ଭୁବନେଶ୍ୱର: ଆଜି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ବସୁଛି। ଦିନେ ଦୁଇ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ବିଜେଡି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି। ଯଦିଓ ବିଜେପି ପ୍ରାର୍ଥୀଙ୍କ ନା ଦିନେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହେବ ହେଲେ କଂଗ୍ରେସ ନରେନ ପାଣ୍ଡେଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ରହିଛି। ଗତକାଲି ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି କହିଥିଲେ ଯେ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ସଂସଦୀୟ ବୋର୍ଡକୁ ପଠାଇ ଦିଆସରିଛି।
ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ ହେବା ପରେ ଶ୍ରୀଯୁକ୍ତ ସାମଲ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ନେତାଙ୍କୁ ଭେଟିଥିଲେ। ଏମିତିକି ଦଳର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଥିଲେ ମନମୋହନ ସାମଲ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜେପିର ଟାର୍ଗେଟ 51%ରୁ ଅଧିକ ଭୋଟ। ଓଡିଶାକୁ ନେଇ କେନ୍ଦ୍ରୀୟ ନେତା ସିରିୟସ ଅଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନର ସରକାର ଲକ୍ଷ୍ୟ। କେନ୍ଦ୍ରରେ ପୁଣି ବିଜେପି ସରକାର ଗଢ଼ିବ। ଓଡିଶାରେ ବି ସରକାର ପରିବର୍ତ୍ତନ ହେବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ସେ ଭେଟିଛନ୍ତି। ଓଡିଶାରେ ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତା ମାନେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ତାଙ୍କ ପାଖରେ ଓଡିଶାର ରାଜନୈତିକ ସ୍ଥିତି ବିଷୟରେ ତଥ୍ୟ ଅଛି। ଓଡିଶା ଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି। ନେତା ମାନେ ଖୋଲା ହୃଦୟରେ ସହାୟତା କରିବେ ବୋଲି କେନ୍ଦ୍ରୀୟ ନେତା ପ୍ରତିଶୃତି ଦେଇଛନ୍ତି। ଏଥିସହ ତାଙ୍କର ଦିଲ୍ଲୀ ଗସ୍ତ ସଫଳ ହୋଇଛି ବୋଲି କହିଛନ୍ତି। ତେବେ ଦଳର ସଭାପତିଙ୍କ ସହ ଭେଟଘାଟ ହୋଇପାରି ନାହିଁ। ସେ କର୍ଣ୍ଣାଟକ ନିର୍ବାଚନରେ ବ୍ୟସ୍ତ ରହିଥିବାରୁ ପରେ ତାଙ୍କ ସହ ଦେଖା ହେବେ ବୋଲି ଶ୍ରୀଯୁକ୍ତ ସାମଲ କହିଛନ୍ତି।
Comments are closed.