ନୂଆଦିଲ୍ଲୀ: ଓଡିଶା ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅସ୍ମିତା ପ୍ରସଙ୍ଗ । ବିଜେପିର ରୋଟି, ମାଟି, ବେଟି ବନାମ ଜେଏମଏମର ଝାଡ଼ଖଣ୍ଡ ଅସ୍ମିତା । ଲୋକସଭା ଲଢେଇରେ ଆଦିବାସୀ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପିକୁ ମାତ୍ ଦେଇଥିବା ଜେଏମଏମ୍ ବିଧାନସଭା ନିର୍ବାଚନରେ ବି ସମାନ ଫର୍ମୂଲା ଆପଣାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ପ୍ରସଙ୍ଗକୁ ଅସ୍ତ୍ର କରି ଆଦିବାସୀ ଅସ୍ମିତା ଓ ଭିକ୍ଟିମ କାର୍ଡ ଖେଳୁଛି ଜେଏମଏମ । ସେପଟେ ରାଜ୍ୟକୁ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ଧର୍ମାନ୍ତରଣକୁ ପ୍ରସଙ୍ଗ କରି ସନାତନ ଅସ୍ମିତାର ରକ୍ଷା ପାଇଁ ଭୋଟ୍ ଦେବାକୁ କହୁଛି ବିଜେପି ।
ଜେଏମଏମର ‘ଆଦିବାସୀ ଅସ୍ମିତା’ କାର୍ଡ
ଝାଡ଼ଖଣ୍ଡ ନିର୍ବାଚନରେ ଆଦିବାସୀ ଅସ୍ମିତା କାର୍ଡ ଖେଳି ନିଜ ଆଦିବାସୀ ଭୋଟବ୍ୟାଙ୍କ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛି ଜେଏମଏମ । ନିଜକୁ ଝାଡ଼ଖଣ୍ଡ ବିକାଶ ପାଇଁ ପ୍ରତିବଦ୍ଧ ନେତା ଦର୍ଶାଇବାର ସହ ବିଜେପିକୁ ବାହାରୁ ଆସିଥିବା ଦଳ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପ୍ରତି ସଭାରେ ସରନା କୋଡ୍ ଓ ଖତିୟାନ ପ୍ରସଙ୍ଗ ଉଠାଇ ନିଜେ ରାଜ୍ୟର ଅସଲ ନିବାସୀ ବୋଲି ପରିଚୟ ଦେଉଛନ୍ତି । ହେମନ୍ତ ସୋରେନଙ୍କ ଗିରଫଦାରୀ ବେଳେ ଜେଏମଏମ ପକ୍ଷରୁ ଝାଡଖଣ୍ଡ ଝୁକେଗା ନେହିଁର ନାରା ଦିଆଯାଇଥିଲା । ନିର୍ବାଚନରେ ଏହାକୁ ସଂକଳ୍ପ ଭାବେ ବ୍ୟବହାର କରୁଛି ଦଳ । ଝାଡଖଣ୍ଡ ଜନତାଙ୍କ ଅଧିକାର ପାଇଁ ଲଢେଇ କରିବାରୁ ତାଙ୍କୁ ଜେଲ୍ ପଠାଯାଇଥିବା କହି ଲୋକଙ୍କ ଆଗରେ ଭିକ୍ଟିମ କାର୍ଡ ଖେଳୁଛନ୍ତି ହେମନ୍ତ । ଗତ ଲୋକସଭା ନିର୍ବାଚନରେ ରାଜ୍ୟରେ ଗୋଟିଏ ବି ଆଦିବାସୀ ସିଟ୍ ଜିତିପାରିନଥିଲା ବିଜେପି । ଏଥର ସମାନ ମ୍ୟାଜିକ ଦୋହରାଇବା ଆଶାରେ ରହିଛି ଜେଏମଏମ ।
ଝାଡ଼ଖଣ୍ଡ ଅସ୍ମିତା Vs ସନାତନ ରକ୍ଷା
କେନ୍ଦ୍ରକୁ ବାଣ ମାରି ବିଜେପିକୁ ଝାଡ଼ଖଣ୍ଡ ମଇଦାନରେ ସିଧାସଳଖ ବିରୋଧ କରୁଛି ଜେଏମଏମ । ନିର୍ବାଚନୀ ସଭାରେ ବିଜେପି ବିରୋଧରେ ମିଛ, ଧନବଳ, ବିଭାଜନକାରୀ ରଣନୀତି ଓ ଷଡଯନ୍ତ୍ର ଭଳି ଅଭିଯୋଗ ଆଣୁଛି ଦଳ । ଝାଡଖଣ୍ଡ ଅସ୍ମିତା ରକ୍ଷା ପାଇଁ ଜେଏମଏମକୁ ଭୋଟ୍ ଦେବାକୁ ଆହ୍ବାନ କରୁଛି । ସେପଟେ ଆଦିବାସୀ ଅସ୍ମିତା ଉପରେ ଅନୁପ୍ରବେଶକାରୀଙ୍କ ଆକ୍ରମଣକୁ ପ୍ରସଙ୍ଗ କରିଛି ବିଜେପି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଲଗାତର ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ଜେଏମଏମକୁ ଟାର୍ଗେଟ୍ କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ଅନୁପ୍ରବେଶକାରୀମୁକ୍ତ ହେବ ଝାଡ଼ଖଣ୍ଡ । ତେବେ ବିଜେପି ହାରିଗଲେ ସନାତନ ଓ ଝାଡ଼ଖଣ୍ଡ ହାରିଯିବ କହି ଭୋଟ୍ ମାଗୁଛି ବିଜେପି ।
କାହିଁକି ଜରୁରୀ ଆଦିବାସୀ ଭୋଟ୍ ?
ଝାଡ଼ଖଣ୍ଡର ମୋଟ୍ ଜନସଂଖ୍ୟାର ୨୬ପ୍ରତିଶତ ଆଦିବାସୀ । ତେଣୁ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ସବୁ ଦଳ ଉଦ୍ୟମ କରୁଛନ୍ତି । ଗତ ଲୋକସଭା ନିର୍ବାଚନରେ ଗୋଟିଏ ବି ଆଦିବାସୀ ସିଟରେ ପଦ୍ମ ଫୁଟାଇ ପାରିନଥିଲା ବିଜେପି । ହେମନ୍ତ ସୋରନଙ୍କ ଗିରଫଦାରୀକୁ ନେଇ ଆଦିବାସୀ ବିଜେପି ବିରୋଧରେ ଭୋଟ୍ କରିଥିଲେ । ସମାନ ସମବେଦନା ପୁଣି ସାଉଁଟିବାକୁ ଜେଏମଏମ ଆଦିବାସୀ ଅସ୍ମିତା ନାରା ଦେଇଛି । ସେପଟେ ଅନୁପ୍ରବେଶକାରୀଙ୍କଠାରୁ ଆଦିବାସୀଙ୍କୁ ସୁରକ୍ଷା ଦେବା କଥା କହି ଆଦିବାସୀଙ୍କୁ ମନାଇବାକୁ ଚେଷ୍ଟା କରୁଛି ବିଜେପି । ଇଣ୍ଡିଆ ମେଣ୍ଟର ପାରମ୍ପରିକ ଆଦିବାସୀ-ମୁସଲିମ୍ ଭୋଟ ବିଭାଜନ କରିବାକୁ ବାବୁଲାଲ ମାରାଣ୍ଡି, ଚମ୍ପାଇ ସୋରେନ୍, ମଧୁ କୋଡାଙ୍କ ଭଳି ଆଦିବାସୀ ନେତାଙ୍କୁ ଦଳରେ ମିଶାଇ ଝାଡ଼ଖଣ୍ଡରେ ଚକ୍ରବ୍ୟୂହ ପ୍ରସ୍ତୁତ କରିଛି ବିଜେପି । ଆଉ ହିନ୍ଦୁତ୍ବ କାର୍ଡ ଖେଳି ଲଢେଇକୁ ଆହୁରି ରୋଚକ କରିଛି । ତେବେ ପ୍ରଶ୍ନ, ଆଦିବାସୀ ଅସ୍ମିତା ନା ଅନୁପ୍ରବେଶକାରୀଙ୍କ ବିରୋଧରେ ରଣହୁଙ୍କାର, କାହାକୁ ସମର୍ଥନ କରିବେ ଝାଡ଼ଖଣ୍ଡ ଭୋଟର?