ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଝାଡ଼ଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ମତଦାନ । ଆସନ୍ତା ୨୩ ତାରିଖରେ ଆସିବ ଫଳାଫଳ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଏବଂ ଏନଡିଏ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର ।
ପ୍ରଥମ ପର୍ଯ୍ୟାୟରେ ୪୩ ଟି ଆସନରେ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ବଳକା ୩୮ଟି ଆସନ ପାଇଁ ମତଦାନ ହେଉଛି। ଧାନବାଦ ଓ ଗିରିଡିହର ୬ଟି ଲେଖାଏଁ ଆସନରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ବୋକାରୋ, ଢୁମକାର ୪ଟି ଆସନ, ଦେବଘର, ଗୋଡ୍ଡା, ପାକୁଡ, ସାହେବଗଞ୍ଜର ୩ଟି ଆସନ, ଜାମତାଡ, ରାଞ୍ଚିର ୨ଟି ଆସନ ଏବଂ ହଜାରୀବାଗ ଏବଂ ରାମଗଡର ଗୋଟିଏ ଲେଖାଏଁ ଆସନରେ ମତଦାନ ଅନୁଷ୍ଠିତ ହେବ ।
ଏହି ପର୍ଯ୍ୟାୟରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାଙ୍କ ପତ୍ନୀ କଳ୍ପନା ସୋରେନ (ଉଭୟ ଜେଏମଏମ) ଏବଂ ବିରୋଧୀଦଳର ନେତା ଅମର କୁମାର ବାଉରୀ (ବିଜେପି)ଙ୍କ ସହ ୫୦୦ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମୋଟ ୧୪,୨୧୮ଟି ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ ୪୩ଟି ଆସନ ପାଇଁ ପଡିଥିଲା ଭୋଟ । ଏହି ପର୍ଯ୍ୟାୟରେ ମୋଟ ୬୬.୬୫ ପ୍ରତିଶତ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ ।