Latest Odisha News

BREAKING NEWS

୨୭ବର୍ଷ ହେଲା ଖୋଜୁଥିଲେ କୁମ୍ଭମେଳାରେ ପାଇଲେ…

ନୂଆଦିଲ୍ଲୀ: ଥିଲେ ଗଙ୍ଗାସାଗର ଯାଦବ ହେଲେ ବାବା ରାଜକୁମାର ! ସିଧାସାଧା ସଂସାରୀ ମଣିଷରୁ ଅଘୋରୀ ବାବା ! ପରିବାରକୁ ଚିହ୍ନିବାକୁ ବାବା ନାରାଜ ! ସତ ଜାଣିବାକୁ ବାବାଙ୍କ ଡିଏନଏ ଟେଷ୍ଟ ପାଇଁ ଦାବି କଲେ ପରିବାର । ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ୨୭ବର୍ଷ ପରେ ହଜିଲା ପୁଅକୁ ପାଇଥିବା କହୁଛନ୍ତି ଝାଡ଼ଖଣ୍ଡର ଏକ ପରିବାର । ସ୍ତ୍ରୀ ସ୍ବାମୀଙ୍କୁ ଘରକୁ ଫେରିବାକୁ ନେହୁରା ହେଉଛନ୍ତି । ହେଲେ ନିଜ ପରିବାରକୁ ଚିହ୍ନୁନାହାନ୍ତି ଅଘୋରୀ ବାବା । କୁମ୍ଭମେଳାର ଏହି କାହାଣୀ ବିଲକୁଲ କୌଣସି ଫିଲ୍ମର କାହାଣୀ ଭଳି ।

୨୭ବର୍ଷ ତଳେ ନିଖୋଜ

୧୯୯୮ ମସିହାରେ ଝାଡ଼ଖଣ୍ଡର ଧାନବାଦରୁ ନିଖୋଜ ହୋଇଯାଇଥିଲେ ଗଙ୍ଗାସାଗର ଯାଦବ । ସାନଭାଇର ବିବାହ ଉତ୍ସବ ଚାଲିଥିବା ବେଳେ ଶାଢୀ କିଣିବାକୁ ଯାଇଥିଲେ ଗଙ୍ଗାସାଗର । ହେଲେ ତାପରେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ତାଙ୍କର ପତ୍ତା ପାଇନଥିଲେ । ନିକଟରେ ଜଣେ ସଂପର୍କୀୟ କୁମ୍ଭମେଳାରେ ଅଘୋରୀ ବାବା ରାଜକୁମାରଙ୍କୁ ଦେଖି ପରିବାର ଲୋକଙ୍କୁ ତାଙ୍କର ଏକ ଭିଡିଓ ପଠାଇଥିଲେ । ଏହାପରେ ଗଙ୍ଗାସାଗରଙ୍କ ପତ୍ନୀ ଧନଓ୍ବା ଦେବୀ, ଦୁଇ ପୁଅ କମଳେଶ, ବିମଳେଶ ଓ ତାଙ୍କ ଭାଇ ମୁରଲୀ ଯାଦବ କୁମ୍ଭମେଳାରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ । ହେଲେ ନା ସ୍ତ୍ରୀ ନା ପରିବାର ସଦସ୍ୟ, କାହାକୁ ବି ଚିହ୍ନିନଥିଲେ ବାବା ରାଜକୁମାର ।

ଗଙ୍ଗାସାଗର ହିଁ ବାବା ରାଜକୁମାର !

