Latest Odisha News

BREAKING NEWS

ଜୋରଦାର୍ ହେଉଛି ନିର୍ବାଚନ ପ୍ରଚାର; ଅମିତ ଶାହ ଓ ରାହୁଲ ଗାନ୍ଧୀଙ୍କ ପରସ୍ପରକୁ କଟାକ୍ଷ !

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପରେ ଅବଷିଷ୍ଟ ଆଉ ୪ଟି ପର୍ଯ୍ୟାୟ ମତଦାନ ଲାଗି ସବୁଦଳ ଶାଣିତ ଢଙ୍ଗରେ ପ୍ରଚାର କରିବା ଆରମ୍ଭ କରିଛନ୍ତି । ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାହୁଲଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିବାକୁ ପଛେଇ ନାହାନ୍ତି । ରାଜନୈତିକ ଦଳଗୁଡ଼ିକର ପ୍ରଚାର ଜୋରସାର୍ ଚାଲିଥିବା ବେଳେ ଏବେ ଝାଡ଼ଖଣ୍ଡର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇ ଚାଲିଛି । ସାରା ଭାରତର ଦୃଷ୍ଟି ଏବେ ଝାଡ଼ଖଣ୍ଡ ନିର୍ବାଚନ ଉପରେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟର ସିମଡ଼େଗା ଅଞ୍ଚଳରେ ତୋଫାନୀ ନିର୍ବାଚନ ପ୍ରଚାର କରିସାରିଥିବା ବେଳେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରକୁ ରାହୁଲ ତାଙ୍କ ଶାଣିତ ଭାଷଣରେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଅମିତ ଶାହ ରାହୁଲଙ୍କୁ ଏହାର ଜବାବ ଦେଇ ଏନଆରସି ପ୍ରସଙ୍ଗ ଉଠାଇଛନ୍ତି ।

ଋାହୁଲ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ, ଯେଉଁମାନେ ଏନଆରସିରୁ ବଞ୍ଚିତ ହେବେ ସେମାନେ ଯିବେ କୁଆଡ଼େ? । ଏହାର ଜବାବ ଦେବାକୁ ଯାଇ ଅମିତ ଶାହ କହିଛନ୍ତି ଯେ, “ରାହୁଲ ଗାନ୍ଧୀ କହିଲେ ଯେ, ସେମାନଙ୍କୁ ତଡ଼ିଦିଅ ନାହିଁ । ସେମାନେ କୁଆଡ଼େ ଯିବେ? ସେମାନେ କ’ଣ ଖାଇବେ? ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରୁଛି ସେମାନେ କ’ଣ ତାଙ୍କର ସମ୍ପର୍କୀୟ ଭାଇ କି? ମୁଁ ଦୃଢ କରି କହୁଛି ଯେ, ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରିଦିଆଯିବ,” ବୋଲି ଚକ୍ରଧରପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ର‌୍ୟାଲିରେ ଅମିତ ଶାହ ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

“ଯେତେବେଳେ କଂଗ୍ରେସ ଶାସନରେ ଥିଲା ସେତେବେଳେ ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ହୋଇ ଝାଡ଼ଖଣ୍ଡ ଆନ୍ଦୋଳନକୁ ଆଗକୁ ନେଇଥିଲା । ଛାତ୍ରମାନଙ୍କୁ ସେତେବେଳେ ଆନ୍ଦୋଳନ ଲାଗି ନିର୍ଯ୍ୟାତନା ଦିଆଯାଇଥିଲା । ମାତ୍ର ସେହି କଂଗ୍ରେସ କୋଳରେ ଜେଏମଏମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ ଆଜି ନିର୍ବାଚନ ଲଢିବା ଠିକ୍ ଲାଗୁନି,” ବୋଲି ଅମିତ କଟାକ୍ଷ କରି କହିଛନ୍ତି ।

ସେହିପରି ଭାବେ ରାହୁଲ ଏକ ନିର୍ବାଚନୀ ସଭାରେ ଅମିତ ଶାହଙ୍କ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, “ଏଠାରେ ଶାସନ କରୁଥିବା ଭାଜପା ସରକାର ସାଧାରଣ ଜନତାଙ୍କ ହିତ ପାଇଁ ନୁହେଁ, ବରଂ ଉଦ୍ୟୋଗପତିଙ୍କ ହିତ ଲାଗି କାର୍ଯ୍ୟ କରୁଛି” ।

ଖାଲି ସେତିକି ନୁହେଁ ରାହୁଲ କେନ୍ଦ୍ରରେ ଥିବା ମୋଦୀ ସରକାରକୁ ଶାଣିତ ସ୍ୱରରେ ସମାଲୋଚନା କରିବାକୁ ପଛେଇ ନାହାନ୍ତି । “କେନ୍ଦ୍ରରେ ବିଜେପି ଶାସନ କରୁନାହିଁ ବରଂ ୨୦ ରୁ ୨୫ ଜଣ ସବୁଠୁ ବଡ଼ ଉଦ୍ୟୋଗପତି ଶାସନ କରୁଛନ୍ତି” ।

ଝାଡ଼ଖଣ୍ଡ ନିର୍ବାଚନ ମଇଦାନରେ ବିଜେପି ଓ କଂଗ୍ରେସ ପରସ୍ପରକୁ କାଦୁଅ ଫିଙ୍ଗି ଚାଲିଥିବା ବେଳେ ରାଜନୈତିକ ବାତାବରଣ ଏକଦମ୍ ଗରମାଗରମ ରହିଛି । ରାହୁଲ ଗାନ୍ଧୀ ଓ ଅମିତ ଶାହ ସମସ୍ତ ନିର୍ବାଚନୀ ସଭାରେ ପରସ୍ପରକୁ କାଉଣ୍ଟର୍ ଆଟାକ୍ କରିବାକୁ ପଛାଉନାହାନ୍ତି ।

ଋାହୁଲ ଓ ଅମିତ ଉଭୟଙ୍କ ଜନସଭାରେ ବିପୁଳ ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହେଉଥିବା ବେଳେ କଂଗ୍ରେସ-ଜେଏମଏମ ମେଣ୍ଟ ଏବଂ ଶାସକ ବିଜେପିର ପ୍ରାର୍ଥୀମାନେ ଏହି ଜାତୀୟ ନେତାଙ୍କ ସଭା ଉପରେ ସବୁ କିଛି ନିର୍ଭର କରୁଥିବା ଦେଖାଯାଉଛି ।

Leave A Reply

Your email address will not be published.