Latest Odisha News

BREAKING NEWS

ଆସନ୍ତାକାଲି ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ନିର୍ବାଚନ; କେଉଁସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ହେବ ମତଦାନ, ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ୨୦ଟି ଆସନରେ ଡ଼ିସେମ୍ବର ୭ ତାରିଖ ଅର୍ଥାତ ଆସନ୍ତାକାଲି ୨ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଝାଡ଼ଖଣ୍ଡରେ ଥିବା ଅଧିକାଂଶ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ନିର୍ବାଚନ ପ୍ରଚାର ଗତକାଲିଠାରୁ ସମାପ୍ତ ହୋଇଛି ।

ଆସନ୍ତାକାଲି ଝାଡ଼ଖଣ୍ଡରେ ଥିବା ଯେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେହି ଓଡ଼ିଆ ବହୁଳ ଆସନ ଗୁଡ଼ିକ ହେଲା ଯଥାକ୍ରମେ: ଷଢେଇକଳା, ଖରସୁଆଁ, ମଝିଗାଁ, ଜଗନ୍ନାଥପୁର, ଚକ୍ରଧରପୁର, ମନୋହରପୁର, ଚାଇଁବସା ଏବଂ ଘାଟଶିଳା ପ୍ରମୁଖ ।

ବିଜେପି ପକ୍ଷରୁ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହିସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକରେ ତୋଫାନୀ ନିର୍ବାଚନ ପ୍ରଚାର କରିସାରି ଥିବାବେଳେ ଅନ୍ୟଦଳ ଗୁଡ଼ିକ ପକ୍ଷରୁ ମଧ୍ୟ ଏହିସବୁ ଅଞ୍ଚଳରେ ନିର୍ବାଚନ ପ୍ରଚାର ସରିଛି ।

ଏହି ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ଝାଡ଼ଖଣ୍ଡ ବିଧାନସଭାର ୨୦ଟି ନିର୍ବାଚନ ମଣ୍ଡଳୀ ଲାଗି ହେବ ଭୋଟଗ୍ରହଣ । ଯେଉଁ ୨୦ଟି ଆସନ ଲାଗି ମତଦାନ ଅନୁଷ୍ଠିତ ହେବ ସେହି ଆସନ ଗୁଡ଼ିକ ହେଲା – ବାହାରଗୋରା, ଘାଟଶିଳା, ପୋଟକା, ଯୁଗସଲାଇ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢେଇକଳା, ଖରସୁଆଁ, ଚାଇଁବସା, ମଝିଗାଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ତମାର, ମନ୍ଦାର, ଟୋର୍ପା, ଖୁଣ୍ଟି, ସିସାଇ, ସିମଡ଼େଗା ଏବଂ କୋଲେବିରା ନିର୍ବାଚନ ମଣ୍ଡଳୀ ।

ଝାଡ଼ଖଣ୍ଡରେ ୫ଟି ପର‌୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଡ଼ିସେମ୍ବର ୧୨ରେ ୩ୟ ପର‌୍ୟ୍ୟାୟ, ଡ଼ିସେମ୍ବର ୧୬ରେ ୪ର୍ଥ ପର‌୍ୟ୍ୟାୟ ନିର୍ବାଚନ ଏବଂ ଡ଼ିସେମ୍ବର ୨୦ ତାରିଖରେ ୫ମ ତଥା ଚୂଡ଼ାନ୍ତ ପର‌୍ୟ୍ୟାୟ ମତଦାନ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ ରହିଛି ।

ଡ଼ିସେମ୍ବର ୨୩ ତାରିଖରେ ଭୋଟ୍ ଗଣନା ହୋଇ ନିର୍ବାଚନ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.