ଗଙ୍ଗାସାଗର ନୁହନ୍ତି ବୋଲି ମନା କରିବା ସତ୍ବେ ଏହା ମାନିବାକୁ ନାରାଜ ପରିବାର ସଦସ୍ୟ । ଏପରିକି ପରିବାର ଲୋକେ ଗଙ୍ଗାସାଗରଙ୍କ କପାଳ ଓ ଆଣ୍ଠୁରେ ଥିବା ଆଘାତ ଚିହ୍ନ ବି ବାବା ରାଜକୁମାରଙ୍କଠାରେ ଦେଖିଥିଲେ । ଚେହେରାର ସାମଞ୍ଜସ୍ୟ ରହିଥିବା ବେଳେ ବଡ଼ ଦାନ୍ତ ସାଙ୍ଗକୁ ଆଘାତ ଚିହ୍ନ ବି ସମାନ ଜାଗାରେ ରହିଥିଲା । ତେଣୁ ବାବା ରାଜକୁମାର ହିଁ ୨୭ବର୍ଷ ତଳେ ହଜିଯାଇଥିବା ଗଙ୍ଗାସାଗର ବୋଲି ପରିବାର ଲୋକେ ଦାବି କରୁଛନ୍ତି । ତେବେ ଗଙ୍ଗାସାଗର ଯାଦବଙ୍କ ସହ କୌଣସି ସଂପର୍କ ନଥିବା କହିଛନ୍ତି ଅଘୋରୀ ବାବା ରାଜକୁମାର । ଏପରିକି ସେ ଝାଡ଼ଖଣ୍ଡ ନୁହେଁ ବରଂ ବାରାଣସୀରୁ ବୋଲି କହିଛନ୍ତି ।

ଡିଏନଏ ଟେଷ୍ଟ ଦାବି

କୁମ୍ଭମେଳା ପୋଲିସକୁ ଏନେଇ ଜଣାଇଛନ୍ତି ଗଙ୍ଗାସାଗରଙ୍କ ପରିବାର ଲୋକେ । ବାବା ରାଜକୁମାର, ଗଙ୍ଗାସାଗର ଯାଦବ କି ନୁହେଁ, ସେନେଇ ଜାଣିବାକୁ ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି । କୁମ୍ଭମେଳା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ଡିଏନଏ ଟେଷ୍ଟରେ ଯଦି ରିପୋର୍ଟ ମ୍ୟାଚ ନକରେ ତେବେ ବାବା ରାଜକୁମାରଙ୍କୁ କ୍ଷମା ପ୍ରାର୍ଥନା କରିବେ ବୋଲି ଗଙ୍ଗାସାଗରଙ୍କ ପତ୍ନୀ କହିଛନ୍ତି । ପରିବାର ସହ ସ୍ବାମୀ ଗଙ୍ଗାସାଗରଙ୍କୁ ଏକାଠି କରିବାକୁ ସରକାରଙ୍କୁ ସେ ନିବେଦନ କରିଛନ୍ତି । ଗତ ୨୭ବର୍ଷ ଧରି ଖୋଜିବା ପରେ ଗଙ୍ଗାସାଗରଙ୍କୁ ପାଇବା ନେଇ ଆଶା ଛାଡି ଦେଇଥିଲେ ପରିବାର ଲୋକେ । ହେଲେ କୁମ୍ଭମେଳାରେ ଅଘୋରୀ ବାବା ରାଜକୁମାରଙ୍କୁ ଭେଟିବା ପରେ ପରିବାର ଲୋକେ ପୁଅ ଗଙ୍ଗାସାଗରଙ୍କୁ ଫେରି ପାଇବା ନେଇ ଆଶା ରଖିଛନ୍ତି । ଦୀର୍ଘ ବର୍ଷର ଏହି ରହସ୍ୟ ଉପରୁ ଡିଏନଏ ଟେଷ୍ଟ ପରଦା ଉଠାଇ ପାରିବ ବୋଲି ପରିବାର ଲୋକେ କହିଛନ୍ତି । ଗଙ୍ଗାସାଗରଙ୍କ କିଛି ସଂପର୍କୀୟ ଘରକୁ ଫେରିଥିବା ବେଳେ ଆଉ କିଛି ସଂପର୍କୀୟ ଏବେବି ବାବା ରାଜକୁମାରଙ୍କୁ କୁମ୍ଭମେଳାରେ ଜଗିରହିଛନ୍ତି ।

Comments are closed.