Latest Odisha News

BREAKING NEWS

ଓ୍ବକଫ ସମର୍ଥନ…ଫସିଯିବେ ନୀତିଶ !

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁରେ ‘ଓ୍ବକଫ ଝଡ଼’ । ବିଲକୁ ସମର୍ଥନ କରିବା ପରେ ଦଳ ଛାଡିଲେ ନେତା । ବିଜେପି ସ୍ବର ମିଳାଇ ଫସିଯିବେ କି ନୀତିଶ କୁମାର ? ବିହାର ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ସଂସଦରେ ଓ୍ବକଫ ବିଲକୁ ସମର୍ଥନ କରିଛି ଜେଡିୟୁ । ତେବେ ଏହାକୁ ନେଇ ଦଳ ଭିତରେ ଘମାସାନ ହୋଇଛି । ବିଲକୁ ସମର୍ଥନ ଆଭିମୁଖ୍ୟକୁ ବିରୋଧ କରି ମୁସଲିମ ନେତା ଦଳ ଛାଡୁଛନ୍ତି । ପ୍ରଥମେ ଜେ଼ଡିୟୁର ବରିଷ୍ଠ ମୁସଲିମ ନେତା କାସିମ ଅନସାରୀ ଓ ଦଳର ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଦେଶ ସଚିବ ମହମ୍ମଦ ନଓ୍ବାଜ ମଲ୍ଲିକ ଅସନ୍ତୋଷ ପ୍ରକାଶ କରିବା ସହ ଦଳରୁ ଇସ୍ତଫା ଦେଇଥିଲେ। ପରେ ତବରେଜ ସିଦ୍ଦିକି ଅଲିଗ ଓ ଦିଲସାନ ରାୟିନ ନୀତିଶ ଦଳ ଛାଡିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ନୀତିଶଙ୍କୁ ମହଙ୍ଗା ପଡିବ କି ଓ୍ବକଫ ସମର୍ଥନ?

‘ଜେଡିୟୁରୁ ଭାଙ୍ଗିଗଲା ବିଶ୍ବାସ’

ମୁସଲିମ ସଂଗଠନର ପ୍ରବଳ ଚାପ ସତ୍ତ୍ବେ କେନ୍ଦ୍ର ସରକାରଙ୍କ ସହ ସ୍ବର ମିଳାଇଥିଲେ ନୀତିଶ କୁମାର, ତେବେ ଏହାକୁ ନେଇ ଦଳର ମୁସଲିମ ନେତା ଅସନ୍ତୁଷ୍ଟ । ଜେଡିୟୁର ଧର୍ମନିରପେକ୍ଷତା ସ୍ବର ଉପରେ ଲକ୍ଷ ଲକ୍ଷ ଭାରତୀୟଙ୍କର ଭରସା ଥିଲା । ଓ୍ବକଫ ସଂଶୋଧନ ବିଲକୁ ଦଳ ସମର୍ଥନ କରିବା ପରେ ଏହି ବିଶ୍ବାସ ଭାଙ୍ଗି ଯାଇଥିବା ନଓ୍ବାଜ ମଲ୍ଲିକ ଲେଖିଛନ୍ତି । ସେହିପରି ଓ୍ବକଫ ବିଲ୍ ଭାରତୀୟ ମୁସଲିମ ବିରୋଧୀ, ଏହାକୁ କୌଣସି ପରିସ୍ଥିତିରେ ବି ଗ୍ରହଣ କରାଯାଇ ପାରିବନି ବୋଲି କାସିମ ଅନସାରୀ ଲେଖିଛନ୍ତି। ସମ୍ବିଧାନର ମୌଳିକ ଅଧିକାରକୁ ବିଲ୍ ଉଲ୍ଲଂଘନ କରୁଛି । ବିଲ୍ ଦ୍ବାରା ଭାରତୀୟ ମୁସଲିମଙ୍କୁ ଅପମାନ କରାଯାଇଛି । ହେଲେ ଏକଥା ନା ନୀତିଶ କୁମାର ନା ଜେଡିୟୁ ବୁଝିପାରିଲେ ବୋଲି କାସିମ ଇସ୍ତଫାପତ୍ରରେ ଲେଖିଛନ୍ତି। ତେବେ ଇସ୍ତଫା ଦେଇଥିବା ନେତା ଦଳର ଆଗଧାଡିର ନେତା ନୁହନ୍ତି ବୋଲି ଜେଡିୟୁ ନେତା ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି । ସେପଟେ ଦଳର ଜାତୀୟ ସାଧାରଣ ସଂପାଦକ ଗୁଲାମ ରସୁଲ ବଲିୟାଓ୍ବି ମଧ୍ୟ ଅସନ୍ତୁଷ୍ଟ ଥିବା ଜଣାପଡିଛି ।

ନୀତିଶଙ୍କ ଭାବମୂର୍ତ୍ତି ଉପରେ ପ୍ରଭାବ !

ଜୟପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କଥା କହୁଥିବା ନୀତିଶ କୁମାର ସବୁବେଳେ ଧର୍ମନିରପେକ୍ଷତାକୁ ଜୋର ଦେଇ ଆସିଛନ୍ତି । ଏପରିକି ୨୦୧୪ରେ ଧର୍ମନିରପେକ୍ଷତାର ଦଲିଲ ଦେଇ ଏନଡିଏରୁ ଅଲଗା ହୋଇଥିଲେ ନୀତିଶ । ହିନ୍ଦୁ ରାଷ୍ଟ୍ରର ଜବାବରେ ସମ୍ବିଧାନର ଯୁକ୍ତି ରଖୁଥିବା ଜେଡିୟୁ, ଏଥର ଓ୍ବକଫ ସଂଶୋଧନ ବିଲକୁ ସମର୍ଥନ କରିଛି । ଏହାର ପ୍ରଭାବ ନୀତିଶ ଓ ଜେଡିୟୁର ଧର୍ମନିରପେକ୍ଷ ଭାବମୂର୍ତ୍ତି ଉପରେ କିଛି ମାତ୍ରାରେ ପଡିପାରେ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

ନିର୍ବାଚନରେ ହେବ କି ବୁମେରାଂ ?

ନୀତିଶଙ୍କ ଓ୍ବକଫ୍ ବିଲକୁ ସମର୍ଥନ ବିହାରରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଦଳ ପାଇଁ ବୁମେରାଂ ହେବ କି? ଏହାକୁ ନେଇ ନୀତିଶଙ୍କୁ ଘେରିଲେଣି ବିରୋଧୀ ଓ ବିଭିନ୍ନ ମୁସଲିମ ସଂଗଠନ । ତେବେ ସଂସଦରେ ସଂଜୟ ଝା କହିଛନ୍ତି, ବିଲ୍ ପାରିତ ହେବା ଯୋଗୁଁ ଗରିବ ମୁସଲିମ ଲାଭବାନ ହେବେ । ଫଳରେ ପଛୁଆ ଶ୍ରେଣୀର ଭୋଟର ଜେଡିୟୁ ସହ ରହିବେ । ଜେଡିୟୁ ଶାସନରେ ମୁସଲିମଙ୍କ ପାଇଁ ଅନେକ କାମ ହୋଇଛି, ଯାହା କଂଗ୍ରେସ କି ଆରଜେଡି ଅମଳରେ ହୋଇନଥିଲା ବୋଲି ସଂଜୟ ଝା କହିଛନ୍ତି । ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ମୁସଲିମ ଭୋଟର ବଡ଼ ଅଂଶ ନୀତିଶଙ୍କ ମେଣ୍ଟକୁ ମିଳିଆସିଛି । ହେଲେ ଏଥର ଓ୍ବକଫ ବିଲକୁ ଅସ୍ତ୍ର କରି ମୁସଲିମ ଭୋଟ୍ ଜେଡିୟୁଠାରୁ ଛଡାଇ ନିଜ ଖାତାକୁ ନେବାକୁ ଉଦ୍ୟମ କରିବ ମହାଗଠବନ୍ଧନ । କୁହାଯାଉଛି, ରାଜନୀତିର ପୋଖତ ଖେଳାଳି ନୀତିଶ ଓ୍ବକଫ୍ ନିଷ୍ପତ୍ତି ପୂର୍ବରୁ ନିଶ୍ଚୟ ଲାଭ କ୍ଷତି ଅଙ୍କ କଷିଥିବେ । ତେବେ ପ୍ରଶ୍ନ ଉଠୁଛି, ଓ୍ବକଫ୍ ବିଲକୁ ସମର୍ଥନ ନିର୍ବାଚନରେ ଜେଡିୟୁକୁ ଅସୁବିଧାରେ ପକାଇବ କି? ମୁସଲିମ ଭୋଟରଙ୍କୁ କେମିତି ମନାଇବେ ନୀତିଶ? ମୁସଲିମ ଭୋଟରଙ୍କ ଅସନ୍ତୋଷ ଭିତରେ କେମିତି ବିଜୟ ରଣନୀତି କଷିବେ?

Comments are closed.