତି ସଙ୍ଗୀନ ବେଳାରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାହିଁକି ?

ଭୁବନେଶ୍ୱର:ରାଜ୍ୟର ଏବେ ସଙ୍କଟ ସମୟ । କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦିପହରରେ ହତ୍ୟା । ଅଥଚ  ମାସେ ପରେ ବି ପୋଲିସ ହାତ ଖାଲି । ଏବେ ପରୀକ୍ଷା ଋତୁ ଚାଲିଛି । ଆସନ୍ତାକାଲି ଯୁକ୍ତି ଦୁଇ ପରୀକ୍ଷା । କିନ୍ତୁ ଅଧ୍ୟାପକମାନେ ପରୀକ୍ଷା ବର୍ଜନ କରି ଧାରଣାରେ ବସିଛନ୍ତି । ପିଲା ପରୀକ୍ଷା  ଦେବେ କେମିତି ? ଏପଟେ ବିଧାନସଭା ଚାଲିପାରୁନି ।  ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗର ତଥ୍ୟାନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଧର୍ଷଣ କେସ୍ ରୁଜୁ ହୋଇଛି ।  ଏଥିରୁ ଜଣାପଡୁଛି ରାଜ୍ୟରେ ହାରାହାରି ୪ଟି ହତ୍ୟା ଏବଂ ୧୦ଟି ଧର୍ଷଣ ପ୍ରତ୍ୟେକ ଦିନ ଘଟୁଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତ କିପରି କରିପାରୁଛନ୍ତି ? ଏହା ରାଜ୍ୟ ପାଇଁ ଲଜ୍ଜାଜନକ । ଏମିତି କହି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଜୟନାରାୟଣ କହିଛନ୍ତି, ‘ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ମୁଁ ନିନ୍ଦା କରୁଛି । ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ରାଜ୍ୟ ପାଇଁ ଲଜ୍ଜାଜନକ ଖବର’ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିରୋଧୀ ଦଳ ନେତା ।
ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ମାନସ ପୁତ୍ରଙ୍କ ଉପରେ ଯେଉଁ ଧାରଣା ସାଧାରଣ ଲୋକଙ୍କ ଭିତରେ ତିଆରି ହୋଇଛି, ସେହି ଛବିକୁ ଠିକ୍ କରିବା ପାଇଁ ମୁମ୍ବାଇ ଗସ୍ତ ନୁହେଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସୀମା ବିବାଦ ଓ ରାଜ୍ୟ ବଜେଟର ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଚାଲୁଥିବା ସମୟରେ ବିଧାନସଭାରେ ଉପସ୍ଥିତ ନ ରହି ପ୍ରାୟୋଜିତ ପୁରସ୍କାର ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ତଥାକଥିତ ମାନସ ପୁତ୍ରଙ୍କ ସହ ମୁମ୍ବାଇ ଗସ୍ତ କରିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବିରୋଧୀ ଦଳ ନେତା କହିଛନ୍ତି ଯେ ୫ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ବି ତାଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗର ତଥ୍ୟନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଧର୍ଷଣ କେସ୍ ରୁଜୁ ହୋଇଛି ।   ରାଜ୍ୟରେ ହାରାହାରି ୪ଟି ହତ୍ୟା ଏବଂ ୧୦ଟି ଧର୍ଷଣ ପ୍ରତ୍ୟେକ ଦିନ ଘଟୁଛି ।
ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ଅବସ୍ଥା ଭଲ ନାହିଁ । ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୯ ପ୍ରତିଶତ ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ ୩୧ ପ୍ରତିଶତ ଶିଶୁ ପୁଷ୍ଟିହୀନର ଶୀକାର । ୧୮ ପ୍ରତିଶତ ଉଚ୍ଚତା କମ୍ ଓ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ । ଓଡ଼ିଶାରେ ସ୍ୱାସ୍ଥ୍ୟବସ୍ଥା ନ କହିଲେ ଭଲ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ୨୦୨୨ରେ ଓଡ଼ିଶା ହାଇକୋର୍ଟରେ ଏକ ସତ୍ୟପାଠ ଆଧାରରେ ରାଜ୍ୟ ସରକାର ନିଜେ ଓଡିଶାରେ ୪୪ ପ୍ରତିଶତ ଡାକ୍ତର ପଦବୀ ଖାଲି ଥିବା ଜଣାଇଛନ୍ତି । ଏଥିରୁ ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା କେଉଁ ମାତ୍ରାରେ ଚାଲିଛି । ଆଜି ବି ଗର୍ଭବତୀ ମହିଳା ଖଟିଆରେ ବୁହା ହେଉଛନ୍ତି । ଦାନ ମାଝୀ ପରେ ବି କିଛି ଅଞ୍ଚଳରେ କାନ୍ଧରେ ଶବ ବୁହା ଘଟଣା ସାମ୍ନାକୁ ଆସୁଛି ।

ପିଲା ମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଶିକ୍ଷକମାନେ ଆଜି ରାଜରାସ୍ତାରେ । ରାଜ୍ୟରେ ଶିକ୍ଷାର ଗତି କେଉଁ ଆଡେ ଏଥିରୁ ଜଣାପଡୁଛି । ଓଡ଼ିଶାରେ ସୀମା ବିବାଦ ଘନଉଥିବା ବେଳେ ସୀମା ଅସୁରକ୍ଷିତ ଅଛି । ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟ ସରକାର ସୀମା ବିବାଦ ସମାଧାନର ବାଟ ବାହାର କରିପାରୁନଥିବା ବେଳେ ଆଜି ଆନ୍ତଃରାଜ୍ୟ ସମସ୍ୟା ମୁଣ୍ଡ ଟେକିଛି । ବୌଦ୍ଧ ଜିଲ୍ଲାର ଜାମଗାଟି ଗାଁର ଧରଣୀ ମେହେର ଧାନ ମଣ୍ଡିକୁ ଯାଇ ଧାନ ବିକିବା ପାଇଁ ଅପେକ୍ଷା କରି କରି ଧାନ ବିକ୍ରି ନ ହେବାରୁ ଚିନ୍ତାରେ ତାଙ୍କର ମୃତ୍ୟୁ ଘଟିଲା। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହି ଖବର ଅଛି କି ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

 

Leave A Reply

Your email address will not be published.